ପୁଲିସ ବୈଜୟନ୍ତଙ୍କ ୨ଟି ହିଲିକପ୍ଟରକୁ ଛାଡିଲା, ଗୋଟିଏ ଜବତକରି ରଖିଲା

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କର ଜବତ ହୋଇଥିବା ୩ଟି ହେଲିକପ୍ଟରରୁ ୨ଟି କୁ ଆଜି ଛାଡ଼ିଦେଇ ଗୋଟିଏକୁ ଜବତ କରି ରଖାଯାଇଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଉପରେ ବେଆଇନ୍ ଉଡାଣକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ(ଡିଜିସିଏ) କ୍ଲିନ୍ ଚିଟ୍ ଦେବା ପରେ ଆଜି ପୁରୀ ପୁଲିସ ଶ୍ରୀ ପଣ୍ଡାଙ୍କ ହ୍ୟାଙ୍ଗର ଖୋଲିଛି। ଦୀର୍ଘ ୪୨ ଦିନ ପରେ ପୁଲିସ ହ୍ୟାଙ୍ଗର ସିଲ୍ ଖୋଲି ଜବତ ହୋଇଥିବା ଇମ୍ଫାର ୩ଟି ହେଲିକପ୍ଟରରୁ ଦୁଇଟିକୁ ଛାଡି ଦେଇଛି । ତଥାପି ବି ପୁଲିସ ବୈଜୟନ୍ତଙ୍କ ଗୋଟିଏ ହେଲିକପ୍ଟରକୁ ସିଜ୍ କରି ରଖିଛି।

ଗତ ମାସ ୧୫ ତାରିଖରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର କମ ଉଚ୍ଚତାରେ ଉଡିବା ସହ ଅବତରଣ କରିବା ଅଭିଯୋଗ ହୋଇଥିଲା । ଏ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପୁରୀ ଅରଖକୁଦା ମେରାଇନ ଥାନାରେ ଏତଲା ଦେଇଥିଲା । ଏହି ଏତଲା ଆଧାରରେ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ହିଁ ପୁରୀ ପୋଲିସ ଭୁବନେଶ୍ୱର ଏୟାରପୋର୍ଟରେ ଥିବା ବୈଜୟନ୍ତଙ୍କ ହ୍ୟାଙ୍ଗର ସହ ୩ଟି ଯାକ ହେଲିକପ୍ଟରକୁ ଜବତ କରିଥିଲା । ତେବେ ଗତ ୨୫ ତାରିଖରେ ଡିଜିସିଏ ତଦନ୍ତ କରି ରିପୋର୍ଟ ଦେଇଛନ୍ତି । ଏଥିରେ ଦର୍ଶାଯାଇଛି ଯେ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକପ୍ଟର ରବିନସନ ଆର-୪୪ ଉଡାଣରେ କୌଣସି ବ୍ୟତିକ୍ରମ ନଥିଲା ଓ କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ। ଡିଜିସିଏଙ୍କ ରିପୋର୍ଟ ପରେ ପୁରୀ ପୋଲିସର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିଲା। ବୈଜୟନ୍ତଙ୍କ ହ୍ୟାଙ୍ଗର ଓ ତିନୋଟି ହେଲିକପ୍ଟର ଖୋଲିବା ନେଇ ଆଜି ପୁରୀ ପୋଲିସ ଏହା ଉପରେ ପଦକ୍ଷେପ ଗ୍ରହଣ କରିଛି। ପଦକ୍ଷେପ ସ୍ୱରୂପ ପୁରୀ ପୋଲିସର ଜଣେ ଏସଡିପିଓ ଏବଂ ମେରାଇନ୍ ଥାନାର ଆଇଆଇସିଙ୍କ ଉପସ୍ଥିତିରେ ଆଜି ସାଂସଦ ବୈଜୟନ୍ତଙ୍କ ହ୍ୟାଙ୍ଗର ଖୋଲାଯାଇଥିଲା । ମାତ୍ର ହ୍ୟାଙ୍ଗରରେ ଥିବା ତିନୋଟି ହେଲିକପ୍ଟରରୁ ଗୋଟିଏ ହେଲିକପ୍ଟରକୁ ପୁଣି ସିଜ୍ କରାଯାଇଛି । ଏହାର କାରଣ ଜଣାପଡିନାହିଁ। ଏହି ମାମଲାରେ ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଡିଜିସିଏକୁ ଘଟଣାର ଆହୁରି ତଥ୍ୟ ମଗାଯାଇଛି। ସେହି ତଥ୍ୟ ଆସିନଥିବାରୁ ହେଲିକପ୍ଟର ସିଜ୍ କରାଯାଇଛି।