ବିରୋଧୀଙ୍କୁ ସୂର୍ଯ୍ୟଙ୍କ ଚାଲେଞ୍ଜ, ପ୍ରମାଣ ଦିଅ ସନ୍ନ୍ୟାସ ନେବି

ଭୁବନେଶ୍ୱର: ଚାଷୀଙ୍କୁ ଧାନର ସର୍ବନିମ୍ନ ସହାଯକ ମୂଲ୍ୟ ଯାହା ବର୍ତ୍ତମାନ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି ତାହା ମିଳୁନଥିବା ନେଇ ବିଜେପି ଓ କଂଗ୍ରେସ ଦାବୀ କରୁଛନ୍ତି | ବିଶେଷ କରି ବିଜେଡି ଧାନର ସହାୟକ ମୂଲ୍ୟ ଦାବୀରେ ଦିଲ୍ଲୀରେ ଧାରଣ ଦେବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟୁ ସମାଲୋଚନା କରି ଚାଷୀଙ୍କୁ ଧାର୍ଯ୍ୟ ମୂଲ୍ୟର ପ୍ରାପ୍ୟ ଦେଉନଥିବା ନେଇ ଆକ୍ଷେପ କରିଥିଲେ | ଧର୍ମେନ୍ଦ୍ର ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ସମାଲୋଚନା କରାଚାଲିଛନ୍ତି | ଏଥିରେ ଆଜି ସମାବାଯ ମନ୍ତ୍ରୀ ସୂର୍ଯ୍ୟନାରାଯଣ ପାତ୍ର ଜବାବ ଦେବାକୁ ଆଗେଇ ଆସିଛନ୍ତି | ଏପରିକି ଧାର୍ଯ୍ୟ ସହାଯକ ମୂଲ୍ୟ ଯଦି ଚାଷୀ ପାଉନଥିବେ ଏହାର ପ୍ରମାଣ ଦେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ବୋଲି ଆହ୍ୱାନ ଦେଇଛନ୍ତି | ଯାହାକୁ ନେଇ ରାଜନୀତି ଜୋରଧରିଛି | ସୂର୍ଯ୍ୟଙ୍କ ଏହି ଚାଲଞ୍ଜକୁ ଗ୍ରହଣ କରି ବିଜେପି କହିଛି ଏହାର ପ୍ରମାଣ ଅଛି |
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିରୋଧୀଙ୍କୁ ଚାଲେଞ୍ଜ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,“ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ମୁଁ ରାଜନୀତି ଛାଡ଼ିଦେବି ।” ଚଳିତବର୍ଷ ଧାନ ସଂଗ୍ରହର ସେ ହିସାବ ଦେଇଛନ୍ତି । ସେ କହିଛନ୍ତି, “ବିରୋଧୀଙ୍କ ନିକଟରେ ତଥ୍ୟ ନଥାଇ ଅଭିଯୋଗ କରୁଛନ୍ତି । ଚଳିତ ଖରିଫ୍ ଋତୁରେ ରାଜ୍ୟରେ ଧାନ ସଂଗ୍ରହର ପରିମାଣ ବଢ଼ିଛି। ୨୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନ୍ ଧାନ ଚଳିତ ଥର ସଂଗ୍ରହ ହୋଇଛି। ଯାହା ଗତବର୍ଷ ତୁଳନାରେ ପାଖାପାଖି ୧୮ ପ୍ରତିଶତ ଅଧିକ।” ସେ ଆହୁରି କହିଛନ୍ତି, ଗତବର୍ଷ ଅପେକ୍ଷା ୨ ଲକ୍ଷ ୨୨ ହଜାର ଚାଷୀ ଅଧିକ ପଞ୍ଜୀକୃତ ହୋଇଛନ୍ତି। ଗତ ଖରିଫ ଋତୁରେ ୧୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକୃତ ହୋଇଥିଲେ। ଏହାଛଡ଼ା ଧାନ ସଂଗ୍ରହ ପାଇଁ ମଣ୍ଡି ସଂଖ୍ୟା ମଧ୍ୟ ଚଳିତ ଥର ୨ ହଜାର ୯୨୯ରୁ ୩ ହଜାର ୧୩କୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମନ୍ତବ୍ୟଙ୍କ ଉପରେ ପ୍ରତିକ୍ରିଯା ରଖି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ମଣ୍ଡିରେ କମ୍ ଦାମରେ ଧାନ ବିକ୍ରି ହେଉଥିବା ନେଇ ଦଳ ନିକଟରେ ପ୍ରମାଣ ରହିଛି । ମନ୍ତ୍ରୀଙ୍କ ମନ୍ତବ୍ୟ ଚାଷୀଙ୍କ କଟା ଘାରେ ଚୂନ ସଦୃଶ୍ ବୋଲି ସେ କହିଛନ୍ତି ।