ସେବାୟତ-ସରକାର ମୁହାଁମୁହିଁ ହେବାକୁ ଯାଉଛନ୍ତି

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ପୁରୀ ଶ୍ରୀମନ୍ଦିରକୁ ନେଇ ଆଗକୁ ସରକାରଙ୍କର ଅଡୁଆ ବଢ଼ିବାକୁ ଯାଉଛି । ସେବାୟତ ସିଧାସଳଖ ଏବେ ଧମକଦେବା ଆରମ୍ଭ କରିବା ପରେ ପରିସ୍ଥିତି ଜଟିଳ ହେଉଥିବାର ସୂଚନା ମିଳୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନ ଅଣ୍ଟାଭିଡ଼ିବା ପରେ ସେବାୟତମାନେ ଆଉ ନିରବ ରହିବା ସ୍ଥିତିରେ ନାହାଁନ୍ତି । ସେମାନେ ଖୋଲାଖୋଲି କହିଲେଣି ଆଉ ପୂଜାପାଠ ନ କରି ଶ୍ରୀମନ୍ଦିର ଚାବି ଗଜପତିଙ୍କୁ ହସ୍ତାନ୍ତର କରିବେ । ସରକାର ଓ ମନ୍ଦିର ପ୍ରଶାସନ ବୁଝାବୁଝି ହେବେ । ଅନ୍ୟ ପଟରେ ଯେଉଁ ଶ୍ରୀମନ୍ଦିର ସଂସ୍କାର ଜନସ୍ୱାର୍ଥ ମାମଲାକୁ ଆଧାର କରି ଏତେସବୁ ହୋହଲ୍ଲା ଚାଲିଛି ତାକୁ ରଦ୍ଦ କରିବା ପାଇଁ ପୁରୀ ଶ୍ରୀଜଗନ୍ନାଥ ସେନା ଓ ଅନ୍ୟା ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି । ଏପରି କି ଅଣହିନ୍ଦୁ ପ୍ରବେଶକୁ ମଧ୍ୟ ଏଥିରେ ବିରୋଧ କରାଯାଇଛି । ସୁପ୍ରିମକୋର୍ଟ ଏହାକୁ ଆଜି ବିଚାର ପାଇଁ ଗ୍ରହଣ କରିଛନ୍ତି । ପରବର୍ତ୍ତୀ ସମୟରେ ଏହା ଉପରେ ଶୁଣାଣି ହେବ ।
ଶ୍ରୀମନ୍ଦିରାରେ ନାନା ପ୍ରକାର ବିଶୃଙ୍ଖଳା ଚାଲିଥିବା ଏବଂ ଭକ୍ତଙ୍କୁ ଶୋଷଣ କରାଯିବା ଓ ଦୁର୍ବ୍ୟବହାର କରାଯିବା ଭଳି ଘଟଣାମାନ ପ୍ରକାଶ ପାଇବା ପରେ ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । କୋର୍ଟ ଏହା ଉପରେ ଶୁଣାଣି କରି ପୁରୀ ଜିଲ୍ଲା ଜଜ୍ଙ୍କୁ ଶ୍ରୀମନ୍ଦିର ବିଷୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରିପୋର୍ଟ ପାଇଲା ପରେ ସୁପ୍ରିମକୋର୍ଟ ୧୨ଟି କଟକଣା ଜାରି କରିଛନ୍ତି । ଶ୍ରୀମନ୍ଦିରକୁ ବିଦେଶୀଙ୍କ ପ୍ରବେଶ, ଚାଲି ଆସିଥିବା ବଂଶାନୁକ୍ରମିକ ସେବା ବ୍ୟବସ୍ଥା ଉଚ୍ଛେଦ, ଦାନ ଓ ଦକ୍ଷିଣା ନେବା ବନ୍ଦ ପ୍ରଭୃତି ୧୨ଟି ପ୍ରସ୍ତାବ କୋର୍ଟ ଦେଇଛନ୍ତି । ଏହା କେତେଦୂର କାର୍ଯ୍ୟକାରୀ ପ୍ରଶାସ ପକ୍ଷରୁ କରାଯାଇଛି ସେ ବିଷୟରେ ଅନୁଧ୍ୟାନ ପାଇଁ କୋର୍ଟ ଗୋପାଳ ସୁବ୍ରମଣ୍ୟମକୁ ଆମିସକ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଆମିସକ୍ୟୁରୀ ଖୁବଶୀଘ୍ର ଅନୁଧ୍ୟାନ ପାଇଁ ଆସୁଛନ୍ତି । ଏହା ପୂର୍ବରୁ ମନ୍ଦିର ପ୍ରଶାସନ କୋର୍ଟ ଆଦେଶ ଅବମାନନାରେ ନ ପଡ଼ିବା ପାଇଁ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି । ଦାନ ଦକ୍ଷିଣ ନ ନେବା ପାଇଁ ନୋଟିସ ଜାରି କରିବା ସହ ଯେଉଁ ଥାଳି, ଗରା ସେଥିପାଇଁ ବସାଯାଉଥିଲା ତାହାକୁ ବନ୍ଦ କରି ଦେଇଛନ୍ତି । ଯେଉଁ ଭକ୍ତ ଯାହାର ଇଚ୍ଛା ସେମାନେ ହୁଣ୍ଡିରେ ପକାଇବେ । ଗୋଟିଏ ପରେ ଗୋଟିଏ କଟକଣା ଲାଗୁ ହେବା ଫଳରେ ଏବେ ସେବାୟତମାନେ ଚିଇଁକି ଉଠିଛନ୍ତି । ଶ୍ରୀମନ୍ଦିରକୁ ଆଉ ନ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେମାନେ ସିଧା ଶୁଣାଇଛନ୍ତି ଯଦି ଦକ୍ଷିଣା ଓ ପାଉଣା ପାଇବୁ ନାହିଁ ତେବେ ଶ୍ରୀମନ୍ଦିର ଯିବୁ କାହିଁକି? ସରକାର ସେମାନଙ୍କ କଥା ବିଚାର ନ କଲେ ଶ୍ରୀମନ୍ଦିରର ସମସ୍ତ ଚାବି ଗଜପତିଙ୍କୁ ହସ୍ତାନ୍ତର ସେମାନେ ଘରେ ବସିବେ ବୋଲି ସେବାୟତନିଜୋଗ ପ୍ରତିନିଧି ବିନାୟକଦାସ ମହାପାତ୍ର କହିଛନ୍ତି । ଅଣହିନ୍ଦୁ ପ୍ରବେଶ, ବଂଶାନୁକ୍ରମିକ ସେବା ବନ୍ଦ ଏବଂ ଦାନ ଦକ୍ଷିଣା ବନ୍ଦ କଥାକୁ ସେବାୟତମାନେ ଘୋର ବିରୋଧ କରୁଛନ୍ତି । ଫଳରେ ସେବାୟତମାନଙ୍କ ଏଭଳି ମନୋଭାବ ଆଗକୁ ଭୟଙ୍କର ରୂପ ନେଇପାରେ ବୋଲି କୁହାଯାଉଛି । ସେବାୟତ ଓ ସରକାର ଏବେ ମୁହାଁମୁହିଁସ୍ଥିତିରେ ପହଞ୍ôଚଛନ୍ତି ।
ସେବାୟତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ସେମାନଙ୍କ ଦାବି ଭିତ୍ତିରେ ଇତିମଧ୍ୟରେ ରଥଯାତ୍ରା ପୂର୍ବରୁ ମୁଖ୍ୟ ପ୍ରଶାସକଙ୍କୁ ବଦଳାଇବା ପରେ ରଥଯାତ୍ରା ପରେ ଏବେ ପୁରୀ ଜିଲ୍ଲାପାଳଙ୍କୁ ବଦଳାଇଛନ୍ତି । କେବଳ ପୁରୀ ଏସ୍ପି ଅଛନ୍ତି । ତାଙ୍କୁ ମଧ୍ୟ କେତେବେଳେ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି । ସେବାୟତଙ୍କ ସହ ଜିଲ୍ଲା ପ୍ରଶାସନର ଯେତେବେଳେ ଜୋରଦାର ଲାଗିଥିଲା ସେହି ସମୟରେ ସେମାନେ ଏହି ସବୁ ଦାବି କରିଥିଲେ । ରଥରେ ସେବାୟତଙ୍କ ଝିଅ ଚଢ଼ିବା ପ୍ରସଙ୍ଗକୁ ନେଇ ଜିଲ୍ଲାପାଳ, ଏସ୍ପି ଓ ସେବାୟତଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ସମ୍ପୃକ୍ତ ସେବାୟତଙ୍କୁ ଗିରଫ କରିବା ପାଇଁ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା । ଏଥିରେ କିଛି ସେବାୟତ ଗିରଫ ହୋଇଥିଲେ ଆଉ କେତେଜଣ ଫେରାର ହୋଇ ରହିଥିଲେ । ପରେ ଜାମିନରେ ଆସିଥିଲେ । ସେବେଠାରୁ ସେମାନଙ୍କର ପ୍ରଶାସନ ଉପରେ ରାଗ ରହିଥିଲା । ସରକାର ଏବେ ଏହାକୁ ପ୍ରଶମିତ କିରବାକୁ ଉଦ୍ୟମ କରୁଛନ୍ତି । ହେଲେ ନୂଆ ସମସ୍ୟା ସୁପ୍ରିମକୋର୍ଟଙ୍କ ଆଦେଶ ଏବେ ଅଡୁଆ ସୃଷ୍ଟି କରିଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here