ଯୋର ଧରୁଛି ରାତି ରାଜନୀତି : ଗାଁରେ ରାତି କାଟିବାକୁ ତିନି ଦଳରେ ପ୍ରତିଯୋଗିତା

1

ଭୁବନେଶ୍ବର : ୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଆପଣାଇଛନ୍ତି ନୂଆ ଫଣ୍ଡା । ପ୍ରତିନ୍ଦ୍ୱନ୍ଦିତାମୂଳକ ଭାବେ ଚଳାଇଛନ୍ତି ଗାଁକୁ ଚାଲ ରାଜନୀତି । ରାତିରେ ଗାଁରେ ରହି ଟୁଙ୍ଗିରେ ଭାଗବତ ପଢ଼ିଲା ଭଳି ରାଜନୀତି କରିବେ । ଲୋକଙ୍କ ଭଲ ମନ୍ଦ ବୁଝି ପରସ୍ପରର ଖୁଣ ଖୁଣ୍ଟିବେ ତିନି ପ୍ରମୁଖ ରାଜନୈତିକ ଦଳ ।
ରାତିରେ ଗାଁରେ ରହିବେ ନେତାଏ । ଗାଁ ଚଉପାଢ଼ୀରେ ମିଟିଂ କରିବେ । ଗାଁରେ ଖାଇବେ, ପୁଣି ସେଇଠି ଶୋଇବେ । ରାଜ୍ୟର ୪ ଶହ ପଛୁଆ ଗାଁରେ ବିଜେପିର ୪ ଶହ ବିଜେପି ନେତା ରାତି କଟାଇବେ । ସଞ୍ଜରେ ଗାଁ ଲୋକଙ୍କ ସହ ମିଟିଂ କରିବେ । କେନ୍ଦ୍ରର ଯୋଜନା ବଖାଣିବା ସହ ରାଜ୍ୟ ସରକାରଙ୍କ ଖୁଣ ଖୁଣ୍ଟିବେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଆଜି ଚିଲିକା ଦଧିବାମନପୁରରେ ରାତି କଟାଇବେ । ସେହିଭଳି ଆସନ୍ତା ୧୬ ତାରିଖରୁ ୧୫ ଦିନିଆ ମହାନଦୀ ଆନ୍ଦୋଳନ ଅବସରରେ ନଈ ପଠାରେ ଶୋଇବେ ବିଜେଡି ନେତାଏ । ସେପଟେ କଂଗ୍ରେସ ବି ଗାଁରେ ରାତି କଟାଇବାକୁ ଯୋଜନା କଲାଣି । ଗାଁରେ ଶୋଇ କଂଗ୍ରେସ ନେତାଏ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ-ଦୁର୍ବଳତା ଏବଂ ଅବହେଳା ଲୋକଙ୍କୁ ବୁଝାଇବେ ।
ଦିନେ ନାଇଁ, କାଳେ ନାଇଁ … ଗମ୍ହା ପୁନେଇଁରେ ମାଇଁ ମାଇଁ … । ବାହାଘର ପରେ ବେଦୀ ମୁହଁ ପୋଡ଼ା ଭଳି ଭୋଟ୍ ପରେ ଭୋଟରଙ୍କୁ ଭୁଲି ଯାଇଥିଲେ ନେତାଏ । ଏବେ କିନ୍ତୁ ପୁଣି ଭୋଟ୍ ପାଖେଇ ଆସିଲାଣି । ଯେଉଁଥି ପାଇଁ ରାତିରେ ଗାଁରେ ରହି ଗ୍ରାଉଣ୍ଡ ସଜାଡ଼ିବା ଚକ୍କରରେ ତିନି ପ୍ରମୁଖ ରାଜନୈତିକ ଦଳ ।
ନେତାଏ ରାତିରେ ଗାଁରେ ରହି ପରୋକ୍ଷରେ ନିଜ ନିଜ ଦଳ ପାଇଁ ଭୋଟ ମାଗିବେ । ଲୋକଙ୍କୁ ହାତୀ, ଘୋଡ଼ାର ପ୍ରତିଶ୍ରୁତି ବି ଦେବେ । ହେଲେ ନିର୍ବାଚନ ପରେ ଗାଁକୁ ଭଲି ଯିବେନି ତ?

LEAVE A REPLY

Please enter your comment!
Please enter your name here