ଚ୍ୟାଉଙ୍କ ସପକ୍ଷରେ ବାହରିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ରାଜ୍ୟରେ ଏଯାଏଁ କୌଣସି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି । ଏହା ପୂର୍ବରୁ କାହାକୁ ଟିକେଟ୍ ମିଳିବ ଓ କାହାର କଟିବ, ତାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏମିତି ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ତାଙ୍କୁ କୁଆଡ଼େ ଟିକେଟ୍ ଦିଆଯିବନି ବୋଲି ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାକୁ ନେଇ ରମେଶଙ୍କ ସମର୍ଥକମାନେ ଫିଡ଼ିକି ଯାଇଥିବା ବେଳେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ତାଙ୍କ ସପକ୍ଷରେ ବାହାରିଛନ୍ତି । ଆଜି ସିଦ୍ଧାନ୍ତ କହିଛନ୍ତି, ୫ ଥର ଜିତି ଥିବା ବିଧାୟକଙ୍କୁ କାହିଁକି ଟିକେଟ୍ ଦିଆଯିବନି ବୋଲି କୁହାଯାଉଛି । ଯଦି ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ୍ ନ ଦିଆଯାଏ ଓ ସେ ସ୍ୱାଧୀନ ଭାବେ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି, ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ । କାରଣ ସେ ୫ ଥର ବିଧାୟକ ହୋଇଛନ୍ତି । ଏହା କିଛି ଛୋଟ କଥା ନୁହେଁ । ତାଙ୍କର ବି ସମର୍ଥକ ନିଶ୍ଚିତ ରହିଛନ୍ତି । ତେଣୁ ଦଳ ପାଇଁ ବାଧା ସୃଷ୍ଟି ହୋଇପାରେ । ଯଦି ସେ ନଲଢ଼ନ୍ତି, ତା’ହେଲେ ଅଲଗା କଥା। ତାହା ତାଙ୍କ ଉପରେ ନିର୍ଭର କରେ । ସେ ଆହୁରି କହିଛନ୍ତି,ଦଳୀୟ ନେତୃତ୍ୱ କିଛି ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି । ମୋ ସହିତ ଏ ବିଷୟରେ କିଛି ଆଲୋଚନା କରାଯାଇ ନାହିଁ। ତାଙ୍କ ପ୍ରାର୍ଥିତ୍ୱ ସଂପର୍କରେ ସିଦ୍ଧାନ୍ତ କହିଛନ୍ତି ଯେ ଦଳ ତାଙ୍କୁ ଦୁଇ ଥର ଲୋକସଭାକୁ ପଠାଇଛି । ଦଳ ଯେତେବେଳେ ଯାହା ଦାୟିତ୍ୱ ଦେବ, ତାକୁ ତୁଲାଇବି । ସୂଚନାଯୋଗ୍ୟ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେବା ପରେ ଗତକାଲି ଅପରାହ୍ନରେ ବ୍ରହ୍ମପୁରରେ ବିଜେଡିର ଏକ କର୍ମୀ ସମ୍ମିଳନୀ ହୋଇଥିଲା । ଏଥିରେ ତାଙ୍କୁ ଟିକେଟ୍ ଦିଆଯାଉ ବୋଲି ଦାବି କରାଯାଇଥିଲା । ବୈଠକ ପରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଥିଲେ,ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ ବିକଳ୍ପ କଥା କହୁଛନ୍ତି । ଯେଉଁମାନେ ଅନ୍ୟଦଳରୁ ବିଜେଡିକୁ ଆସିଛନ୍ତି, ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଉ । ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ । ସେପଟେ ଗତକାଲି ଚ୍ୟାଉ ପଟ୍ଟନାୟକ କହିଥିଲେ,ଟିକେଟକୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ରହେ । ତେବେ ମୁଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ପାଇଁ ଅବଗତ କରିଛି ବୋଲି ସେ କହିଛନ୍ତି |

ନବୀନ ନିବାସରୁ ଏପର୍ଯ୍ୟନ୍ତ ମୋତେ ଡାକରା ଆସିନାହିଁ: ସିଦ୍ଧାନ୍ତ