You are here
Home > ପଲିଟିକ୍ସ > ତାରା ଆଉଟ୍‍, ସଗରିଆ ଇନ୍‍

ତାରା ଆଉଟ୍‍, ସଗରିଆ ଇନ୍‍

ଭୁବନେଶ୍ୱର : କଂଗ୍ରେସର କୋରାପୁଟ ଜିଲ୍ଲା ରାଜନୀତି ସରଗରମ ହେବାରେ ଲାଗିଛି । କଂଗ୍ରେସ ଭିତରେ ବି ଏହି ଘଟଣା ବେଶ୍ ଆଲୋଚ୍ୟର ବିଷୟ ହୋଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ମଧ୍ୟରେ ବିବାଦ ଏବେ ଚରମସୀମାରେ ପହଞ୍ଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦୃଢ଼ ଭାବେ ସମର୍ଥନ କରୁଥିବା ତାରା ଅଡୁଆରେ ପଡ଼ିଥିଲା ବେଳେ ନିରଞ୍ଜନଙ୍କୁ ଘୋର ବିରୋଧ କରୁଥିବା କୃଷ୍ଣଚନ୍ଦ୍ର ସଗରିଆ ଏବେ ବେଶ୍ ଆରାମରେ ଅଛନ୍ତି । ନିରଞ୍ଜନଙ୍କୁ ସମର୍ଥନ କରି ତାରା “ଆଉଟ୍” ହୋଇଥିଲା ବେଳେ ବିରୋଧ କରି ସଗରିଆ “ଇନ୍” ହୋଇଛନ୍ତି ।
ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ବେଳେ ତାଙ୍କୁ ବିରୋଧ କରି ତାରା ଅନେକ ବିବୃତ୍ତି ଦେଇଥିଲେ । ପ୍ରସାଦଙ୍କୁ ହଟାଇ ନିରଞ୍ଜନଙ୍କୁ ସଭାପତି କରିବା ପାଇଁ ତାରା ଓକିଲାତି କରିଥିଲେ । ଯେତେବେଳେ ପ୍ରସାଦ ହଟିବା ଆଶା କ୍ରମେ ମଉଳିବା ଆରମ୍ଭ କଲା, ସେତେବେଳେ ତାରାଙ୍କ ପ୍ରତି ବିପଦ ଆସିିଲା ବୋଲି କୁହାଗଲା । ସଭାପତି ବଦଳିବା ବିଳମ୍ବ ହେବାରୁ ଚର୍ଚ୍ଚା ହେଲା ପ୍ରସାଦ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବ । ପ୍ରସାଦଙ୍କୁ କେହି ହଟାଇ ପାରିବେ ନାହିଁ ବୋଲି ତାଙ୍କ ସମର୍ଥକମାନେ ପ୍ରଚାର କଲେ । ପ୍ରସାଦଙ୍କ ଶ୍ୱଶୂର ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ସିଧା ସଳଖ ତାରାଙ୍କୁ ଟାର୍ଗେଟ୍ କରି ସମାଲୋଚନା କଲେ । ତାଙ୍କୁ ଦୁଇ ଟଙ୍କିଆ ବିଧାୟକ ଭାବେ ତାତ୍ସଲ୍ୟ କଲେ ଏବଂ ପ୍ରସାଦଙ୍କ ବିରୋଧରେ ଗଲେ କାହାରିକୁ ଛାଡ଼ିବୁ ନାହିଁ ମଧ୍ୟ ଶ୍ରୀ ରାଉତରାୟ ଖୋଲାଖୋଲି କହିଲେ । ହଠାତ୍ ସଭାପତି ବଦଳିଲେ ଏବଂ ନିରଞ୍ଜନଙ୍କ ମୁଣ୍ଡରେ ହିଁ ଶିରିପା ବନ୍ଧା ହେଲା । ସେତେବେଳେ ତାରା ଆଶ୍ୱସ୍ତ ଅନୁଭବ କଲେ । କିନ୍ତୁ ତାରା ଯାହା ଭାବିଥିଲେ ତାହା ଏବେ ବିପରୀତ ହେବାରେ ଲାଗିଛି । ନିରଞ୍ଜନ ଆସିବା ପରେ ତାରାଙ୍କ ସମସ୍ୟା ବଢ଼ିଯାଇଛି । ଜିଲ୍ଲା କଂଗ୍ରେସରେ ସେ ଘୋର ବିରୋଧର ସମ୍ମୁଖୀନ ହେଉଛନ୍ତି । ନିରଞ୍ଜନଙ୍କୁ ଯେଉଁମାନେ ବିରୋଧ କରୁଥିଲେ ସେମାନେ ଏବେ ଜିଲ୍ଲା ରାଜନୀତିରେ ହଠାତ୍ ସକ୍ରିୟ ହୋଇ ଉଠିଛନ୍ତି ।
ପିସିସି ସଭାପତି ବଦଳିବା ନେଇ ଯେତେବେଳେ ଚାପ ଜୋର୍ ବଢ଼ିଲା ସେତେବେଳେ ରାହୁଲ ଗାନ୍ଧି ବର୍ତ୍ତମାନର ପ୍ରଭାରୀ ଜିତେନ୍ଦ୍ର ପ୍ରସାଦ ସିଂଙ୍କ ନେତୃତ୍ୱରେ ଏକ ୩ ଜଣିଆ କମିଟି ଦଳୀୟ ନେତା ଓ କର୍ମୀଙ୍କ ମତାମତ ସଂଗ୍ରହ କରିବା ପାଇଁ ଓଡ଼ିଶା ପଠାଇଥିଲେ । ଜିତେନ୍ଦ୍ର ସିଂ ବିଧାୟକମାନଙ୍କୁ ଭେଟିଥିଲେ । ବିଧାୟକମାନେ ମିଳିତ ଭାବେ କମିଟିକୁ ଭେଟି ନିରଞ୍ଜନଙ୍କ ସପକ୍ଷରେ ସେମାନଙ୍କ ମତ ରଖିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲାର ଦୁଇ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ କୈଳାସ କୁଲେସିକା ପ୍ରଭାରୀଙ୍କୁ ସ୍ୱତନ୍ତ୍ର ଭାବେ ଭେଟି ସେମାନେ ନିରଞ୍ଜନଙ୍କ ସପକ୍ଷରେ ନାହାନ୍ତି ବୋଲି କହିଥିଲେ । ସେମାନେ ବାଧ୍ୟବାଧକତାରେ ନିରଞ୍ଜନଙ୍କ ନାଁ କହିଥିଲେ ବୋଲି ଜଣାଇଥିଲେ । ଏପରିକି ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟି ସଗରିଆ ନିରଞ୍ଜନଙ୍କ ବିରୋଧରେ କହିଥିଲେ ।
ଏବେ ଦେଖାଯାଉଛି ବିଧାୟକ ସଗରିଆ ଓ କୁଲେସିକା ପିସିସିର ଅଧିକ ନିକଟତର ହୋଇଛନ୍ତି । ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ହେଲା ପରେ ଏହି ଦୁଇ ବିଧାୟକଙ୍କୁ ଧରି ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ ଚଳାଇଛନ୍ତି । ତାରାଙ୍କୁ ଏକପ୍ରକାର ଆଉଟ୍ କରି ଦେଇଛନ୍ତି । ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ପୁଣି କୋରାପୁଟ ଜିଲ୍ଲା ସଭାପତି କରାଯାଇଥିଲେ ମଧ୍ୟ ଏକାଧିକ କାର୍ଯ୍ୟକାରୀ ସଭାପତି ରଖାଯାଇଛି । କିନ୍ତୁ ଯେଉଁମାନେ ତାରାଙ୍କ ବିରୋଧୀ ସେହିମାନଙ୍କୁ ହିଁ କାର୍ଯ୍ୟକାରୀ ସଭାପତି ଭାବେ ନିଆଯାଇଛି ।
ନିକଟରେ କୋରାପୁଟ ଯୁବ କଂଗ୍ରେସ ବ୍ୟାନରରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ତାରା କିମ୍ବା ତାଙ୍କ ପତ୍ନୀ ମିନାକ୍ଷୀଙ୍କୁ ସାମିଲ କରାଯାଇ ନଥିଲା । ଉଭୟ ଏଠୁ ଦୂରେଇ ରହିଥିଲେ । କାର୍ଯ୍ୟକାରୀ ସଭାପତି ହେଲା ପରେ ପ୍ରଦୀପ ଜିଲ୍ଲାର ସବୁ ବିଧାୟକ ଓ ନେତାଙ୍କୁ ଏକାଠି କରି କାର୍ଯ୍ୟ କରିବା କଥା । କିନ୍ତୁ ସେ ମଧ୍ୟ ଜିଲ୍ଲା ଭିତରେ ଏହି ଦଳୀୟ ବିଭାଜନକୁ ପ୍ରୋତ୍ସାହିତ କରି ତାରା ବିରୋଧୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜିଲ୍ଲା ଭିତରେ ବର୍ତ୍ତମାନ ଶ୍ରୀ ମାଝି ଦୁଇ ବିଧାୟକ ସଗରିଆ ଓ କୁଲେସିକାଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାଥୀରେ ନେଉଛନ୍ତି । ନିରଞ୍ଜନ ସଭାପତି ହେବା ପରେ ତାରା ଯେଉଁ ଭଳି ଭାବରେ ଅଧିକ ସକ୍ରିୟ ଓ ଦକ୍ଷ ହେବା କଥା ତାହା ଦେଖାଯାଉନାହିଁ । କଂଗ୍ରେସର ସବୁ ନେତା ଓ କର୍ମୀ ଏବଂ ସବୁ ରାଜନୀତି ଦଳର ନେତା ଚାହିଁଛନ୍ତି ନିରଞ୍ଜନଙ୍କ ସପକ୍ଷରେ ତାରା ଖୁଲମ୍ଖୁଲା ଭାବେ କିଭଳି ଅଣ୍ଟା ଭିଡ଼ି ବାହାରିଥିଲେ ।
ତାରାଙ୍କ ବିରୋଧରେ ସଗରିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ପିସିସି ଓ ଏଆଇସିସିକୁ ଚିଠି ଲେଖିଛନ୍ତି । କାର୍ଯ୍ୟାନୁଷ୍ଠାନ ନ ହେଲେ ଦଳ ଓ ବିଧାୟକ ପଦ ଛାଡ଼ିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ସଗରିଆଙ୍କ ଧର୍ମ ପରିବର୍ତ୍ତନ ନେଇ ତାରା କୌଣସି ମନ୍ତବ୍ୟ ଦେଇ ନାହାନ୍ତି । କିନ୍ତୁ ସଗରିଆଙ୍କ ଜାତି ପରିବର୍ତ୍ତନ ନେଇ ଯେଉଁମାନେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ସେମାନଙ୍କୁ ତାରା ସମର୍ଥନ କରୁଥିବା ନେଇ ଅଭିଯୋଗ ସେ କରିଛନ୍ତି । ଏ କ୍ଷେତ୍ରରେ ନିରଞ୍ଜନ ତଦନ୍ତ ପାଇଁ ତିନିଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି । ଅନ୍ୟପଟେ ତାରାଙ୍କ ପତ୍ନୀ ପୁଣି ଜିଲ୍ଲା ସଭାପତି ହେଲା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ହୋଇଥିଲା ସେଠାକୁ ପ୍ରଦୀପ ମାଝୀ କିମ୍ବା ସଗରିଆ ଓ କୁଲେସିକା କେହି ଆସି ନଥିଲେ । ଏପରିକିି ନୂତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମଧ୍ୟ ଯୋଗ ଦେଇ ନଥିଲେ । ଏସବୁ ଘଟଣାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମାଧାନ କରିବା ପାଇଁ ପଦକ୍ଷେପ ନେବାର ଆବଶ୍ୟକ ରହିଛି । କିନ୍ତୁ କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝି ତାରାଙ୍କ ବିରୋଧୀମାନଙ୍କୁ ସମର୍ଥନ କରୁଥିବାରୁ ନିରଞ୍ଜନଙ୍କ ପାଇଁ ମଧ୍ୟ ଅଡୁଆ ଆଣିଛି । ଏବେ ଦଳ ମଧ୍ୟରେ ଚର୍ଚ୍ଚା ହେଉଛି ତାରା “ଆଉଟ୍”, ସଗରିଆ “ଇନ୍” ।
କୁହାଯାଉଛି କୋରାପୁଟ ଜିଲ୍ଲାରେ ତାରା ବାହିନୀପତିଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ତୁଳନାରେ ଢ଼େର ଅଧିକ । ତାଙ୍କୁ ବାଦ୍ ଦେଇ କଂଗ୍ରେସ ରାଜନୀତି ଜିଲ୍ଲାରେ କରିବା ସମ୍ଭବ ନୁହେଁ । ଅତିତରେ ଏହାର ପରୀକ୍ଷା ହୋଇଛି । ୨୦୦୯ରେ ତାରାଙ୍କୁ କଂଗ୍ରେସ ଟିକେଟ ଦେଇ ନଥିଲା । ସେତେବେଳେ କଂଗ୍ରେସରରେ ଆଦିବାସୀ ନେତା ଗିରିଧର ଗମାଙ୍ଗ ବେଶ୍ ପ୍ରଭାବଶାୀଳ ଥିଲେ । ତାଙ୍କ ଚାପ ଫଳରେ ଏଆଇସିସି ସେ ସମୟରେ ସବୁବିଧାୟକଙ୍କୁ ପୁଣି ଥରେ ଲଢ଼ିବାପାଇଁ ସୁଯୋଗ ଦେଇଥିôବା ବେଳେ କେବଳ ତାରାଙ୍କୁ ଗମାଙ୍ଗଙ୍କ ପାଇଁ ବାଦ୍ ଦେଇଥିଲା । ଜୟପୁରରେ ତାରାଙ୍କ ବଦଳରେ ଗମାଙ୍ଗ ତାଙ୍କ ଡ୍ରାଇଭରଙ୍କୁ ଛିଡ଼ା କରାଇଥିଲେ । ସେହି ନିର୍ବାଚନରେ ଗମାଙ୍ଗ ଲୋକସଭାରୁ ନିଜେ ହାରିଲେ, ତାଙ୍କ ପତ୍ନୀ ବିଧାନସଭାରୁ ବି ହାରିଥିଲେ । ଆଉ ଡ୍ରାଇଭର ବି ହାରିଲେ । ଏଣୁ ତାରାଙ୍କୁ ବାଦ୍ଦେଲେ କଂଗ୍ରେସ ସେଠାରେ ଆଗେଇପାରିବ ନାହିଁ ବୋଲି ଆଲୋଚନା ହୁଏ ।

Loading...
ONA

Leave a Reply

Top