ବୈଜୟନ୍ତଙ୍କ ବିରୋଧରେ ଟିକସ ଫାଙ୍କି ଅଭିଯୋଗ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର : ବିଜେଡିର ପୂର୍ବତନ ସାଂସଦ ତଥା ଶିଳ୍ପପତି ବୈଜୟନ୍ତ ପଣ୍ଡା ଏବେ ଆୟକର ବିଭାଗର ସ୍କାନରରେ । ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡା ଓ ସହଯୋଗୀ ମଞ୍ଜୁଳା ଦେବୀ ସରଫ ବିଦେଶରେ ଏକ ସେଲ କମ୍ପାନୀ ମାଧ୍ୟମରେ ୧୭.୭୨ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଓ ଟିକସ ଫାଙ୍କିଥିବାର ଅଭିଯୋଗ ହୋଇଛି ।
ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଖବରକୁ ନେଇ ଏବେ ରାଜଧାନୀରେ ଜୋରଦାର ଚର୍ଚ୍ଚା ଚାଲିଛି । ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ ଆଲୋଚନା କରାଯାଉଛି । କିନ୍ତୁ ବୈଜୟନ୍ତ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।
ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ, ଚଳିତବର୍ଷ ଜାନୁୟାରୀ ମାସରେ ଆୟକର ବିଭାଗକୁ ମିଳିଥିବା ଏକ ଅଭିଯୋଗରେ ଦାବି କରାଯାଇଛି ଯେ ଶ୍ରୀ ପଣ୍ଡା, ତାଙ୍କ ପତ୍ନୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ମଞ୍ଜୁଳା ଦେବୀ ପ୍ରିଭେନ୍ସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ , ବ୍ଲାକ ମନି ଆକ୍ଟ ଓ ଇନକମ ଟ୍ୟାକ୍ସ ଆକ୍ଟ ଆଦିର ଉଲ୍ଲଘଂନ କରି ଏକ ସେଲ୍ କମ୍ପାନୀ ମାଧ୍ୟମରେ ଏହି ଟିକସ ଫାଙ୍କିଛନ୍ତି । ଭାରତ ବାହାରୁ କୌଣସି ଉପଯୁକ୍ତ ଆୟର ସ୍ରୋତ ନଜଣାଇ ଓ ପରେ ତାକୁ ବିଦେଶୀ ପୁଞ୍ଜିନିବେଶ ଭାବେ ପରିବର୍ତ୍ତନ କରି ସେହି ଶେୟାରକୁ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀଙ୍କୁ କମ ଦରରେ ହସ୍ତାନ୍ତର କରାଯାଇଛି । ଏହି ହସ୍ତାନ୍ତର ହୋଇଥିବା ଶେୟାରର ମୂଲ୍ୟ ପ୍ରାୟ ୧୭.୭୨ କୋଟି ଟଙ୍କା ହେବ । ତଥ୍ୟ ଅନୁସାରେ ବାହାମାସ କମ୍ପାନୀ ରେଜିଷ୍ଟ୍ରାରଙ୍କ ପାଖରେ ପଞ୍ଜିକୃତ ହୋଇଥିବା କମ୍ପାନୀ ଯଥା ଫିନଲେ କର୍ପୋରେସନ ଲିଃ, ମେସିନା କର୍ପୋରେସନ ଲିଃ ଓ ପିକିକା ଲିଃ ଯଥାକ୍ରମେ ୧୯୯୩ ଜୁନ୍ , ୧୯୯୫ ଜାନୁୟାରୀ ଓ ୨୦୦୩ ମାର୍ଚ୍ଚ ମାସରେ କର୍ପୋରେଟ ସର୍ଭିସେସ୍ ଇଣ୍ଟରନ୍ୟାସନାଲ ଲିଃର ଏଜେଣ୍ଟଙ୍କ ମାଧ୍ୟମରେ ପଞ୍ଜିକରଣ ହୋଇଥିଲା । ଏହି ସମସ୍ତ କମ୍ପାନୀର ଠିକଣା ବାହାମାସର ରାଜଧାନୀ ନାସାଉ ଥିଲା । ଏହି କମ୍ପାନୀରେ ଛଦ୍ମ ଅଫିସ କର୍ମକର୍ତ୍ତାଙ୍କ ନାଁ ରହିଥିଲା । ରେକର୍ଡରେ ଉଲ୍ଲେଖ ଅଛି ଯେ, ଦିଲ୍ଲୀ ଠିକଣାରେ ମଞ୍ଜୁଳା ଦେବୀ ସରଫଙ୍କ ନାଁ ରହିଥିଲା ଯେକି ଫିନଲେ ଓ ମେସିନା କମ୍ପାନୀରେ ଯଥାକ୍ରମେ ୧୯୯୪ ଜୁଲାଇ ଓ ୧୯୯୫ ଜାନୁୟାରୀ ପର୍ଯ୍ୟନ୍ତ ପାୱାର ଅଫ ଆଟର୍ଣ୍ଣିଂ ରଖିଥିଲେ । ଓଡ଼ିଶାର ରାଜପରିବାରର ସଦସ୍ୟ ମଞ୍ଜୁଳା ଦେବୀ କାଲୋରେକ୍ସ ଗ୍ରୁପ୍ର ସିଇଓ ଅଛନ୍ତି ଓ ଗୁଜୁରାଟରେ ଏକ ସ୍କୁଲ ଚଳାଉଛନ୍ତି । ସେ ମଧ୍ୟ କିଷନଗଡ଼ ଏନଭଣ୍ଣମେଣ୍ଟାଲ ଡେଭଲପମେଟ ଆକ୍ସନ ପ୍ରାଃ ଲିଃ ଏବଂ ଓଡ଼ିଶା ଟେଲିଭିଜନ ଲିଃରେ ଜଗି ମଙ୍ଗତ ପଣ୍ଡାଙ୍କ ସହ ନିର୍ଦ୍ଦେଶକମଣ୍ଡଳୀରେ ରହିଛନ୍ତି । ସେ ମଧ୍ୟ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ଓରଟେଲ କମ୍ପ୍ୟୁନିକେସନ ଲିଃରେ ୧୯୯୮ରୁ ୨୦୦୩ ମସିହା ପର୍ଯ୍ୟନ୍ତ ନିର୍ଦ୍ଦେଶକ ଥିଲେ । ଏହି ଓରଟେଲ କମ୍ପାନୀ ଏବେ ଦେବାଳିଆ ଘୋଷଣା ହେବା ପ୍ରକ୍ରିୟାରେ ରହିଛି । ୧୯୯୫ରୁ ୨୦୦୭ ମସିହା ମଧ୍ୟରେ ବାହାମାସରେ ଥିବା ଫିନଲେ, ମେସିନା ଓ ପିକିକା ନାମକ ୩ଟି କମ୍ପାନୀ ପ୍ରତ୍ୟକ୍ଷ ଭାବେ ଭାରତରେ ଥିବା ନିଜର ସହଯୋଗ କମ୍ପାନୀ ମେସର୍ସ ଟେଲିକମ୍ ଲିଃ ଓ କାଲରୋକ୍ସ ହୋଲଡିଂ ପ୍ରାଃ ମାଧ୍ୟମରେ ଓରଟେଲରେ ମୋଟ ୧୭.୭୨ କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି । ଏହା କେବଳ ଶେୟାରରେ ନୁହେଁ ବରଂ ଋଣ ଆକାରରେ ମଧ୍ୟ ନିବେଶ ହୋଇଛି । ଏହି ଦୁଇଟି କମ୍ପାନୀ ମେସର୍ସ ଟେଲିକମ ଓ କାଲରୋକ୍ସରେ ମଞ୍ଜୁଳା ଦେବୀ ନିର୍ଦ୍ଦେଶକ ଥିଲେ । ପଣ୍ଡା ପରିବାର ଓରଟେଲର ୯.୪୬ କୋଟି ଟଙ୍କାର ଶେୟାରକୁ ବାହାମାସରେ ଥିବା ୩ଟି କମ୍ପାନୀ ଓ ଭାରତରେ ଥିବା ସହଯୋଗୀ କମ୍ପାନୀ ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଃ ଲିଃ ଏବଂ ମେଟ୍ରୋ ସ୍କାଏନେଟ ଲିଃ ମାଧ୍ୟମରେ ମାତ୍ର ୧.୬୮ କୋଟି ଟଙ୍କା ନଗଦ ଆକାରରେ ଅଧିଗ୍ରହଣ କରିଥିଲେ । ତା’ପରେ ଫିନଲେ କମ୍ପାନୀ ନାଁରେ ଥିବା ଶେୟାରକୁ ୨୦୧୦ ଡିସେମ୍ବର ମାସରେ ଓଡ଼ିଶା ଟେଲିଭିଜନ ଲିଃକୁ ଆବଣ୍ଟିତ ହୋଇଥିଲା । ସେତେବେଳେ ଓଡ଼ିଶା ଟେଲିଭିଜନ ଲିଃରେ ମଞ୍ଜୁଳା ଦେବୀ ଓ ଜଗି ମଙ୍ଗତ ପଣ୍ଡା ନିର୍ଦ୍ଦେଶକ ଥିଲେ । ପିକିକା କମ୍ପାନୀ ୨୦୧୧ ଜୁଲାଇ ଓ ମେସିନା କମ୍ପାନୀ ୨୦୧୩ ଫେବୃୟାରୀରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ବୈଜୟନ୍ତଙ୍କ ମତ

ଏ ସମ୍ପର୍କରେ ଏକ ଇ-ମେଲରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ଯେଉଁ ଦେଣନେଣ କଥା ଉଲ୍ଲେଖ କରାଯାଉଛି ତାହା ଦୁଇ ଦଶନ୍ଧି ପୁରୁଣା । ସେତେବେଳେ ପ୍ରଚଳିତ ଥିବା ଆଇନ ଓ ନିୟମ ଅନୁସାରେ ତାହା ହୋଇଥିଲା ଏବଂ ତାକୁ ଆବଶ୍ୟକ ସରକାରୀ ଅନୁମୋଦନ ମଧ୍ୟ ମିଳିଥିଲା । ମୋ’ ପରିବାର ଓ ମୋ’ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ନେଇ ମୁଁ ମର୍ମାହତ ଓ ନୈରାଶ୍ୟ ବ୍ୟକ୍ତ କରୁଛି, ଯାହା ଆପଣ ନିଜର ଇ-ମେଲରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହାକୁ ନେଇ ମୁଁ ଆଶ୍ଚର୍ଯ୍ୟ ହେଉନି । ଯେହେତୁ ଆପଣ କିଏ ଅଭିଯୋଗ କରିଛନ୍ତି ସେ ନେଇ କୌଣସି ସଙ୍କେତ ଦେଇନାହାନ୍ତି ତଥାପି ଏହା ଗତ ବହୁ ବର୍ଷ ଧରି ଏକ ପରମ୍ପରା ପାଲଟିଗଲାଣି, ଯାହାକି ଠିକ୍ ନିର୍ବାଚନ ପୂର୍ବରୁ ଆସିଥାଏ । ଅବା ଯେତେବେଳେ ମୁଁ କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ପୋଷଣ କରେ, ଯାହାକି କିଛି ନ୍ୟସ୍ତସ୍ୱାର୍ଥଙ୍କ ବିରୁଦ୍ଧରେ ହୋଇଥାଏ । ସେତେବେଳେ ଏଭଳି ଅଭିଯୋଗ ମୋ’ ବିରୁଦ୍ଧରେ ନିୟମିତ ଆସିବା ଆରମ୍ଭ ହୋଇଥାଏ । କିଛିବର୍ଷ ଧରି ମୋ’ର ସମ୍ମାନକୁ ଧୂମିଳ କରିବାକୁ ହେଉଥିବା ଏଭଳି ସମସ୍ତ ପ୍ରୟାସକୁ ମୁଁ ନିଜର ୱେବସାଇଟରେ ପୋଷ୍ଟ ମାଧ୍ୟମରେ ଖଣ୍ଡନ କରିଆସିଛି ।ସେହିପରି ମଞ୍ଜୁଳା ଦେବୀ କହିଛନ୍ତି ଯେ “ସେ ପାୱାର ଅଫ୍ ଆଟର୍ଣ୍ଣିଂ ଧାରୀ ହୋଇଥିବାରୁ ତାଙ୍କର ସଂସ୍ଥା ଉପରେ କୌଣସି ନିୟନ୍ତ୍ରଣ ନାହିଁ ଓ ସେ କୌଣସି ଦେଣନେଣରେ ଲାଭାର୍ଥୀ ମଧ୍ୟ ନୁହଁନ୍ତି ।