ଦାମଙ୍କ ସହ ରହିବା ନେଇ ଜୟ ମନ ସ୍ଥିର କରି ନାହାଁନ୍ତି

ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତଙ୍କ ନୂଆ ଦଳ ସହ ରହିବେ କି ନାହିଁ ଏଯାଏଁ ମନସ୍ଥିର କରି ନାହାଁନ୍ତି ବୋଲି ବୈଜୟନ୍ତ ପଣ୍ଡା ଆଜି ପୁଣି କହିଛନ୍ତି । ଏଣୁ ଡାକ୍ତର ରାଉତ ଏ ମାସରେ ତାଙ୍କ ଦଳର ରୂପରେଖ ନିଆଯିବ ବୋଲି କହିବା ସହ ଦଳର ନାଁ ମଧ୍ୟ କହିସାରିଲେଣି । ଏଥିରୁ ଜଣାପଡୁଛି ସେମାନେ ପୁରା ପ୍ରସ୍ତୁତିରେ ଅଛନ୍ତି । ଆଲୋଚନା ସେମାନଙ୍କ ଭିତରେ ଜୋରଦାର ଚାଲିଛି । ସମତାକ୍ରାନ୍ତୀର ନେତା ବ୍ରଜକିଶୋର ତ୍ରିପାଠୀ ସହଯୋଗର ହାତ ବଢ଼ାଇ ସାରିଲେଣି । ପ୍ରଥମେ ଡାକ୍ତର ରାଉତଙ୍କୁ ସମର୍ଥନ ଜଣାଇଥିବା ଶ୍ରୀ ପଣ୍ଡା ଏବେ ପଛାଉ ଥିବା ଦେଖାଯାଉଛି । କୁହାଯାଉଛି ସେ ଏଯାଏଁ ବିଜେପି ମୋହ ତୁଟାଇ ନାହାଁନ୍ତି । ଏବେ ମଧ୍ୟ ବିଜେପିରେ ଯୋଗଦେବା ନେଇ ସେ ଆଶା ବାନ୍ଧି ବସିଛନ୍ତି । ସେଥିପାଇଁ ନୂଆ ଦଳ ସହ ରହିବା ସମ୍ପର୍କରେ ଏଯାଏଁ ତାଙ୍କ ମତ ସ୍ପଷ୍ଟ କରୁନାହାଁନ୍ତି । ଏପରି କି ଯିଏ ଦୁର୍ନୀତି ବିରୋଧରେ କହିବ ତାଙ୍କୁ ସମର୍ଥନ ଦେବେ ବୋଲି କହୁଛନ୍ତି । ଏଥିରୁ ଜଣାପଡୁଛି ସେ ସମର୍ଥନ ଦେଇ ପାରନ୍ତି କିନ୍ତୁ ସାମିଲ ହୋଇ ନ ପାରନ୍ତି । କିନ୍ତୁ ବୈଜନ୍ତୟ ତାଙ୍କ ହୋଇଯାଉ କାର୍ଯ୍ୟକ୍ରମକୁ ଧରି ଆଗେଇବାରେ ଲାଗିଛନ୍ତି ।
ଶନିବାର ପାରାଦୀପରେ ନୂଆଦଳର ନାଁ ନେଇ ସୂଚନା ଦେବା ପରେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏ ସ୍ଥିତିରେ ଶ୍ରୀ ପଣ୍ଡା ଆଜି ଢ଼େଙ୍କାନାଳ ଗସ୍ତରେ ଯାଇଥିଲା ବେଳେ ଓ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏଇ ନୂଆ ଦଳ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରିଥିଲେ । ବୈଜୟନ୍ତ ମଧ୍ୟ ତାଙ୍କ ମତ ରଖିଛନ୍ତି । ସେ କହିଛନ୍ତି ମୁଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ । ବିଭିନ୍ନ ବନ୍ଧୁମାନେ ମୋତେ ବିଭିନ୍ନ ପରାମର୍ଶ ଦେଉଛନ୍ତି । କିଏ କହୁଛି ଏଇ ଦଳରେ ଜଏନ କର କିଏ କହୁଛି ସେ ଦଳରେ ଜଏନ କର ଆଉ କିଏ କହୁଛନ୍ତି ନୂଆ ଦଳ ଆରମ୍ଭ କର । ହେଲେ ମୁଁ ସମସ୍ତଙ୍କ କଥା ଶୁଣୁଛି । ଠିକ ସମୟରେ ମୁଁ ନିଷ୍ପତ୍ତି ନେବି ଏବଂ ନିଜେ ଜନସାଧାରଣଙ୍କୁ ଜଣାଇବି । ଯିଏ ବି ଦୁର୍ନୀତି ବିରୋଧରେ ମୁହଁ ଖୋଲିବେ ଦାମବାବୁ ହୁଅନ୍ତୁ କି ଖାରବେଳ ବାବୁ ହୁଅନ୍ତୁ କି ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ଯିଏବି ହୁଅନ୍ତୁ ମୁଁ ତାକୁ ସମର୍ଥନ ଦେବି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏଥିରୁ ଜଣାପଡୁଛି ଶ୍ରୀ ପଣ୍ଡା ଏତେ ଶୀଘ୍ର ଡାକ୍ତର ରାଉତଙ୍କୁ ଧରା ଦେଉନାହାଁନ୍ତି । ବୈଜୟନ୍ତ ପଣ୍ଡା ନିଷ୍ପତ୍ତି ନେଇପାରୁ ନ ଥିବାରୁ ତାଙ୍କ ନିଷ୍ପତ୍ତିକୁ ଆଉ ଅପେକ୍ଷା କରି ସମୟ ଗଡ଼ାଇବା ଅପେକ୍ଷା ନିଜେ ଏ ଦିଗରେ ପଦକ୍ଷେପ ନେବାକୁ ଡାକ୍ତର ରାଉତ ଅଂଟା ଭିଡ଼ିଥିବା କୁହାଯାଉଛି । ନିକଟରେ ଡାକ୍ତର ରାଉତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ବୈଜୟନ୍ତ ଧରା ଦେଉନଥିବା କଥା କହିଥିଲେ । ବୈଜୟନ୍ତ ଦୁର୍ନୀତି ବିରୋଧୀ ଓ ନବୀନ ପଟ୍ଟନାୟକଙ୍କ ବିରୋଧୀ ମନୋଭାବ ପ୍ରକାଶ କରୁଥିଲେ ମଧ୍ୟ ଏହାକୁ ସଫଳ ରୂପାୟନ ଦେବାପାଇଁ ଯେଉଁ ପ୍ରକ୍ରୀୟା ଆରମ୍ଭ ହୋଇଛି ସେଥିରେ ସାମିଲ ହେଉନାହାଁନ୍ତି । ଏଣୁ ବୈଜୟନ୍ତ ଦୂରେଇ ରହିବା ଘଟଣା କ୍ରମେ ସନ୍ଦେହ ସୃଷ୍ଟି କରୁଛି । କାରଣ ଯଦି ନୂଆ ଦଳ ଗଠନ କରିବାର ଅଛି ତେବେ ଏହା ଯେତେଶୀଘ୍ର ହୋଇପାରିବ ଉଦ୍ୟୋକ୍ତାଙ୍କ ପାଇଁ ସେତିକି ଲାଭ ଦାୟକ ହେବ । ନୂଆଦଳ କରି ଲୋକଙ୍କ ପାଖରେ ପହଂଚି ତାକୁ ପରିଚିତ କରାଇବାରେ ସମୟ ଲାଗିବ । ବୋଧହୁଏ ବୈଜୟନ୍ତ ବର୍ତମାନ ସୁଦ୍ଧା ନୂଆ ଦଳ ସପକ୍ଷରେ ନ ଥିବା ତାଙ୍କ କଥାବାର୍ତା ଓ କାର୍ଯ୍ୟଧାରାରୁ ସୂଚନା ମିଳୁଛି ।