ଶ୍ରୀମନ୍ଦିରର କଟକଣା ଜାରିକୁ ନେଇ ସେବାୟତ ଦେଲେ ଧମକ, ଚାବି ହଜିବା ଘଟଣା ବିବାଦ ବଢ଼ିବାରେ ଲାଗିଛି

1

ଭୁବନେଶ୍ୱର, ୧୦.୬.୨୦୧୮: ରତ୍ନଭଣ୍ଡାର ଚାବି ହଜିବା ଘଟଣା ବିବାଦ କମିବା ବଦଳରେ ବଢ଼ିବାରେ ଲାଗିଛି । ଗୋଟେ ପଟେ ବିରୋଧୀ ଦଳ ବିଭିନ୍ନ ସଂଗଠନ ସରକାରଙ୍କ ଉପରେ ଆକ୍ରମଣ ଚଳାଇଥିଲା ବେଳେ ଏବେ ସେବାୟତଙ୍କ ଧମକ ସ୍ଥିତିକୁ ଜଟିଳ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଜାରି କରିବା ପରେ ସେବାୟତ କ୍ଷୁବ୍ଧ ହୋଇଛନ୍ତି । ଏପରିକି ଆସନ୍ତା ରଥଯାତ୍ରା ସମୟରେ ଅସହଯୋଗ କରିବା ନେଇ ପରୋକ୍ଷ ଭାବରେ ଚେତାଇଛନ୍ତି । ସେବାୟତଙ୍କ ଦାନା ପାଣିରେ କିଛି ବି ଆଞ୍ଚ ଆସିଲେ ସେମାନେ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଅସହଯୋଗ କରିବେ ଏଭଳି ଏକ ସୂଚନା ମଧ୍ୟ ଦେଲେଣି ।
ଚାବି ହଜିବା ଘଟଣା ଏବଂ ଶ୍ରୀମନ୍ଦିର ବିଶୃଙ୍ଖଳା ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା । କୋର୍ଟ ଚାବି ହଜିବା ଘଟଣାରେ ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । କିନ୍ତୁ ଶ୍ରୀମନ୍ଦିର ବିଶୃଙ୍ଖଳା ସଂପର୍କରେ ଜିଲ୍ଲା କୋର୍ଟ କମିଟି ଗଠନ କରି ଯାଞ୍ଚ କରିବାକୁ କହିଛନ୍ତି । ଏଥିସହ ସିସିଟିଭି ଲଗାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଉଁ ଦାନ ଦେଉଛନ୍ତି ତାହା ଉପରେ ଯେଉଁ କଟକଣା କୋର୍ଟ ଜାରି କରିଛନ୍ତି ଏଥିରେ ହୁଣ୍ଡି ଓ ମନ୍ଦିରକୁ ଭକ୍ତମାନେ ଦେଉଥିବା ସବୁ ପ୍ରକାର ଦାନ ଓ ସଂପତ୍ତି ସେବାୟତଙ୍କ ବ୍ୟକ୍ତି ଆୟ ନୁହେଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି । ତାକୁ ନେଇ ସେବାୟତ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି । ଦଇତାପତି ନିଯୋଗର ବିନାୟକ ଦାସ ମହାପାତ୍ର ସିଧାସଳଖ କହିଛନ୍ତି, ଦାନ ଉପରେ ଯାହା କଟକଣା କରିବା କଥା କରନ୍ତୁ । ଦାନର ୪ଟା ଅର୍ଥ ବାହାର କରି ଯଦି କୌଣସି କିଛି ଅର୍ଥ ଭିନ୍ନ ଅର୍ଥ ବାହାର କରିବେ ଆଉ ଇଆଡେ ସିଆଡେ କଥା ଦେଖାଇବେ ତେବେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯେଉଁ ବିରାଟ ରଥଯାତ୍ରା ଆସୁଛି କହି ପରୋକ୍ଷରେ ଚେତାଇ ଦେଇଛନ୍ତି । ସେବାୟତଙ୍କ ଭବିଷ୍ୟତ ଆଉ ପରିବାରର ଚିନ୍ତା ନକରିବେ ତେବେ ନିଶ୍ଚିତ ଭାବରେ ଅସୁବିଧାରେ ପଡ଼ିବେ ଏକଥା ମଧ୍ୟ ସେ କହିଛନ୍ତି ।
ସେହିପରି ଗୌରାବଡୁ ନିଯୋଗ ସଂପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି, ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଆମେ ଏତେ ଆଗ୍ରହୀ ନୁହଁ । ଯେତେବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତାକୁ ସମସ୍ତେ ମାନିବାକୁ ବାଧ୍ୟ । କିନ୍ତୁ ତା ପ୍ରତିବଦଳରେ ସେବାୟତମାନଙ୍କୁ କ’ଣ ମିଳିିବ, କ’ଣ ମିଳୁଥିଲା, କ’ଣ ମିଳୁଛି ତାକୁ ବି ଧ୍ୟାନ ଦେବାକୁ ହେବ ।
ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ପାଟି ଖୋଲୁନାହାନ୍ତି ବୋଲି ବାରମ୍ବାର ପ୍ରଶ୍ନ କରି ଚାଲିଛନ୍ତି । ଅନ୍ୟପଟରେ ବିଜେପି ପକ୍ଷରୁ ସୋମବାରଠାରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଯାଉଛନ୍ତି ।Seb

LEAVE A REPLY

Please enter your comment!
Please enter your name here