You are here
Home > ବଡ଼ଖବର > ନୂତନ ଓଡ଼ିଶା ଗଠନ ପାଇଁ ଶପଥ ନେବାକୁ ନିରଞ୍ଜନଙ୍କ ଆହ୍ୱାନ

ନୂତନ ଓଡ଼ିଶା ଗଠନ ପାଇଁ ଶପଥ ନେବାକୁ ନିରଞ୍ଜନଙ୍କ ଆହ୍ୱାନ

ଭୁବନେଶ୍ୱର : ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୮ବର୍ଷ ଧରି ବିଜୁ ଜନତା ଦଳ (ବିଜେଡ଼ି) ଶାସନ କ୍ଷମତାରେ ରହିଆସିଛି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଉଭୟ ବିଜେଡି ଏବଂ ବିଜେପି ରାଜ୍ୟରେ ମିଳିତ ଭାବେ ଶାସନ କରୁଥିଲେ । ପରେ ବିଜେଡି ଏକାକି ଶାସନ କ୍ଷମତାରେ ରହିବାର ଇଛା ପ୍ରକାଶ କରି ବିଜେପିର ହାତ ଛାଡ଼ିଦେଲା । କିନ୍ତୁ ଉଭୟ ଦଳ ମଧ୍ୟରେ ଏବେ ମଧ୍ୟ ନିବିଡ ସମ୍ପର୍କ ରହିଛି ଏବଂ ଉଭୟ ଉଭୟଙ୍କର ତ୍ରାଣକର୍ତା ସାଜିଛନ୍ତି । ନିଜକୁ ଜଣେ ସାଦାସିଧା ଏବଂ ଦୁର୍ନୀତିମୁକ୍ତ ବ୍ୟକ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ନିକଟରେ ଯେଉଁ ଭାବମୂର୍ତି ସୃଷ୍ଟି କରିଥିଲେ, ତାହା ଏବେ ଆଉ ନାହିଁ । ତାଙ୍କର ଅସଲ ଚେହେରା ପଦାରେ ପଡ଼ିସାରିଛି । ତାଙ୍କ ସମ୍ପର୍କରେ ବିଶିଷ୍ଟ ସାମ୍ବାଦିକ ରୁବେନ୍ ବାନାର୍ଜୀ ରଚନା କରିଥିବା ପୁସ୍ତକରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । ତାହା ପଢିଲେ ନବୀନ ବାବୁଙ୍କର ପ୍ରକୃତ ରୂପ ରାଜ୍ୟବାସୀ ଜାଣିପାରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେଡ଼ି ଗତ ୧୮ବର୍ଷ ହେଲା ଓଡ଼ିଶାରେ ଏବଂ ବିଜେପି ଗତ ଚାରିବର୍ଷ ଧରି କେନ୍ଦ୍ରରେ ଏକଛତ୍ର ଶାସନ ଚଳାଇଛନ୍ତି । କୋ÷ଣସିମତେ ଗାଦି ମାଡ଼ିବସିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ । ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ପ୍ରତିଶ୍ରୁତିର ପାହାଡ଼ରେ ପୋତିଦେଇ ନିର୍ବାଚନ ପରେ ସେମାନଙ୍କ ମୋ÷ଳିକ ସମସ୍ୟାକୁ ଭୁଲିଯାଉଥିବା ଏହି ଭ୍ରଷ୍ଟ ସରକାରଙ୍କର ମୁଖା ଖୋଲିଯାଇଛି । ୨୦୧୯ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଜନସାଧାରଣ ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷର ପ୍ରକୃତ ପ୍ରତିଫଳନ ଦେଖାଇବେ । ତାହାପୂର୍ବରୁ ରାଜ୍ୟବାସୀ ଏକ ନୂତନ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶପଥ ନେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏକ ପ୍ରେସ ବିବୃତିରେ ପିସିସି ସଭାପତି କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତର ସାଧାରଣ ନାଗରିକ ସଂଗ୍ରାମ କରି ସ୍ୱାଧୀନତା ହାସଲ କଲେ । ସେତେବେଳେ ଦାରିଦ୍ର୍ୟ ଦୂରୀକରଣ, ନିଯୁକ୍ତି ସୁଯୋଗ ସୃଷ୍ଟି, କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଏବଂ ବିକାଶ ପଥରେ ଅଗ୍ରସର ହେବା ଆମ ପାଇଁ ପ୍ରାଥମିକତା ଥିଲା । ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ସେହିସବୁ ପ୍ରସଙ୍ଗ ଅସମାହିତ ହୋଇ ରହିଛି । ଆମ ରାଜ୍ୟର ଲକ୍ଷାଧିକ ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ବସିଛନ୍ତି । ରାଜ୍ୟରେ ଦରିଦ୍ରଙ୍କ ସଂଖ୍ୟା ବଢିବାରେ ଲାଗିଛି । ପରିବାର ଚଳାଇବାକୁ ଓଡ଼ିଶାବାସୀ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି । ଅଥଚ କର୍ମନିଯୁକ୍ତି ଯୋଜନାରେ ସରକାର ବହୁକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜନସାଧାରଣଙ୍କୁ ମୋ÷ଳିକ ସ୍ୱାସ୍ଥ୍ୟସେବା ମିଳୁନଥିବାବେଳେ ସ୍ୱାସ୍ଥ୍ୟସେବା ନାମରେ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି । ରାସ୍ତା କଡ଼ରେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରୁଥିବାବେଳେ ଅଚିହ୍ନା ରୋଗରେ ଛଟପଟ ହୋଇ ଗାଁ ଗହଳିରେ ଲୋକେ ଅକାଳରେ ମରୁଛନ୍ତି । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ରୋଗୀ ବୁହା ହେଉଛନ୍ତି । ପ୍ରତି ପରିବାରକୁ ଆଲୋକିତ କରିବା କଥା ସରକାର କହିବୁଲୁଥିବାବେଳେ ୧୫ ଲକ୍ଷ ସୋ÷ର ଲଣ୍ଠନର ହିସାବ ମିଳୁନାହିଁ । ହୀରାକୁଦ, ଇନ୍ଦ୍ରାବତୀ, କୋଲାବ ଆଦି ଜଳଭଣ୍ଡାର ନିର୍ମାଣ ସମୟରେ ବାସଚ୍ୟୁତ ପରିବାର ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି କିମ୍ବା ସେମାନଙ୍କୁ ଥଇଥାନ କରାଯାଇନାହିଁ । ଅଥଚ ଆମେ ବିକାଶ ପଥରେ ଅଗ୍ରସର ହେଉଥିବା କହି ବାହାବା ନେଉଛେ । ଗୁଜରାଟ ଲୁଗାକଳରେ କାମ କରିବାକୁ ଯାଇଥିବା ଲକ୍ଷାଧିକ ଓଡ଼ିଆ ଶ୍ରମିକ ସେଠାରେ ଜିଏସ୍ଟି ପ୍ରଚଳନ ପରେ କାରଖାନା ବନ୍ଦହେବା କାରଣରୁ ଭୋକ ଉପାସରେ ଦିନ କାଟୁଛନ୍ତି । ଉପସାଗରୀୟ ରାଷ୍ଟ୍ରକୁ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ଓଡ଼ିଆମାନେ ସେଠାରେ ନିର୍ଯାତିତ ହେଉଥିବାବେଳେ ଘରକୁ ଫେରିବାକୁ ସେମାନଙ୍କ ନିକଟରେ ଟଙ୍କା ନାହିଁ । ରାଜ୍ୟର କୃଷକ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛି । ଏହା କ’ଣ ନବୀନ ସରକାରଙ୍କର ଗତ ୧୮ ବର୍ଷ ଶାସନର ସୁଫଳ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିଦେଇ ରାଜ୍ୟର ବିଚ୍ଛିନ୍ନାଂଚଳକୁ ସଂଯୋଗ ରାସ୍ତା କରିଥିବା ଗର୍ବର ସହିତ କହିବୁଲୁଛନ୍ତି । ଅଥଚ ସେହି ଅଂଚଳରେ ଏବେ ବି ଶହଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି । ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ସୁବିଧା ମିଳୁନାହିଁ । ବର୍ଷବର୍ଷ ଧରି ପ୍ରଶାସନ ନିକଟକୁ ଦୋ÷ଡିଲେ ମଧ୍ୟ ବାସହରାଙ୍କୁ ଖଣ୍ଡେ ପକ୍କାଘର ମିଳିପାରୁନାହିଁ । ଏହା ହେଉଛି ସ୍ୱାଧୀନ ଦେଶର ନାଗରିକମାନଙ୍କର ପ୍ରକୃତ ସ୍ଥିତି । ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶର ଅନ୍ୟ ସହର ଏବଂ ବିଦେଶ ଯାଇ ପୁଞ୍ଜିପତିଙ୍କୁ ଆକୃଷ୍ଟ କରୁଛନ୍ତି, କିନ୍ତୁ ରାଜ୍ୟରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପ୍ରୋତ୍ସାହନ ଅଭାବରୁ ମରିହଜି ଗଲେଣି । ଏହାର ପ୍ରକୃତ ଚିତ୍ର ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ନିକଟରେ ରଖିବାକୁ ପିସିସି ସଭାପତି ଦାବି କରିଛନ୍ତି । ଓଡ଼ିଶାରେ ସ୍ଥାପିତ ବୃହତ ଶିଳ୍ପ, ଖଣି ଆଦିରେ କେତେଜଣ ଓଡ଼ିଆ ନିଯୁକ୍ତି ପାଇଛନ୍ତି ତାହାର ହିସାବ ସରକାର ଦେବାକୁ ସେ କହିଛନ୍ତି । ସ୍ୱାଧୀନତାକୁ କେବଳ ସମ୍ବିଧାନ ମଧ୍ୟରେ ସୀମିତ ନରଖି ପ୍ରତ୍ୟେକ ଓଡ଼ିଆ ସେମାନଙ୍କ ହକ୍ ହାସଲ କରିବା ନିମନ୍ତେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

Loading...
ONA

Leave a Reply

Top