କୋରାପୁଟ ଜିଲ୍ଲା ରାଜନୀତି: ତାରା-ରବି ମୁହାଁମୁହିଁ

ଭୁବନେଶ୍ୱର, ୧୩ା୦୬ା୨୦୧୮: କୋରାପୁଟ ଜିଲ୍ଲା ରାଜନୀତିରେ ବିଜେଡି ଓ କଂଗ୍ରେସର ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଥାନ୍ତି । ପରସ୍ପର ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ କରିଥାନ୍ତି । ଏବେ କୋରାପୁଟ ଜିଲ୍ଲାରେ ହୋଇଥିବା ପଥର ଧସିବା ଘଟଣାକୁ ନେଇ ପୁଣି ବିଜେଡି ନେତା ରବି ନାରାୟଣ ନନ୍ଦ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ତାରା ଡିଡି ବିଲଡର୍ସ ଘଟଣାରେ ରବିଙ୍କୁ ଦାୟୀ କରିଥିଲା ବେଳେ ରବି ମଧ୍ୟ ପାଲଟା ଦୋଷାରୋପ କରିଛନ୍ତି । ଏ ପ୍ରସଙ୍ଗରେ ଦୁଇ ନେତାଙ୍କ କଳି ଜିଲ୍ଲା ରାଜନୀତିକୁ ତାଜା କରିଛି ।
ପାହାଡ଼ ଧସିବା ଘଟଣାରେ ଦୁଇ ଜଣ ଜେସିବି ଅପରେଟରଙ୍କର ମୃତ୍ୟୁ ଘଟିଛି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୧୫ ଦିନ ହେବ ଉଦ୍ୟମ ଜାରି ରହିଛି । ଶେଷରେ ଉଦ୍ଧାର କାର୍ଯ୍ୟରେ ସେନାର ସହାୟତା ନିଆଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶବ ଉଦ୍ଧାର ହୋଇପାରି ନାହିଁ । କେବଳ ଶବକୁ ଠାବ କରାଯାଇ ପାରିଛି । ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହେଉଛି । ଏହି ବ୍ଲାଷ୍ଟିଂ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଆନ୍ଧ୍ର ପ୍ରଦେଶର ଡିଡି ବିଲଡର୍ସକୁ ରାଜ୍ୟ ସରକାର ଦେଇଛନ୍ତି । ବିନା ଅନୁମତିରେ ବ୍ଲାଷ୍ଟିଂ କରାଯାଇଥିବା ନେଇ ଅଭିଯୋଗ ଉଠାଇବା ପରେ ଡିଡି ବିଲଡର୍ସ ପକ୍ଷରୁ ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହାକୁ ଖଣ୍ଡନ କରାଯାଇଥିଲା । ସଂସ୍ଥାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସ୍ଥାନୀୟ ଜୟପୁର ତହସିଲଦାର ଏହି ବ୍ଲାଷ୍ଟିଂ ପାଇଁ ଅନୁମତି ଦେଇଥିଲେ । ତହସିଲଦାରଙ୍କ ଅନୁମତି କଥା ପଦାକୁ ଆସିବା ପରେ ବିବାଦ ଦେଖାଦେଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ବିଜେଡି ନେତା ରବି ନନ୍ଦଙ୍କୁ ଏହି ବିବାଦ ମଧ୍ୟକୁ ଟାଣିଛନ୍ତି । ସଂପୃକ୍ତ ତହସିଲଦାରଙ୍କୁ ଆଣିବା ପଛରେ ରବି ନନ୍ଦଙ୍କ ହାତ ଥିବା କଥା ସେ ଅଭିଯୋଗ ଉଠାଇଛନ୍ତି ।
ତାରା କହିଛନ୍ତି, “ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଯେତେବେଳେ ତହସିଲଦାରଙ୍କ ବିଷୟରେ ପଚାରିଥିଲି ସେ ମୋତେ କହିଥିଲେ ରବି ବାବୁ ତହସିଲଦାରଙ୍କ ନାଁ ଦେଇଥିଲେ । ମୁଁ ଯେତେବେଳେ ମନ୍ତ୍ରୀଙ୍କୁ ପଚାରିଲି ଏ ତହସିଲଦାରଙ୍କୁ ନିଯୁକ୍ତ ଦେବା ପାଇଁ କିଏ କହିଥିଲା । ମନ୍ତ୍ରୀ କହିଥିଲେ ରବି ବାବୁ ଲେଖିକି ଦେଇଥିଲେ । ଜଣେ ତହସିଲଦାରଙ୍କ ଭୁଲ ପାଇଁ ଆଜି ରାଜ୍ୟକୁ କେଉଁଠୁ କେତେ ମିଲଟାରୀ ଆସୁଛନ୍ତି, ଅଫିସର ଆସୁଛନ୍ତି । ବର୍ଷା ହେଉଛି ହଜାର ହଜାର ଲୋକ ଅପେକ୍ଷା କରି ରହୁଛନ୍ତି । ଦୁଇଟି ଗରିବ ଓ ନିରୀହ ଅଳ୍ପ ବୟସର ଦୁଇଟି ପିଲା ଚାଲିଗଲେ । ସେମାନଙ୍କ ବୟସ ୨୪/୨୫ ବର୍ଷ ହେବ । ଏହି ଘଟଣାଦ୍ୱାରା ବହୁ କ୍ଷତି ହୋଇଛି । ତହସିଲଦାରଙ୍କୁ ସସ୍ପେଣ୍ଡ କରି ଗିରଫ କରିବାକୁ ମୁଁ ଦାବି କରୁଛି ।”
ରବି ନନ୍ଦ ତାରାଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲାବେଳେ ସେ ସଂପୃକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦେବା ପାଇଁ ଲେଖିକି ଦେଇ ନାହାନ୍ତି ବୋଲି ସିଧାସଳଖ ମତ ନରଖି କହିଛନ୍ତି, “ସରକାରୀ ଅଫିସରମାନେ ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ନିଯୁକ୍ତ ହୁଅନ୍ତି । କେହି କାହାକୁ ଆଣି ନଥାଏ । ନା ବିଧାୟକ ଆଣିଥାନ୍ତି ନା ଅନ୍ୟ କେହି ଆଣିଥାନ୍ତି । ଏଠି ଯେଉଁ ପଥର କୁଆରୀ କଥା ଉଠୁଛି ଏନ୍ଏମ୍ଡିସିପିକୁ ଯେଉଁ ପଥର ଫ୍ରଣ୍ଟଲାଇନ୍ ଜରିଆରେ ଯୋଗା ଯାଉଛି, ଏ ସଂସ୍ଥା କାହାର? ଏ ଫ୍ରଣ୍ଟଲାଇନକୁ କିଏ ଲିଜ୍ ଦେଇଛି । ସବୁଠାରୁ ବଡ଼ କୁଆରୀ କୋରାପୁଟ ଯେଉଁଠା ଚାଲିଛି ଫ୍ରଣ୍ଟଲାଇନଦ୍ୱାରା ଏହାକୁ ଜଗଦଲପୁରର ଜଣେ ରାଜନେତା ଓ କୋରାପୁଟ ଜିଲ୍ଲା କଂଗ୍ରେସ ଦଳର ରାଜନେତା ତାଙ୍କର ଯେଉଁ ସଂପୃକ୍ତି ରହିଛି ଏହା ତଦନ୍ତ ହେବା ଦରକାର । କିଏ ଏ କାମ କରୁଛି ତାହାର ତଦନ୍ତ ଜରୁରୀ । ନିଜେ କାଚ ଘରେ ରହି ଅନ୍ୟକୁ ଟେକା ପକାଇବାର କୌଣସି ଆବଶ୍ୟକତା ନାହିଁ ।”
ରବିଙ୍କ ଏହି ଅଭିଯୋଗର ଉତ୍ତର ରଖି ତାରା ତାଙ୍କୁ ପାଲଟା ଆହ୍ୱାନ ଜଣାଇଛନ୍ତି । ତାରା କହିଛନ୍ତି ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଯଦି ରବି ନନ୍ଦ ପ୍ରମାଣ କରିଦେବେ ତେବେ ସେ ରାଜନୀତିରୁ ସନ୍ୟାସ ନେଇ ଯିବେ । ଆଉ ଯଦି ପ୍ରମାଣ ନକରିପାରିବେ ତେବେ ରବି ନନ୍ଦ ରାଜନୀତି ଛାଡ଼ିବେ କି ବୋଲି ତାରା ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here