ଅମରଙ୍କ ବାଟ ରୋକିବେ ଖୋର୍ଦ୍ଧା ଜିଲ୍ଲାପାଳ!

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଜଣକ ପରେ ଜଣେ ପ୍ରଶାସନିକ ଅଧିକାରୀ ରାଜନୀତି ଆଡକୁ ମୁହାଁଉ ଥିବା ଦେଖାଯାଉଛି । ବିଶେଷ କରି ବିଜେଡିକୁ ଅଧିକ ପସନ୍ଦ କରୁଛନ୍ତି ବ୍ୟୁରୋକ୍ରାଟ । ଏବେ ଗଣମାଧ୍ୟମରେ ପ୍ରକାଶ ପାଇଛି କୁଆଡେ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଶଙ୍ଖ ଫୁଙ୍କିବାକୁ ଆଗ୍ରହୀ । ତାଙ୍କୁ ନେଇ ଯାହା ଆଲୋଚନା ହେଉଛି ତାହା ଯଦି ସତ ହୋଇଥାଏ ତେବେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ପାଇଁ ବଡ଼ ବିପଦ ଆଣିବ । ଶ୍ରୀ ମିଶ୍ର ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କୁହାଯାଉଛି । ଏନେଇ ବିଜେଡି ନେତୃବୃନ୍ଦ ଯୋଜନା ପ୍ରସ୍ତୁତ କରିଛନ୍ତି । ଏକଥା ହେଲେ ଆସନ୍ତା ନିର୍ବାଚନରେ ଅମରଙ୍କୁ ନିରଶ ହେବାକୁ ପଡ଼ିବ । ଏହା ଆଲୋଚନା ହେଉଛି ଯେ ଅମରଙ୍କ ପ୍ରତି ଆଉ ପୂର୍ବ ପରି ଦଳୀୟ ନୀତି ନିର୍ଦ୍ଧାରଣ କରୁଥିବା ନେତାମାନଙ୍କର ଭରସା ନାହିଁ ।
ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହ ଇତିମଧ୍ୟରେ ପ୍ରାରମ୍ଭିକ ଆଲୋଚନା କରାଯାଇଥିବା କଥା ମଧ୍ୟ କୁହାଯାଉଛି । ଓଏଏସ ଅଫିସରରୁ ଆଇଏସ ହୋଇଥିବା ଏହି ଅଧିକାରୀ ରାଜନୀତି ଆଡକୁ ମନ ବଳାଇବା ପରେ ତାଙ୍କୁ ବଡ଼ଚଣା ବିଧାନସଭା ଆସନ ଦିଆଯିବ ବୋଲି ସ୍ଥିର ହୋଇଛି । ସେ ପୂର୍ବରୁ କଟକ ଜିଲ୍ଲାପାଳ ଥିଲେ ଓ ଏବେ ଖୋର୍ଦ୍ଧା ଜିଲ୍ଲାପାଳ ଅଛନ୍ତି । ସରକାରଙ୍କ ବିଭିନ୍ନ ପଦ ପଦବୀରେ ରହି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବିଶ୍ୱସ୍ତ ଅଧିକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ଏହା ହୋଇନଥିଲେ ତାଙ୍କୁ କେବେ ହେଲେ ରାଜନୀତିକୁ ଆଣିବା ପାଇଁ ଚିନ୍ତା କରାଯାଇ ନଥାନ୍ତା । ପୂର୍ତ୍ତ ସଚିବ ନଳୀନ ପ୍ରଧାନ ମଧ୍ୟ ରାଜନୀତିକୁ ଆସିବେ । ତାଙ୍କୁ ନେଇ ମଧ୍ୟ ଢ଼େର ଦିନ ହେବ ଚର୍ଚ୍ଚା ଚାଲିଛି । ଶ୍ରୀ ମିଶ୍ର ୨୦୨୦ ଜୁଲାଇରେ ଅବସର ନେବେ । ଏଣୁ ତାଙ୍କ କାର୍ଯ୍ୟ ସମୟ ଆହୁରି ଦେଢ଼ ବର୍ଷରୁ ଊଦ୍ଧ୍ୱର୍ ରହିଛି । ଏଥିଲାଗି ତାଙ୍କୁ ରାଜନୀତିକୁ ଯିବାକୁ ହେଲେ ସ୍ୱେଚ୍ଛାକୃତ ଅବସର ନେବାକୁ ପଡ଼ିବ ।
ହଠାତ ବଡ଼ଚଣା ଆସନ ପାଇଁ ଦଳ ଜଣେ ଅଫିସରଙ୍କୁ ବାଛିବା ପଛରେ ଆଉ କିଛି ଅବୁଝା ରହୁନାହିଁ । ବୋଧହୁଏ ଅମରଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନିଜେ ସୁପ୍ରିମୋ ସନ୍ତୁଷ୍ଟ ନୁହଁନ୍ତି । କୁହାଯାଉଛି ଯେତେବେଳେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯାଇଥିଲା ସେ ସମୟରେ ଅମର ତାଙ୍କର କ୍ଷୋଭ ଖୋଲାଖୋଲି ପ୍ରକାଶ କରିଥିଲେ । ସେ ଏକ ପ୍ରକାର ଦଳ ବିରୋଧରେ ମତ ରଖି ବିଦ୍ରୋହୀ ସାଜିଥିଲେ । ଜିଲ୍ଲାର ଅନ୍ୟ ବିଧାୟକମାନଙ୍କୁ ଏକଜୁଟ କରିବାକୁା ଲାଗିଥିଲେ । ସେତେବେଳେ ପରିସ୍ଥିତି ଯାହା ଥିଲା ଦଳ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ମନେ କରାଯାଇନଥିଲା । ଚତୁରତାର ସହ ଦଳୀୟ ଅସନ୍ତୋଷକୁ ଏଡ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା । ତାଙ୍କର ଅସନ୍ତୋଷକୁ ପ୍ରସମିତ କରିବା ପାଇଁ ତାଙ୍କୁ ସରକାରୀ ଦଳର ମୁଖ୍ୟ ସଚେତକ କରାଗଲା । ଦଳର ମୁଖ୍ୟପାତ୍ର ମଧ୍ୟ ରହିଲେ । କିନ୍ତୁ ସେ ବିଦ୍ରୋହୀ ସାଜିଥିବାରୁ ତାଙ୍କୁ ଆଉ ଦଳ ଭରସା କରିପାରୁ ନାହିଁ । ଆସନ୍ତା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ ନକରିବା ନେଇ ଲକ୍ଷ୍ୟ ରଖାଯାଇଥିବାରୁ ସେଥିଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଆଲୋଚନା ହେଉଛି । ନିକଟରେ ତାଙ୍କୁ ଦଳର ମୁଖପାତ୍ର ପଦବୀରୁ ହଟେଇ ଦିଆଗଲା । ଏକଥା ଦଳୀୟ ମହଲରେ ଆଲୋଚନା ହେଉଛି ଯେ, ମୁଖପାତ୍ର ଥିବା ସମୟରେ ସେ ଯେଉଁଭଳି ଭାବରେ ବିରୋଧୀଙ୍କୁ ମୁକାବିଲା କରି ସରକାରଙ୍କୁ ସୁରକ୍ଷା ଦେବା କଥା ସେପରି କାର୍ଯ୍ୟ କଲେ ନାହିଁ । କେବଳ ରକ୍ଷାଣତ୍ମକ ଢ଼ଙ୍ଗରେ ବକ୍ତବ୍ୟ ରଖି ପ୍ରସଙ୍ଗରୁ ଏଡାଇ ଯାଉଥିଲେ । ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ତାଙ୍କ ସ୍ଥାନରେ ଅନ୍ୟ ବ୍ୟକ୍ତିଙ୍କୁ ଛିଡ଼ା କରାଯାଇବା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି । ସେଥିପାଇଁ କାହାକୁ ପ୍ରାର୍ଥୀ କରାଗଲେ ସଫଳତା ମିଳିବ ସେଥି ନେଇ ଜଣେ ନୂଆ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାକୁ ଦଳ ସ୍ଥିର କରିବା ପରେ ଏହି ଅଞ୍ଚଳର ହୋଇଥିବା ଖୋର୍ଦ୍ଧ ଜିଲ୍ଲାପାଳଙ୍କୁ ବଛା ଯାଇଛି ବୋଲି କୁହାଯାଉଛି ।
ହେଲେ ଏକଥାକୁ ଅନେକ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି । କାରଣ ୨୦୦୯ରେ ଯେତେବେଳେ ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାଡ଼ି ଦେଇଥିଲେ ସେତେବେଳେ ଦଳର ସ୍ଥିତି ଠିକ ନଥିଲା । ସେ ସମୟରେ ଅମର ତାଙ୍କର ପରମ ସହଯୋଗୀ ବିଜୟ ମହାପାତ୍ରଙ୍କୁ ଛାଡ଼ି ଏନସିପିର ୪ ବିଧାୟକଙ୍କୁ ଧରି ନବୀନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ । ଅମର ମଧ୍ୟ ତାଙ୍କ ନିର୍ବାଚନମଣ୍ଡଳୀରେ ଏତଟା ଲୋକପ୍ରିୟତା ହରାଇ ନଥିବା କଥା କୁହାଯାଉଛି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here