ଗର୍ଜିଲେ ଶ୍ରୀକାନ୍ତ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଦଳିତ ଓ ପଛୁଆ ବର୍ଗଙ୍କ ପ୍ରବକ୍ତା ସାଜିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ତାଙ୍କରି ବାଣରେ ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାରିଲା ପରେ ସେ ଏବେ ଘାଇଲା ହୋଇ ଉଠିଛନ୍ତି | ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀକାନ୍ତ ହଇଚଇ ସୃଷ୍ଟି କରିଛନ୍ତି | ଆଗପଛକୁ ଆଉ ବିଚାର ନକରି ସମସ୍ତଙ୍କୁ ଆକ୍ରମଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି | ଦଳ ଭିତରେ ବୋମା ପକାଇ ବିସ୍ଫୋରଣ କରିଛନ୍ତି | ଆଗକୁ ସେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ଧମକ ଦେଇଛନ୍ତି | ଦୁଇଟି ପରିବାର ଶାସନ କରିବେ ନା ରାଜ୍ୟର 92 ପ୍ରତିଶତ ଲୋକଙ୍କ ପ୍ରତିନିଧି ରହିବେ ସେଥିନେଇ ଜନମତ ସଂଗ୍ରହ କରିବେ ବୋଲି ସେ କହିଛନ୍ତି |
ଶ୍ରୀକାନ୍ତ ସବୁବେଳେ ଦଳିତ ଓ ପଛୁଆ ବର୍ଗଙ୍କ କଥା କହି ଆସୁଥିବାରୁ ପ୍ରଥମେ ତାଙ୍କ ଠାରୁ ଏହି ପରୀକ୍ଷା ଆରମ୍ଭ କରିଛନ୍ତି ନିରଞ୍ଜନ ବୋଲି କୁହାଯାଉଛି | ଇସ୍ତାହାର କମିଟିରୁ ତାଙ୍କୁ ହଟାଇ ଦଳିତ ବର୍ଗର ଜଣେ ନେତା ଗଣେଶ୍ୱର ବେହେରାଙ୍କୁ ତାଙ୍କ ପଦବୀରେ ରଖିଯାଇଛି | ପଦବୀ ଯିବାରେ ସେ ବିବ୍ରତ ନୁହଁନ୍ତି ବୋଲି କହୁଥିଲେ ମଧ୍ୟ ଏହା ତାଙ୍କ ପାଇଁ ଅପମାନ ବୋଲି ସେ ଭାବିଛନ୍ତି | ଗୁରୁବାର ସେ ନିରଞ୍ଜନଙ୍କ ଉଦ୍ଦେଶ୍ୟରେ ଖଣି ଚୋର କଣ କଂଗ୍ରେସର ମୁଖିା ହେବେ ବୋଲି କହିଥିଲା ବେଳେ ଆଜି ଗାଁକୁ ଯାଇ ଜନମନତ ସଂଗ୍ରହ କରିବା କଥା କହିଛନ୍ତି | ଏପରିକି ପୂର୍ବରୁ ସେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ନିକଟକୁ ଲେଖିଥିବା ଚିଠିକୁ ଆଜି ଗଣମାଧ୍ୟମକୁ ଦେଇଛନ୍ତି | ସାମ୍ବାଦିକମାନଙ୍କ ସମ୍ମିଳନୀକୁ ଡାକି ସେ କହିଛନ୍ତି, ଇସ୍ତାହାର କମିଟିର ଅଧ୍ୟକ୍ଷ ଥିବା ବେଳେ କଂଗ୍ରେସ ପାଇଁ ଏକ ମୁଖବନ୍ଧ ତିଆରି କରିଥିଲେ । ଯାହା ପିସିସି ସଭାପତିଙ୍କୁ ବିଶେଷ ସୁହାଇ ନଥିଲା । ସେହି ମୁଖବନ୍ଧରେ ସେ ଲେଖିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳିତ ଆଦିବାସୀ ଓ ପଛୁଆ ବର୍ଗଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରାଯିବ । ଏହାସହ ସେ ଦ୍ୱିତୀୟ କଥା ମୁଖବନ୍ଧରେ ଲେଖିଥିଲେ ଯେ, ରାଜ୍ୟରେ ଯେଉଁ ସବୁ ବେଆଇନ୍‌ ଖଣି କାରବାର ଚାଲିଛି ସେଗୁଡ଼ିକୁ ଚିହ୍ନଟ କରାଯାଉ ଏବଂ ସେହି ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ସହ ସେମାନଙ୍କୁ ଜେଲ୍‌ ପଠାଯାଉ । କିନ୍ତୁ ଏହାକୁ ପିସିସି ମୁଖ୍ୟ ଗ୍ରହଣ କରିନଥିବା ଶ୍ରୀକାନ୍ତ କହିଛନ୍ତି । ତୃତୀୟରେ ସେ ଲେଖିଥିଲେ ଯେ, ସେନସସ୍‌ ଅନୁଯାୟୀ ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ସଂଖ୍ୟା ହେଉଛି 38.5 । ତେଣୁ ସେମାନଙ୍କ ପାଇଁ ବିଭିନ୍ନ ବର୍ଗରେ ସଂରକ୍ଷଣ ଦିଆଯାଉ । କଲେଜରେ ପାଠ ପଢାଠାରୁ ଆରମ୍ଭ କରି ଚାକିରି କ୍ଷେତ୍ରରେ ମଧ୍ୟ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉ ବୋଲି ଶ୍ରୀକାନ୍ତ ଦର୍ଶାଇଥିଲେ । କାରଣ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସଂରକ୍ଷଣ କ୍ଷେତ୍ରରେ ବହୁତ ପଛୁଆ ରହିଛି । କେନ୍ଦ୍ର ସରକାରଙ୍କ ତୁଳନାରେ ମଧ୍ୟ ଓଡ଼ିଶା ବହୁତ ପଛରେ ରହିଛି । କେନ୍ଦ୍ର ସରକାର ଯେଉଁ ହାରରେ ଦଳିତଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସେହି ହାରରେ ଓଡ଼ିଶାରେ ନାହିଁ । କିନ୍ତୁ ଏହି ସବୁ ପ୍ରସ୍ତାବ ପିସିସି ମୁଖିଆଙ୍କୁ ଭଲ ଲାଗି ନଥିଲା ବୋଲି କହିଛନ୍ତି ଶ୍ରୀକାନ୍ତ । ଏନେଇ ସେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ଗତ ମେ’ 2ରେ ଜଣାଇଥିଲେ । କିନ୍ତୁ ଗତ 6 ମାସ ତଳର କଥା ହଠାତ୍‌ ବାହାରକୁ ଆଣିବା ତାଙ୍କୁ ତାଜୁବ୍‌ କରିଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏହି ପ୍ରସ୍ତାବରେ ରାଜ୍ୟ କଂଗ୍ରେସ ଅରାଜି ତେବେ ତାଙ୍କୁ ଇସ୍ତାହାର କମିଟିରୁ ବାହାର କରିଦିଆଯାଉ । ଏହି ପ୍ରସଙ୍ଗ ନେଇ ରାହୁଲଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ରାହୁଲ ମଧ୍ୟ ତାଙ୍କର ସହମତି ଜଣାଇଥିଲେ ବୋଲି ସେ କହିଛନ୍ତି ।
ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ, ରାଜ୍ୟରେ 40 ବର୍ଷ ଧରି କେବଳ ଦୁଇଟି ପରିବାର ଶାସନ ଚଳାଇ ଆସୁଛନ୍ତି | ଏଣୁ ରାଜ୍ୟବାସୀ କଣ ଚାହାନ୍ତି ସେଥିପାଇଁ ସେ ଜନମତ ଲୋଡ଼ିବେ । ସେ ଗାଁ ଗାଁ ବୁଲି ଲୋକଙ୍କୁ ପଚାରିବେ ଯେ, ସେମାନେ ସେହି ପଟ୍ଟନାୟକ ଫ୍ୟାମିଲିର ଶାସନ ଚାହୁଛନ୍ତି ନାଁ ପରିବର୍ତ୍ତନ ଚାହୁଛନ୍ତି । ରାଜ୍ୟବାସୀଙ୍କ ଉତ୍ତର ଜାଣିବା ପାଇଁ ପ୍ରତ୍ୟେକ ଗାଁରେ ମତାମତ ବାକ୍ସ ବସାଯିବ । ଯଦି ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗକୁ ଗୁରୁତ୍ବ ନ ଦେଲେ ତେବେ ଆଗାମୀ ଦିନରେ ପଙ୍ଗୁ ହୋଇଯିବ ବୋଲି ଶ୍ରୀକାନ୍ତ ନିଜ ଦଳକୁ ଅଭିଶାପ ଦେଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ବିଷୟ ହେଉଛି ଶ୍ରୀକାନ୍ତଙ୍କର କେଉଁକଥା ଠିକ୍ | ଏ ବିବାଦ ଆସିବା ପୂର୍ବରୁ ଶ୍ରୀକାନ୍ତ ବାଲେଶ୍ୱରରେ ନିରଞ୍ଜନଙ୍କ ସହ ଯାଇ ଲୋକଙ୍କ ଆଗରେ କହିଥିଲେ କଂଗ୍ରେସ କ୍ଷମତାକୁ ଆସିଲେ ନିରଞ୍ଜନ ମୁଖ୍ୟମନ୍ତ୍ରୀ ହେବେ | ଶ୍ରୀକାନ୍ତଙ୍କ ମୁହଁରେ ଏକଥା ଶୁଣି ସମସ୍ତେ ଚକିତ ହୋଇଥିଲେ | ଏବେ କହୁଛନ୍ତି ସେ ଆଗରୁ ଦଳପ୍ରଭାରୀ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ ଯେ ଇସ୍ତାହାରରେ ଘୋଷଣା କରାଯାଉ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳିତ ଆଦିବାସୀ ଓ ପଛୁଆ ବର୍ଗଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରାଯିବ । ଏବେ ପ୍ରଶ୍ନ ଉଠୁଛି ଶ୍ରୀକାନ୍ତଙ୍କ କେଉଁ କଥା ଠିକ |

 

2 ମତାମତ ଦିଅନ୍ତୁ

  1. ଶ୍ରୀକାନ୍ତ ଙ୍କ କେଉଁଠି ଲୋକ ଅଛନ୍ତି ଯେ, ଗାଁ କୁଯାଇ ଲୋକଙ୍କୁ କହିବେ।

ମତାମତ ଦିଅନ୍ତୁ

Please enter your comment!
Please enter your name here