ବିଜେଡି: ଗଡ଼ିବେ ରଥୀ, ମହାରଥୀ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ବିଜେଡି ଆସନ୍ତା ନିର୍ବାଚନରେ ନୂଆ ଧାରା ନେଇ ଆସିବାକୁ ଯାଉଥିବା ଦଳୀୟ ନେତାଙ୍କ ଭିତରେ ଚାଲିଛି ଆଲୋଚନା । ଦଳ ପକ୍ଷରୁ ହାଇଟେକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦଳରେ ଆସିଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟତଃ ଦାୟିତ୍ୱାରେ ରଖାଯାଇଛି । ଯେଉଁମାନେ କାହାରି ପ୍ରଭାବରେ ବିଚଳିତ ନ ହେବେ କି ଚାପରେ ନ ରହିବେ ସେହଭଳି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଟିକେଟ କେଉଁମାନଙ୍କୁ ଦିଆଯିବ ଇତିମଧ୍ୟରେ ତାର ଗାଇଡ ଲାଇନ ଦଳ ନିର୍ଦ୍ଧାରଣ କରିସାରିଛି । ତାହାକୁ ଭିତିକରି ପ୍ରାର୍ଥୀ ଚୟନ ଚାଲିଛି । ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଏହା ପହଂଚିସାରିଛି । ଅପରାଧୀକ ରେକର୍ଡ ଥିବା ବ୍ୟକ୍ତିମାନଙ୍କୁ ଏଥର ପ୍ରାର୍ଥୀ କରାଯିବନାହିଁ । ସୁପ୍ରିମକୋର୍ଟ ଓ ସୋଶାଲ ମିଡ଼ିଆରେ ଦାଗି ନେତାଙ୍କ ପ୍ରସଙ୍ଗକୁ ନେଇ ବହୁ ସମାଲୋଚନା ହେଉଥିବାରୁ ବିଜେଡି ଏହାକୁ ଅଧିକ ଗୁରୁତ୍ୱ ଦେଉଛି । ଯୁବକମାନଙ୍କୁ ବିଶେଷ ଭାବରେ ପ୍ରାଧାନ୍ୟ ମିଳିବ । ବୟସ୍କମାନେ ଯଦିଓ ରହିବେ ସେମାନଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ହେବ । ଦଳ ପକ୍ଷରୁ ଏ ନେଇ ଦିନରାତି ଚାଲିଛି କସରତ । ବହୁ ଟାଣୁଆ ଓ ଆଗ ଧାଡ଼ିର ନେତା ଏଥର ବାଦ ପଡ଼ିବେ । ଏଭଳି କିଛି ନେତା ବାଦ ପଡ଼ିବେ ଯାହା ସମସ୍ତଙ୍କୁ ଚକିତ କରିଦେବ । ୬୦ ବିଧାୟକ ଓ ୭ ଏମପି ବାଦ ପଡ଼ିବା ନେଇ ଚର୍ଚ୍ଚାକ୍ରମେ ଜୋର ଧରିଛି ।
ମିଳିଥିବା ସୂଚନା ଅନୁସାରେ ବିଶେଷ କରି ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ଯେଉଁମାନଙ୍କ ନାଁ ଆସିଛି ଓ ଯେଉଁମାନେ ବିବାଦୀୟ ହୋଇ ପଡ଼ିଛନ୍ତି ସେମାନଙ୍କୁ ଟିକେଟ ନ ମିଳିବା ସମ୍ଭାବନା ଅଧିକ । ଏଥିରେ ବହୁ ଟାଣୁଆ ଓ ଦଳର ଆଗ ଧାଡ଼ିର ବିଧାୟକ ଓ ସାଂସଦ ଥିଲେ ମଧ୍ୟ ଏଭଳି କଠୋର ନିଷ୍ପତି ନେବାକୁ ସ୍ଥିର କରାଯାଇଛି । ପ୍ରାର୍ଥୀଙ୍କ ଆଡ଼କୁ ଯେପରି କେହି ଅଙ୍ଗୁଳି ନିର୍ଦ୍ଦେଶ କରି ନ ପାରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି । ଏ ସୂଚନା ପାଇ ବହୁ ନେତା ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ସହ ବିଭିନ୍ନ ଅପରାଧୀକ ମାମଲାରେ ଫସି ବିବାଦୀୟ ହୋଇ ପଡ଼ିଥିବା ନେତା ବି ଦୂରେଇ ଦିଆଯିବ ।
ଯାହା ଆଲୋଚନା ହେଉଛି ସେଥିରେ କୁହାଯାଉଛି ପାରାଦୀପରେ ଡାକ୍ତର ଦାମୋଦର ରାଉତ ଯିବା ପରେ ସେଠାରେ ତାଙ୍କ ପୁଅକୁ ଟିକେଟ ଦେବାନେଇ ଯେଉଁ ଆଲୋଚନା ଚାଲିଥିଲା ତାର ପରିସମାପ୍ତି ଘଟିଛି । ଏପରି କି ସେ ଆସନରେ ଲଢ଼ିବା ପାଇଁ ବରିଷ୍ଠ ନେତା ବିଷ୍ଣୁ ଦାସ ଚାହୁଁଥିଲେ ମଧ୍ୟ ତାଙ୍କୁ ଦିଆଯିବ ନାହିଁ । ଏଥର ବିଷ୍ଣୁ ପ୍ରାର୍ଥୀ ହୋଇ ନ ପାରନ୍ତି ବୋଲି କୁହାଯାଉଛି । ଜଗତସିଂହପୁରରେ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଚୂଡ଼ାନ୍ତ ହୋଇସାରିଲାଣି । ଏ ବିଷୟରେ ବିଷ୍ଣୁଙ୍କୁ ଅବଗତ କରାଇ ଦିଆଯାଇଥିବା କୁହାଯାଉଛି । ପାରାଦୀପରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଛିଡ଼ା କରିବା ପାଇଁ ଯୋଜନା ହୋଇଛି । ସେ ମଧ୍ୟ ସୂଚନା ପାଇ ପାରାଦୀପ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତାଙ୍କ ନିର୍ବାଚନମଣ୍ଡଳୀ କଟକ-ବାରବାଟୀରେ ଜଣେ ଚଳଚ୍ଚିତ୍ର ତାରକାଙ୍କୁ ପ୍ରାର୍ଥୀ କରାଯାଇପାରେ । ସାଂସଦ ଡାକ୍ତର କୁଳମଣି ସାମଲ ବି ବିପଦରେ ଅଛନ୍ତି । ବାଲେଶ୍ୱରରେ ମନ୍ତ୍ରୀ ଅନନ୍ତ ଦାସଙ୍କୁ ଟିକେଟ ନ ମିଳିପାରେ । ସେହିପରି ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପଦାସ ମଧ୍ୟ ଟିକେଟ ପାଇ ନ ପାରନ୍ତି । ତାଙ୍କ ସ୍ଥାନରେ ଜଣେ ନୂଆ ପ୍ରାର୍ଥୀ ଦିଆଯିବାକୁ ଯୋଜନା କରାଯାଇଛି । ସେହିପରି ସାଂସଦ ରବି ଜେନାଙ୍କ ବଦଳରେ ନୂଆ ପ୍ରାର୍ଥୀ ଦିଆଯିବ । ଶ୍ରୀ ଜେନାଙ୍କୁ ବିଧାନସଭା ଆସନ ଦିଆଯାଇପାରେ । ସୋରର ପର୍ଶୁରାମ ଧଡ଼ା ବି ବିପଦରେ ଅଛନ୍ତି । ହେଲେ ଏଥର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ସ୍ଥିର କରାଯାଇଛି । ଭଦ୍ରକ ଜିଲ୍ଲାରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏକ ହତ୍ୟା ମାମଲାରେ ବିବାଦୀୟ ହୋଇ ପଡ଼ିଥିବାରୁ ତାଙ୍କ ସ୍ଥିତି ଭଲ ନାହିଁ । ଏଥିସହ ଭଦ୍ରକ ସାଂସଦ ଅଜୁର୍ନ ଚରଣ ସେଠୀଙ୍କୁ ଏଥର ପୁଣି ପ୍ରାର୍ଥୀ କରା ନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ପ୍ରାର୍ଥୀ ହେବେନି ବୋଲି ମନା କରିଥିବାରୁ ତାଙ୍କ ପୁଅଙ୍କ କଥାକୁ ବିଚାରକୁ ନିଆଯାଉଛି । ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କୁ ଆଉ ପ୍ରାର୍ଥୀ କରାଯିବ ନାହିଁ । ସେ ତାଙ୍କ ପୁଅ ପାଇଁ ଚାହୁଁଥିଲେ ବି ସେଥିରେ ସନ୍ଦେହ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁ ପରିବର୍ତ୍ତନ କରାଯିବ । ବିଧାୟକ କିଶୋର ତରାଇ ବିବାଦୀୟ ହୋଇ ପଡ଼ିଥିବାରୁ ତାଙ୍କୁ ପ୍ରାର୍ଥୀ କରାଯିବନାହିଁ । ବରିଷ୍ଠ ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ କଥା ବି ସନ୍ଦେହ ଭିତରେ ଅଛି । ପୁରୀ ଜିଲ୍ଲାରେ ମଧ୍ୟ ଏକାଧିକ ଆସନରେ ପ୍ରାର୍ଥୀ ବଦଳିବ । କାକଟପୁର ବିଧାୟକଙ୍କୁ ପୁଣି ଟିକେଟ ନ ମିଳିବା କଥା ଉଠୁଛି । ବଲାଙ୍ଗୀର ଜିଲ୍ଲାରେ କଂଟାବାଜି ବିଧାୟକ ଆୟୁବ ଖାଁ ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ପୁଣି ଟିକେଟ ପାଇବା ସନ୍ଦେହ । ଶ୍ରୀ ବେହେରା ତାଙ୍କ ପୁଅ ପାଇଁ ଆଗ୍ରହୀ ଅଛନ୍ତି । କିନ୍ତୁ ଦଳ ଏଥିରେ ସହମତ ହେଉନାହିଁ । ସାଂସଦ କଳିକେଶ ସିଂହଦେଓଙ୍କୁ ମଧ୍ୟ ଜିଲ୍ଲାର ସବୁ ବିଧାୟକ ଓ ଅଧିକାଂଶ ନେତା ବିରୋଧ କରୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲରେ ମଙ୍ଗଳା କିଶାନ ଓ ସୁବ୍ରତ ତରାଇଙ୍କ ସ୍ଥିତି ଠିକନାହିଁ । ଢେଙ୍କାନାଳ ଜିଲ୍ଲରେ ମଧ୍ୟ ସାଂସଦ ତଥାଗତ ଶତପଥୀଙ୍କୁ ବିରୋଧ ହେଉଛି । ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ରିପୋର୍ଟ ମଧ୍ୟ ଆସିଥିବା କୁହାଯାଉଛି । ବିଧାୟକ ବ୍ରଜକିଶୋର ପ୍ରଧାନ ମହିଳାମାମଲାରେ ବିବାଦୀୟ ହୋଇ ପଡିଥିବାରୁ ତାଙ୍କ ଆଶାକ୍ଷୀଣ । ବିଧାୟକ ମହେଶ ସାହୁ ମଧ୍ୟ ଅନିଶ୍ଚିତତାରେ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ସାଂସଦ ଅର୍କକେଶରୀ ଦେଓଙ୍କୁ ପ୍ରାର୍ଥୀ କରାଯାଇ ନ ପାରେ । ଏ ଜିଲ୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୂରେଇ ଦିଆଯାଇ ପାରେ । ଭୂପିନ୍ଦର ସିଂହଙ୍କୁ ସୁଯୋଗ ମିଳିପାରେ । ବଳଭଦ୍ର ମାଝିଙ୍କ ସ୍ଥିତି ମଧ୍ୟ ଠିକ ନାହିଁ । ବରଗଡ଼ରେ ମନ୍ତ୍ରୀ ସ୍ନେହାଙ୍ଗିନି ଛୁରିଆଙ୍କୁ ଦଳ ଦୂରେଇ ଦେବାର ସମ୍ଭାବନା ରହିଛି । ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ବି ବିପଦରେ ଅଛନ୍ତି । କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଏକାଧିକ ପରିବର୍ତନ ହେବାର ସମ୍ଭାବନା ରହିଛି । ବିଧାୟକ ପ୍ରବୀଣଭଂଜଦେଓଙ୍କ ସ୍ଥିତି ଅନିଶ୍ଚିତତା ଅଛି । ମନ୍ତ୍ରୀ ବଦ୍ରୀନାରାଣ ପାତ୍ରଙ୍କ ସ୍ଥିତି ଭଲନାହିଁ । ପୁଅର ଅପରାଧିକ କାର୍ଯ୍ୟ ପାଇଁ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିପାରେ । ବିଧାୟକ ଅଭିରାମ ନାୟକ ମଧ୍ୟ ଡେଞ୍ଜର ଜୋନରେ ଅଛନ୍ତି । ମୟୂରଭଂଜନ ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ଦଳ ଦୂରେଇ ସାରିଛି । ବିଧାୟକ ସୁଦାମ ମାରାଣ୍ଡିଙ୍କର ସ୍ଥିତି ମଧ୍ୟ ଠିକନାହିଁ । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ପାଇଁ ଏଥର ସମ୍ଭବ ହୋଇ ନ ପାରେ । ଗଂଜାମ ଜିଲ୍ଲାରେ ଏକାଧିକ ଆସନ ବଦଳିବ । ବିଧାୟକ ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସେଠୀ, ନନ୍ଦିନୀ ଦେବୀ ପ୍ରମୁଖଙ୍କୁ ବାଦ ଦିଆଯାଇପାରେ । ଖୋର୍ଦ୍ଧା ଜିଲ୍ଲାରେ ବେଶ ବିବାଦୀୟ ହୋଇ ପଡ଼ିଥିବା ବିଧାୟକ ପ୍ରଶାନ୍ତ ଜଗଦେବ, ଭାଗୀରଥ ବଡ଼ଜେନା, ରାଜେନ୍ଦ୍ର ସାହୁ, ନୟାଗଡ଼ ଜିଲ୍ଲାର ବିଧାୟକ ଅନୁଭବ ମହାନ୍ତିଙ୍କ ଭଳି କିଛି ବିଧାୟକଙ୍କ ଟିକେଟ କଟିବ ବୋଲି କୁହାଯାଉଛି । ଭୁବନେଶ୍ୱରରେ ଉତର ବିଧାୟକ ପ୍ରୀୟଦର୍ଶୀ ମିଶ୍ର ଓ ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ପାଇଁ ଏଥର ଆଶା କମ୍ ରହିଛି ବୋଲି ଆଲୋଚନା ହେଉଛି । କଟକ ଜିଲ୍ଲାରେ ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନାଁ ଆସୁଛି । ଏଥିସହ ଚିଟଫଣ୍ଡ ଦୁର୍ନୀତିରେ ଫସିଥିବା ବିଧାୟକମାନେ ବି ବାଦ ପଡ଼ିବେ ।

ଦଳ ମଧ୍ୟରେ ଏ କଥା ବି ଆଲୋଚନାଚାଲିଛି ଯେ ନିର୍ବାଚନ ସମୟ ଡେରିଅଛି. ରାଜନୀତିରେ ଆଜି କଥା କଳିକିନାହିଁ ।ଏଣୁ ଅନେକକିଛି ପରିବର୍ତନ ବି ହୋଇପାରେ । ଏମାନଙ୍କ ଭିତରୁ କିଛି ଟିକେଟ ପାଇପାରନ୍ତି । ଆଉନୁଆ ବିଧାୟକ କାଟିପାରନ୍ତି । ହେଲେ ସମସ୍ତଙ୍କ ପ୍ରତୀକ୍ଷା ଦଳର ଘୋଷଣାକୁ ବୋଲି କୁହାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here