ଏଥର ଦାମଙ୍କ ଟାର୍ଗେଟରେ ରହିଲେ ଅରୁଣ

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତାଙ୍କର ସରକାରୀ ବିରୋଧୀ ଆଭିମୁଖ୍ୟକୁ ଜାରି ରଖିଛନ୍ତି । ଜଗତସିଂହପୁର ଜିଲ୍ଲାରେ ବିଶେଷକରି ପାରାଦୀପରେ ବିଜେଡିକୁ ଏଥର ଜିତାଇ ଦେବେ ନାହିଁ ବୋଲି ଘୋଷଣା କରିବା ସହ ସେ ବିଜେଡି ବିଧାୟକଙ୍କ ଗୋଟିଏ ପରେ ଗୋଟିଏ ନିର୍ବାଚନମଣ୍ଡଳୀକୁ ଯାଇ ସେମାନଙ୍କ ଉପରେ ବର୍ଷିବାରେ ଲାଗିଛନ୍ତି । ବିଶେଷ କରି ସମ୍ପୃକ୍ତ ବିଧାୟକମାନଙ୍କ ବିଭିନ୍ନ ଦୁର୍ନୀତି ବିଷୟ ଲୋକଲୋଚନାକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି । ତାଙ୍କୁ ଯେଉଁମାନେ ବିରୋଧ କରୁଥିଲେ ସେହିମାନଙ୍କୁ ମୁଖ୍ୟତଃ ସେ, ଟାର୍ଗେଟକୁ ଆଣିଛନ୍ତି । ମନ୍ତ୍ରୀପ୍ରତାପ ଜେନାଙ୍କ ନିର୍ବାଚନମଣ୍ଡଳୀ ମାହାଙ୍ଗାରୁ ଡାକ୍ତର ରାଉତ ଆରମ୍ଭ କରିଥିବା ଅଭିଯାନ ଏଥର ନୟାଗଡ଼ରେ ପହଂଚିଥିଲା । ଆଉ ତାଙ୍କ ଶରବ୍ୟରେ ଥିଲେ ବିଧାୟକ ଅରୁଣ ସାହୁ । ପୂର୍ବରୁ ସେ ଅରୁଣଙ୍କ ନିର୍ବାଚନମଣ୍ଡଳୀକୁ ଯାଇ ତାଙ୍କ ଗୁମର ଖୋଲିବେ ବୋଲି ଘୋଷଣା କରିଥିଲେ । ତାଙ୍କ ବିରୋଧରେ ଯାଉଥିବା ଓ ତାଙ୍କୁ ସମାଲୋଚନା କରୁଥିବା ନେତା ଓ ବିଧାୟକଙ୍କ ଅଂଚଳକୁ ଯାଇ ସଭାସମିତି କରି ସେମାନଙ୍କ ବିରୋଧୀମାନଙ୍କୁ ସାହାସ ଦେବାପାଇଁ ଏବେ ଡାକ୍ତର ରାଉତ ଲାଗିଥିବା କୁହାଯାଉଛି । ଏହା ମାଧ୍ୟମରେ ପରୋକ୍ଷରେ ସେ ବିଜେଡି ନେତାମାନଙ୍କୁ ଡରାଇବା କାମ ଆରମ୍ଭ କରିଥିବା କୁହାଯାଉଛି । ଡାକ୍ତର ରାଉତ ଣାଇଦେବାକୁ ଚାହୁଁଛନ୍ତି ତାଙ୍କୁ ଯିଏ ବିରୋଧ କରିବ ସେ ଛାଡ଼ିବେ ନାହିଁ । କାରଣ ପ୍ରତାପ ଜେନାଙ୍କ ପରେ ବିଧାୟକ ସମୀର ରଂଜନ ଦାସ, କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖଙ୍କ ନିର୍ବାଚନମଣ୍ଡଳୀକୁ ଯାଇ ସେମାନଙ୍କ ବିରୋଧରେ ବିଷୋଦଗାର କରିସାରିଛନ୍ତି । ଏଥର ପାଳି ପଡ଼ିଲା ଅରୁଣଙ୍କର । କାରଣ ବାରିପଦାରେ ଡାକ୍ତର ରାଉତ ଯେଉଁ ସବାବେଶ କରିଥିଲେ ସେ କର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ରୁଣଙ୍କ ଇସାରାରେ ବୋଲି କୁହାଯାଉଥିଲା । ନିଜେ ଡାକ୍ତର ରାଉତ ମଧ୍ୟ ଏ ବିଷୟରେ ପରେ ଗଣମଧ୍ୟମରେ ପ୍ରକାଶ କରିଥିଲେ । ଏବେ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇ ପ୍ରତିଶୋଧ ନେଇଛନ୍ତି ।
ଶନିବାର ଅରୁଣଙ୍କ ନିର୍ବାଚନମଣ୍ଡଳୀ ନୟାଗଡ଼କୁ ଯାଇ ଡାକ୍ତର ରାଉତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନସମାବେଶକୁ ଉଦବୋଧନ ଦେଇଥିଲେ । ସରକାରଙ୍କୁ ସମାଲୋଚନା କରିବା ସହ ଅରୁଣ ପ୍ରତି କଟୁମନ୍ତବ୍ୟ ରଖିଥିଲେ । ସେ ସିଧାସଳଖ କହିଥିଲେ ନୟାଗଡ଼ ବାସି ପୋଷିଆ ପୁଅ ରଖି ହନ୍ତସନ୍ତ ହେଉଛନ୍ତି । ଅରୁଣ ସାହୁ ମନ୍ତ୍ରୀ ଥିଲା ବେଳେ ଦାରୁ ଫିକ୍ସି କରିଥିଲେ । ମୋତେ ବଡ଼ ଶତ୍ରୁ ଭାବେ ଗ୍ରହଣ କରି ଶତ୍ରୁନାଶ ପାଇଁ ପ୍ରସାନ୍ତ ବାବାଙ୍କୁ ନିଟକୁ ଯାଉଛନ୍ତି । ୨୦୧୦ ମସିହାରେ ଅରୁଣ ସାହୁ, ନିଜ କ୍ୱାର୍ଟରରେ ଛବି ବର୍ଦ୍ଧନକୁ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ ପାଇଁ ଏହାର ସାକ୍ଷୀକୁ ହ୍ୟା ଧମକ ଦେଇ ଅଟକାଇ ରଖିଛନ୍ତି । ନୟାଗଡ଼ ଜିଲ୍ଲାରେ ପାଣି ପଂଚାୟତକୁ ଅକାମୀ କରିବା ପାଇଁ ନିର୍ବାଚନ ନରିବା ପଛରେ ଅରୁଣ ହାତଥିବ । ଚିନିକଳ ବନ୍ଦ ହୋଇପଡିବା ଅରୁଣଙ୍କର ଅପରାଗଲା ପରିଚୟ ଦେଉଛି । ମୋତିଲାଲ ଗୌଡ଼ ସହ ଅରୁଣଙ୍କ ସମ୍ପୃକ୍ତି ଅଛି । ଚିଟଫଣ୍ଡ ଦୁର୍ନୀତିରେ ମଧ୍ୟ ଲିପ୍ତ ଅଛନ୍ତି । ଏପରି କି ବମିଖାଲରେ ଫ୍ଲାଏଓଭର ଯେଉଁ ସଂସ୍ଥା କରୁଛି ସେ କମ୍ପାନୀରେ ଅରୁଣଙ୍କ ଟଙ୍କା ଲାଗିଛି । ୧୦/୧୨ଟି ୧୦ ଚକିଆ ଗାଡ଼ି, ରାଇସ ମିଲ, କୁକୁଡ଼ା ଫାର୍ମ ଆଦି ଥିବା ବେଳେ ଏସବୁ ସେ ଅନ୍ୟମାନଙ୍କ ନାମରେ ରଖିଥିôବା ନେଇ ଡାକ୍ତର ରାଉତ ଅଭିଯୋଗ କରିଥିଲେ ।
ବିଜେଡି ପକ୍ଷରୁ ଡାକ୍ତର ରାଉତଙ୍କ ବାଟ ବନ୍ଦ କରିବା ପାଇଁ ଅନେକ ଉଦ୍ୟମ କରାଯାଇଛି । ଇତିମଧ୍ୟରେ କେତେକ ପଦକ୍ଷେପ ମଧ୍ୟ ଦଳୀୟ ନେତାମାନେ ଗ୍ରହଣ କରିଛନ୍ତି । ତାଙ୍କୁ ଡରାଇବା ପାଇଁ ଉଦ୍ୟମ ମଧ୍ୟ ହୋଇଛି । ହେଲେ ସେ ଡରି ନ ଯାଇ ପାଲଟା ଆକ୍ରମଣ କରିବାରେ ଲାଗିଛନ୍ତି । ତାଙ୍କ ପରାଦୀପ ନିର୍ବାଚନମଣ୍ଡଳୀରେ ଇତିମଧ୍ୟରେ ବିଜେଡି ୨ଟି ବଡ଼ଧରଣର ସମାବେଶ କରିସାରିଲାଣି । ତାଙ୍କ ସଭାରେ ଭଣ୍ଡୁର କରିବା ପାଇଁ ଉଦ୍ୟମ ମଧ୍ୟ କରାଗଲାଣି । ଏସବୁ ସତ୍ତେ୍ୱ ସେ ତାଙ୍କ ଅଭିଯାନ ଅବ୍ୟାହତ ରଖିଛନ୍ତି । କିନ୍ତୁ କେବେ ସେ ନୂଆ ଦଳ ଗଢ଼ିବେ ତାକୁ ଅପେକ୍ଷା ରହିଛି । କୁହାଯାଉଛି ଏହିଭଳି ବୁଲିବୁଲି ପ୍ରଚାର କରିବା ଦ୍ୱାରା କିଛି ଫାଇଦା ହେଇ ନ ପାରେ । ଦଳ ଗଢ଼ି ତା ମାଧ୍ୟମରେ କିଛି ଭୋଟ ଯଦି ବିଜେଡିର ଭାଙ୍ଗିପାରିବେ ତାହାହେଲେ ତାଙ୍କ ଲକ୍ଷ୍ୟ ହାସଲ ହୋଇପାରେ । ଦଳ ଗଢ଼ିବା ନେଇ ସେ ବାରମ୍ବାର ସମୟ ଓ ସୂଚନା ଦେଉଥିଲେ ମଧ୍ୟ ଏଯାଏଁ ସଫଳ ହୋଇନାହାଁନ୍ତି । ତାଙ୍କ ପାଖରେ ମଧ୍ୟ ସମୟ ଆଉ ଅଧିକ ନାହିଁ । ଯଦି ଦଳ ଗଢ଼ିବାର ଅଛି ସେଥିନେଇ ଯଦି ତୁରନ୍ତ ପଦକ୍ଷେପ ନ ନିଅନ୍ତି ତେବେ ଏହିଭଳି ବୁଲିବୁଲି ଖାଲି ପ୍ରଚାର କରିବା ସାର ହେବା ଛଡ଼ା ଏହାର ପ୍ରଭାବ ବିଶେଷ ଭାବରେ ଲୋକଙ୍କ ଉପରେ ପଡ଼ିବ ନାହିଁ ବୋଲି ଆଲୋଚନା ହେଉଛି ।