You are here
Home > ବଡ଼ଖବର > ଅର୍ବାନ୍ ବ୍ୟାଙ୍କ: ଜମାକାରୀ ଫେରିପାଇବେ ଅର୍ଥ, ଋଣ ଖିଲାପକାରୀଙ୍କ ଜବତ ହେବ ସମ୍ପତ୍ତି

ଅର୍ବାନ୍ ବ୍ୟାଙ୍କ: ଜମାକାରୀ ଫେରିପାଇବେ ଅର୍ଥ, ଋଣ ଖିଲାପକାରୀଙ୍କ ଜବତ ହେବ ସମ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଅର୍ବାନ ବ୍ୟାଙ୍କ ବନ୍ଦ ହେବା ପରେ ଜମାକାରୀମାନେ ସେମାନଙ୍କ ଅର୍ଥ ଫେରିପାଇବା ନେଇ ଆଶଙ୍କା ଭିତରେ ଥିଲେ । କିନ୍ତୁ ଏବେ ସରକାର ଜମାକାରୀମାନଙ୍କୁ ଅର୍ଥ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଯେଉଁମାନେ ଋଣ ନେଇ ସୁଝିନାହାଁନ୍ତି ସେମାନଙ୍କଠାରୁ ଋଣ ଆଦାୟ କରିବା ପାଇଁ ବ୍ୟବସ୍ଥା କରାଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯିବ ଓ ସମ୍ପତ୍ତି ଜବତ କରାଯିବ । ଏଥିନେଇ ପୁଲସକୁ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇସାରିଛି । ଏ ସମ୍ପର୍କରେ ସମବାୟମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅର୍ବାନ୍ ବ୍ୟାଙ୍କକୁ ସରକାର ଦେବାଳିଆ ଘୋଷଣା କରିବା ପରେ ଶହଶହ ସଂଖ୍ୟାର ଜମାକାରୀ ହତାଶ ହୋଇ ପଡ଼ିଥିଲେ । ସେମାନେ ନିଜନିିଜ ଅର୍ଥ ଫେରିପାଇବା ନେଇ ସନ୍ଦିହାନ ଥିଲେ । ବିଭିନ୍ନ ସମୟରେ ସେମାନେ ସରକାରଙ୍କ ପାଖେରେ ଦାବି କରି ଆସୁଥିଲେ । ତେବେ ସରକାର ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କର ଜମାରାଶୀ ୧ ଲକ୍ଷଟଙ୍କାରୁ କମ୍ ସେମାନଙ୍କୁ ପ୍ରଥମେ ଅର୍ଥ ଫେରାଇବା ପାଇଁ ବ୍ୟବସ୍ଥା କରାଯିବ । ଏହି ଜମାକାରୀଙ୍କ ସଂଖ୍ୟା ପ୍ରାୟ ୧୬୦୦ ବୋଲି ଆକଳନ କରାଯାଇଛି । ଖୁବ୍ଶୀଘ୍ର ସେମାନେ ଜମା ରାଶି ଫେରିପାଇବେ । ଯେଉଁ ଜମାକାରୀମାନେ ୧ ଲକ୍ଷ ଟଙ୍କାରୁ ଅଧିକ ଜମା କରିଛନ୍ତି ସେମାନଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପଦକ୍ଷେପ ନିଆଯିବ । ଯେଉଁ ଜମାକାରୀମାନେ ବ୍ୟାଙ୍କରୁ ଋଣନେଇ ଶୁଝିନାହାଁନ୍ତି ସେମାନେ ଋଣ ଅର୍ଥ ପୈଠ କରିସାରିବା ପରେ ଯାଇ ବକେୟା ଅର୍ଥ ଫେରିପାଇବେ । ଯେଉଁମାନେ ଋଣ ନେଇ ଶୁଝି ନାହାଁନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ସେମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରି ଅର୍ଥ ସଂଗ୍ରହ କରାଯିବ । ଏଥିନେଇ ପୁଲିସକୁ ନିର୍ଦ୍ଦେଶ ଦିଆଯାଇ ସାରିଛି । ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଉଦୟନାଥ ସାହୁ ଯେ କି ୫ କୋଟି ୨୮ ଲକ୍ଷ ଟଙ୍କା ହେର୍ଫେର୍ କରିଛନ୍ତି । ସେ ଗିରଫ ହେବା ପରେ ବର୍ତ୍ତମାନ ଜାମିନ୍ରେ ଅଛନ୍ତି । ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିବାରୁ ଏହା ବିରୋଧରେ ସରକାର ଜାମିନ ରଦ୍ଦ ପାଇଁ ସୁପ୍ରିମକୋର୍ଟ ଯିବେ । ଏଥିନେଇ ଆବେଶ୍ୟକ ନିର୍ଦ୍ଦେଶନାମା ଦିଆଯାଇ ସାରିଛି । ସେ ବ୍ୟାଙ୍କର ୨୧ଟି ଫାଇଲ ଗାଏବ କରିଦେଇଛନ୍ତି । ଯାହା ତଦନ୍ତ ପ୍ରକ୍ରୀୟାରେ ବାଧାସୃଷ୍ଟି ହେଉଛି । ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ଋଣ ଖିଲାପକାରୀମାନଙ୍କୁ ମଧ୍ୟ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

Loading...
ONA

Leave a Reply

Top