ନିଜକୁ ନକ୍ସଲ କହି ୫୦ ଲକ୍ଷ ଟଙ୍କା ଠକେଇ କରିବା ଉଦ୍ୟମ ମାରିଲା ଫେଲ୍, ପୁଲିସ ହାତରେ ତିନି ଦୁର୍ବୃତ୍ତ

ରାୟଗଡ଼ା: ନିଜକୁ ନକ୍ସଲ ବୋଲି ପରିଚୟ ଦେବା ପଡିଲା ମହଙ୍ଗା | ପୁଲିସ ହାତରେ ଧରି ପଡିଲେ ଦୁର୍ବୁତ୍ତ | ୫୦ ଲକ୍ଷ ଟଙ୍କା ଠକେଇ କରିବାକୁ କରୁଥିଲେ ଉଦ୍ୟମ ହେଲେ ଫସର ଫାଟିଲା ଯୋଜନା | ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା କସ୍ତୁରି ନଗରରେ | ସୁଚନାଯୋଗ୍ୟ, କସ୍ତୁରୀ ନଗରର କେ. ମାଧବ ରାଓ ଏବଂ ଜେ.କେ.ପୁରର ଭି. ଜଗନ୍ନାଥ ନିଜକୁ ନକ୍ସଲ କହିବା ସହ ସଙ୍ଗଠନ ଲାଗି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ | ଏହି ତିନି ଜଣ ନଭେମ୍ବର ୨୨ ତାରିଖରେ ଗାୟତ୍ରୀ ନଗରରେ ରହୁଥିବା ଠିକାଦାର ଗୋପାଳ ଚେଟ୍ଟି ଈଶ୍ୱର ରାଓଙ୍କୁ ନକ୍ସଲ ନେତା ଚଳପତି ନାଁରେ ଏକ ଧମକପୂର୍ଣ୍ଣ ଚିଠି ପଠାଇ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ଗୋପାଳ ରାୟଗଡ଼ା ଥାନା ପୁଲିସ୍‌କୁ ସୂଚନା ଦେଇଥିଲେ । ଏହା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ଜାଲ ବିଛାଇଥିଲା । ପୁଲିସ୍‌ର ଯୋଜନା ମୁତାବକ ଗୋପାଳ ଟଙ୍କା ଦେବା ପାଇଁ ଅଭିଯୁକ୍ତମାନଙ୍କୁ ରିଂରୋଡ୍‌କୁ ଡାକିଥିଲେ । ଅଭିଯୁକ୍ତମାନେ ସେଠାରେ ପହଞ୍ଚିବା ପରେ ପୁଲିସ୍ କୌଶଳକ୍ରମେ ବସନ୍ତକୁ କାବୁ କରିଥିଲା । ତେବେ ମାଧବ ଓ ଜଗନ୍ନାଥ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରୁ ପୁଲିସ୍ ଏକ ନମ୍ବର ବିହୀନ ସ୍କୁଟି ସହିତ ଗୋଟିଏ ଛୁରୀ ଜବତ କରିଥିଲା । ଗତକାଲି ମାଧବ ଓ ଜଗନ୍ନାଥ ସେମାନଙ୍କ ଘରେ ଥିବା ନେଇ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏବଂ ସେମାନଙ୍କୁ ଗିରଫ କରିଥିଲା ବୋଲି ସୂଚନା ମିଳିଛି ।