ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ, ଗୃହରେ ଉଠିବ କୋର୍ଣାକ ପ୍ରସଙ୍ଗ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଆଜି ପୂବାହ୍ନ ୧୧ ଟାରେ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରର ୫୪ ନମ୍ବର ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି । ଏହି ବୈଠକରେ ଅଭିଜିତ ଆୟାର ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ପ୍ରକାଶ ପାଉଛି । ଅଭିଜିତ ବିବାଦୀୟ ମନ୍ତବ୍ୟ ଦେଇ ଗୃହ କମିଟି ସମ୍ମୁଖରେ ହାଜର ହେବା ସହ ତାଙ୍କର ଭୁଲ ସ୍ୱିକାର କରିଥିଲେ । ବିଧାୟକଙ୍କ ପ୍ରତି ମନ୍ତବ୍ୟ ସହ ଓଡିଶାର ଅସ୍ମିତାକୁ ଆଘାତ ଦେବା ପରି ମନ୍ତବ୍ୟ ଦେଇଥିବାରୁ ସେ କମିଟି ଆଗରେ ନିଜର ଦୋଷ ମାନି ନେଇଥିଲେ । ସେ ଏହି ଘଟଣାରେ କମିଟି ନିକଟରେ ସତ୍ୟପାଠ ମଧ୍ୟ ଦାଖଲ କରି ସାରିଛନ୍ତି । ତେବେ ଏହି ସମସ୍ତ ପ୍ରସଙ୍ଗକୁ ନେଇ ତର୍ଜମା କରି ଗୃହ କମିଟି ରିପୋର୍ଟ ପ୍ରସ୍ତୁତ କରି ବିଧାନସଭାରେ ଉପସ୍ଥାପନ। କରିବ । ସେହିପରି ଆଜି ସଂଧ୍ୟାରେ କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଆସନ୍ତାକାଲିଠାରୁ ଅଧିବେଶନ ବସିବାକୁ ଥିବାବେଳେ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ବିଧାନସଭାରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ତର୍ଜମା ହେବ ବୋଲି ପ୍ରକାଶ ପାଉଛି ।