ଶ୍ରୀକାନ୍ତଙ୍କୁ ଘେରିଲେ ଦଳର ବରିଷ୍ଠ ନେତା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : କଂଗ୍ରେସର ଇସ୍ତାହାର କମିଟିରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ବିଦା କରିବା ପରେ ତାକୁ ନେଇ ଏବେ ଦଳ ଭିତରେ ଓ ବାହାରେ ଚାଲିଛି ଘଣ୍ଟାଚକଟା । ଏହି ଘଟଣା ପରେ ଶ୍ରୀକାନ୍ତ ରଖିଥିବା ପ୍ରତିକ୍ରୀୟାକୁ ଭିତ୍ତିକରି ତାଙ୍କୁ ଘେରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗୋଷ୍ଠୀ । ନିଜେ ନିରଂଜନ ଶ୍ରୀକାନ୍ତଙ୍କୁ ଆକ୍ଷେପ କରିଥିବା ବେଳେ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ସମାଲୋଚନା କରିଛନ୍ତି । ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଚେତାବନୀ ବେଶୀ ପାଟି କଲେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇ ପାରେ କି ବିଦା କରାଯାଇ ପାରେ । ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନାହିଁ ସେ ଯେତେବଡ଼ ନେତା ହେଉଥାଆନ୍ତୁ ନା କାହିଁକି ବୋଲି ନିରଂଜନ କହିଛନ୍ତି । ଶ୍ରୀକାନ୍ତ ଯେଉଁ ଭଳି ଭାବରେ ସାଧାରଣରେ ମନ୍ତବ୍ୟ ରଖୁଛନ୍ତି ତାହା ଅତି ସାଘାତିକ । ନିରଂଜନଙ୍କ ନାମ ନ ନେଉଥିଲେ ବି ତାଙ୍କୁ ପରୋକ୍ଷରେ ଖଣି ଚୋର ଭାବରେ ଅଭିହିତ କରିଛନ୍ତି । ଯାହାକୁ ନେଇ ଏବେ ଦଳରେ ସରଗରମ ଆଲୋଚନା ଚାଲିଛି ।
ଶ୍ରୀକାନ୍ତ ଇସ୍ତାହାର କମିଟିରୁ ବିଦା ହେବା ପରେ ଗଣମାଧ୍ୟମରେ ଗୁରୁବାର ପ୍ରତିକ୍ରୀୟା ରଖିବାକୁ ଯାଇ କହିଥିଲେ ଯଦି ଖଣି ଚୋରଙ୍କ ଦ୍ୱାରା ଓଡିଶାରେ କଂଗ୍ରେସ ଚାଲିବ ତାହାହେଲେ ରାହୁଲ ଗାନ୍ଧୀ ପରେ ବୁଝିିବେ ଯେ କଂଗ୍ରସର ଅବସ୍ଥା କଣ ହେବ ।ଶ୍ରୀ ଜେନା ଆହୁରି କହିଥିଲେ, ଯେପର୍ଯ୍ୟନ୍ତ କଂଗ୍ରେସରେ ୯୦ ପ୍ରତିଶତ ଦଳିତ ଓ ପଛୁଆ ବର୍ଗ ଅଛନ୍ତି ଏବଂ ସେମାନଙ୍କର ଯେପର୍ଯ୍ୟନ୍ତ ପ୍ରତିନିଧିତ୍ୱ ନ ହୋଇଛି, ସେମାନଙ୍କ ମଧ୍ୟରୁ ଯଦି କେହି ମୁଖ୍ୟମନ୍ତ୍ରୀ ପାର୍ଥୀ ନ ହେଉଛନ୍ତି ତାହାହେଲେ ସେ ପଦବୀରେ ମୋର ଆଉ ରହିବାର ଆବଶ୍ୟକତା ନାହିଁ ।
ଶ୍ରୀକାନ୍ତଙ୍କ ଏହି ମତ ଉପରେ ପ୍ରତିକ୍ରୀୟା ପ୍ରକାଶ କରି ଇସ୍ତାହାର କମିଟି ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଜଣେ ଯୁବକ, ଜ୍ଞାନୀ ଲୋକଙ୍କୁ ଇସ୍ତାହାର କମିଟି ଦାୟିତ୍ୱ ଦିଆଯିବା ଦରକାର, ଯିଏ ସାରା ରାଜ୍ୟ ବୁଲିବୁଲି କାମ କରିପାରିବ । ସେଭଳି ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀକାନ୍ତ ଜ୍ଞାନୀ, ବରିଷ୍ଠ କିନ୍ତୁ ଯୁଗୋପଯୋଗୀ ପାଇଁ ଗଣେଶ୍ୱରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଦଳ ଭିତରେ ରହି ଦଳ ଭାଙ୍ଗୁଥିଲେ ତାହା ପରୀକ୍ଷା କରାଯିବ । ସେସବୁ ସତ୍ୟ ହୋଇଥିଲେ ନିଶ୍ଚିତ କାର୍ଯ୍ୟନୁଷ୍ଠାନ ହେବ । ବିଶୃଙ୍ଖଳା ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି ।
ଇସ୍ତାହାର କମିଟି ଅଧ୍ୟକ୍ଷରୁ ହଟିବା ପରେ ଶ୍ରୀକାନ୍ତଙ୍କ ମନ୍ତବ୍ୟକୁ ନେଇ ତାରା ଶ୍ରୀକାନ୍ତଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଗୋଦରିଲୋ ନିଜ ଗୋଡ଼କୁ ଅନା । କଂଗ୍ରେସ ଖଣି ମାଫିଆଙ୍କ ଦଳ ନୁହେଁ, ଯିଏ କହୁଛି ସେ ଦଳ ଛାଡ଼ି ଚାଲିଯାଉ । ଯିଏ ବିଶୃଙ୍ଖଳା କରିବ, ଶୃଙ୍ଖଳା କମିଟି ତାର ବ୍ୟବସ୍ଥା କରିବେ । ଶ୍ରୀକାନ୍ତ ନିଜକୁ ସମୀକ୍ଷା କରିବା ଦରକାର । ସେ ଦଳର ବହୁ କ୍ଷତି କଲେଣି, ଏଣୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଚାର କରିବା ଦରକାର ବୋଲି ତାରା କହିଛନ୍ତି ।
ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଆଉ ପାଦେ ଆଗକୁ ଯାଇ କହିଛନ୍ତି ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତଙ୍କୁ ଇସ୍ତହାର ପଦବୀରୁ ହଟାଗଲା । ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଏଥିରେ ସେ ନ ଚେତିଲେ ପରିମାଣ କଣ ହେବ ଏବେ ଠୁ କହିବା ଅନୁଚିତ । ଅଧିକ ବିଶୃଙ୍ଖଳିତ ହେଲେ ଅନେକ ପଦକ୍ଷେପର ବ୍ୟବସ୍ଥା ଅଛି । କାରଣ ଦର୍ଶାଅ, ନିଲମ୍ବନରୁ ବହିଷ୍କାର ଯାଏ ପ୍ରାବଧାନ ଅଛି । ସରଗରିଆ ବିରୋଧରେ କାର୍ଯ୍ୟନୁଷ୍ଠାନ ଲାଗି ସୁପାରିଶ କରାଯାଇଛି ବୋଲି ହେମାନନ୍ଦ କହିଛନ୍ତି ।

4 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here