ସନା ଚାହାଁନ୍ତି ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି । ସ୍ୱାଧୀନଭାବେ ଲଢ଼ିଥିବା ସନାତନ ଆସନ୍ତା ନିର୍ବାଚନରେ କଣ କରିବେ ତାକୁ ନେଇ ଅନେକ ଆଲୋଚନା ବିଭିନ୍ନ ସମୟରେ ଚାଲିଛି । ସେ ଗଢ଼ିଥିବା ଆଂଚଳିକ ଦଳ ‘ଜନସମୃଦ୍ଧି ପାର୍ଟି’ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଚାହୁଁଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଯେଉଁଭଳି ଭାବରେ ପଞ୍ଚା ମେଲାଇ ସନାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ସେଥିରେ ସେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଏଣୁ ସେ ଚାହୁଁଛନ୍ତି ଯେପରି ହେଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶୁଭ ଦୃଷ୍ଟିରେ ରହିବେ ।
ହଠାତ ସନାଙ୍କର ନବୀନଙ୍କ ଶୁଭ ଦୃଷ୍ଟି ଆବଶ୍ୟକପଡ଼ିବା ପଛରେ ଅନେକ କଥା କୁହାଯାଉଛି । କେନ୍ଦୁଝର ଜିଲ୍ଲାରେ ରାଜନୀତିକୁ ଏକ ପ୍ରକାର ନିୟନ୍ତ୍ରଣ କରିପାରୁଥିବା ନେତା ଭାବରେ ସେ ବେଶ ପରିଚିତ । କିନ୍ତୁ ବିଜେଡିର କେନ୍ଦୁଝର ଜିଲ୍ଲା ନେତା ତଥାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ସହ ତାଙ୍କର ତିକ୍ତତା ଯୋଗୁ ଜିଲ୍ଲା ରାଜନୀତିରେ ଅଧିକାଂଶ ସମୟ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେଉଛି । ଉଭୟ ପକ୍ଷ ପୁରା ତକାତକି ଅବସ୍ଥାରେ ଅଛନ୍ତି । କିନ୍ତୁ ପୁଲିସ ମାଧ୍ୟମରେ ସନାଙ୍କର ସମର୍ଥକମାନଙ୍କ ବିରୋଧରେ ବିଭିନ୍ନ ମାମଲା କରାଯିବା ଓ ଗିରଫ କରାଯିବା ସହ ଅର୍ଥ କାରବାର ଘଟଣାରେ ସନାଙ୍କ ବିରୋଧରେ ମାମଲା ମଧ୍ୟ କରାଯାଇଛି । ଏଥିସହ ତାଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି । ସନା ଯେପରି ଆସନ୍ତା ନିର୍ବାଚନରେ ହଲି ନ ପାରିବେ ସେଥିଲାଗି ସବୁ ବ୍ୟବସ୍ଥା ବିଜେଡି ସରକାରଙ୍କ ପକ୍ଷରୁ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି ।
ତାଙ୍କ ବିରୋଧରେ ପୁଲିସ ପକ୍ଷରୁ ବିଭିନ୍ନ ପ୍ରକାରର ଏକାଧିକ ମାମଲା ରୁଜୁ ହୋଇଛି । ଅବଶ୍ୟ ହାଇକୋର୍ଟ ଯାଇ ପ୍ରାୟ ସବୁ ମାମଲାରେ ଆଗୁଆ ଜାମିନ ପାଇସାରିଲେଣି । କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଜବତ କରାଯାଇଥିବାରୁ ସେ ଅଡୁଆରେ ପଡ଼ିଛନ୍ତି । ନିର୍ବାଚନ ଲଢ଼ିବାକୁ ଚାହୁଁଥିବାରୁ ସେଥିପାଇଁ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଗଲେ ଖର୍ଚ୍ଚ କେଉଁଠୁ ଆଣି ଦେଖାଇବେ ତାହା ତାଙ୍କ ପାଇଁ ମୁଖ୍ୟ ସମସ୍ୟା । ନଚେତ କୁହାଯାଉଛି ବ୍ୟାଙ୍କ ଆକାଉଣ୍ଟ ଜବତ ହେଲେ ସେଥିପାଇଁ ସେ ବ୍ୟସ୍ତ ନୁହଁନ୍ତି । କାରଣ ସେହି ପଇସାରେ ସେ ନିର୍ବାଚନ ଲଢ଼ିବେ ବୋଲି ନିର୍ଭର କରିନାହାଁନ୍ତି । କିନ୍ତୁ ଆକାଉଣ୍ଟ ଜବତ ହୋଇଥିବାରୁ ଏତେ ପଇସା କେଉଁଠୁ ଆଣି ଲଢ଼ିଲେ ସେ ନେଇ ପ୍ରଶ୍ନ ଉଠିବ । ଏଥିପାଇଁ ସେ ବିଜେଡିକୁ ବିଶ୍ୱାସ ଦେବାପାଇଁ ଯେ, ସେ କଂଗ୍ରେସ ସାଙ୍ଗରେ କି ଅନ୍ୟ କାହା ସହିତ ରହିବେ ନାହିଁ ତାଙ୍କ ଦଳ ମଧ୍ୟ ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ଚାରିଆକ୍ଷେ ପ୍ରାର୍ଥର୍ୀ ଦେବ ନାହିଁ । ସେଥିପାଇଁ ସେ ଗଢ଼ିଥିବା ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ଦେବା ପରେ ଦଳ ଏକପ୍ରକାର ଅଚଳହୋଇ ପଡ଼ିଲା ବୋଲି ଧରାଯିବ । କାରଣ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼ ପ୍ରଭୃତି କେତେ ଜିଲ୍ଲାରେ ପ୍ରାର୍ଥୀ ଦେବବୋଲି ଘୋଷଣା କରାଯିବାର କିଛି ଦିନ ପରେ ସଭାପତି ପଦରୁ ସନାଙ୍କ ଇସ୍ତଫା ପଛର ରହସ୍ୟ ବୁଝା ପଡ଼ିଯାଉଛି । ପୂର୍ବରୁ ତାଙ୍କ କାର୍ଯ୍ୟକ୍ରମରୁ ଯାହା ସୂଚନା ମିଳୁଥିଲା ସେ କଂଗ୍ରେସ ସହ ଯିବେ । ପିସିସି ସଭାପତି ନିରଂଜନ ପଟ୍ଟନୟକଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ସେ ଆଲେଚାନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଥିବା ନେଇ ଏକଥା ଏବେ ଚଳିତ ବିଧାନସଭା ଅଧିବେଶନ ସମୟରେ ସ୍ପଷ୍ଟ ହେଲା । ଯାହା ପୂର୍ବରୁ କେବେ ସନାଙ୍କ କ୍ଷେତ୍ରରେ ଦେଖାଯାଇ ନ ଥିଲା ତାହା ଏଥର ଦେଖିବାକୁ ମିଳିଲା । ବିଧାୟକଙ୍କ ମଧ୍ୟରେ ହେଉଥିବା ଆଲୋଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ବିଧାନସଭାରୁ ବାହାରିକି ଯାଆନ୍ତି ତାଙ୍କୁ ନମସ୍କାର କରିବା ପାଇଁ କୁଆଡ଼େ ସନାତନ ଆଗୁଆ ଗୃହରୁ ବାହାରି ବାହରୁ ଆସି ଛିଡ଼ା ହୋଇ ଅପେକ୍ଷା କରିଥାନ୍ତି । ମୁଖ୍ୟମନ୍ତ୍ରୀ ସେହି ବାଟ ଦେଇ ଯିବାବେଳେ ସେ ତାଙ୍କୁ ନମସ୍କାର କରନ୍ତି । ଏଭଳି କଥା ଦେଖି ବିଧାୟକମାନେ କୁଆଡ଼େ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହାକୁ ଦେଖି ଆଲୋଚନା ହେଉଛି ସନା କୁଆଡ଼େ ନିଜର ସୁରକ୍ଷା ପାଇଁ ଆଉ କଂଗ୍ରେସ ମୁହାଁ ନ ହୋଇ ବିଜେଡି ଆଡ଼କୁ ଢ଼ଳୁଛନ୍ତି ।

ସନା ଆସିବେ କଂଗ୍ରେସ!