ସନା ଆସିବେ କଂଗ୍ରେସ!

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋରଦାର ଚାଲିଛି । ବିଶେଷ ଭାବରେ ସେ ଗଢ଼ିଥିବା ନିଜ ଦଳରୁ ଇସ୍ତଫା ଦେବା ପରେ ତାଙ୍କର ଆଗାମୀ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ କଥା କୁହାଯାଉଛି । ଏପରି କି ସେ ମଧ୍ୟ ରାଜନୀତି ଛାଡ଼ିବେ ନାହିଁ ବୋଲି ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି । ଏଥିରୁ ଯାହା ସୂଚନା ମିଳୁଛି ଏବଂ ଯାହା କୁହାଯାଉଛି ସେଥିରେ ସେ କୁଆଡ଼େ କଂଗ୍ରେସରେ ଯୋଗ ଦେଇ ପାରନ୍ତି । ତାଙ୍କ ପୁରୁଣା ଦଳ କଂଗ୍ରେସକୁ ଫେରିବା ପାଇଁ ସେ ଚାହୁଁଛି । କଂଗ୍ରେସରେ ବର୍ତ୍ତମାନ ଯେଉଁଭଳି ବିଧାୟକମାନେ ଜଣକ ପରେ ଜଣେ ବାଡ଼ ଡେଇଁବା ପାଇଁ ଗୋଡ଼ ଟେକି ବସିଛନ୍ତି ସେଥିରେ ଜଣେ ସ୍ୱାଧୀନ ବିଧାୟକଙ୍କୁ ଆଣି ଦଳ ନିଜର କ୍ଷତିକୁ କିଛି ଭରଣା କରିବାକୁ ଚାହୁଁଥିବା କଥା କୁହାଯାଉଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଇଁ ଏହା ଏବେ ଏକ ଚ୍ୟାଲେଞ୍ଜ ଭାବେ ଦେଖାଦେଇଥିବାରୁ ଆଉ ଜଣେ ବିଧାୟକଙ୍କୁ ଆଣି ଦଳରେ ସାମିଲ କରି ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିବା କଥା ଅନେକ ମତ ଦେଉଛନ୍ତି । କେନ୍ଦୁଝର ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି । ନିରଂଜନ ଓ ସନାତନ ପୂର୍ବରୁ ପରସ୍ପରର ଶତ୍ରୁଥିଲେ ବି ସମୟ ଚକ୍ରରେ ଏବେ ଏକାଠି ହୋଇଛନ୍ତି । ଉଭୟଙ୍କର ପରମ ରାଜନୈତିକ ଶତ୍ରୁ ହୋଇଛନ୍ତି ସ୍ଥାନୀୟ ବିଜେଡି ନେତା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ଏଣୁ ବଦ୍ରିଙ୍କଠାରୁ ପ୍ରତିଶୋଧ ନେବାପାଇଁ ଉଭୟ ହାତ ମିଳାଇଥିବା ନେଇ ଅନେକଦିନ ହେଲା ଦେଖାଯାଇ ଆସୁଛି । ସନାତନଙ୍କ ସହ ନିରଂଜନ ନିୟମିତ ଯୋଗାଯୋଗରେ ଥିବା ମଧ୍ୟ ଦେଖାଦେଇଛି । ଏ କ୍ଷେତ୍ରରେ ସନାତନଙ୍କର ଦଳରୁ ଇସ୍ତଫା ଘଟଣା ମିଶ୍ରଣ ଆଲୋଚନାକୁ ଅଧିକ ଖୋରକ ଯୋଗାଇଛି ।
କେନ୍ଦୁଝରରେ ସନାତନଙ୍କର ପ୍ରଭାବ ବେଶ ଭଲ ରହିଛି । ତାଙ୍କୁ ପ୍ରଥମେ ବିଜେଡି ଦଳକୁ ନେବାପାଇଁ ଚାହିଁଥିଲା । କିନ୍ତୁ ବଦ୍ରିଙ୍କ ଚାଲରେ ଦଳ ଆଉ ସିଆଡ଼େ ମନ ଦେଲାନାହିଁ । ସନାତନ ଏବେ ଜିଲ୍ଲାରେ ନାନା ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି । ପ୍ରଶାସନ ତାଙ୍କୁ ପୁରା ନୟାନ୍ତ କରିସାରିଲାଣି । ତାଙ୍କର ସବୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଏକ ପ୍ରକାର ଉଦ୍ୟମ ଜାରି ରଖାଯାଇଛି ବୋଲି କୁହାଯାଉଛି । ବିଶେଷ ଭାବରେ କେନ୍ଦୁଝର ରାଜନୀତିକୁ କବଳିତ କରିବା ପାଇଁ ସନାତନ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜେଡି ବିରୋଧରେ ଯେଉଁଠି ସନାଙ୍କ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି ସେଠି ବିଜେଡି ହାରି ଯାଉଛି । ଫଳରେ ବିଜେଡି ପାଇଁ ସନା କେନ୍ଦୁଝର ଜିଲ୍ଲାରେ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛନ୍ତି । ଏପରି କି ସେ ଯେତେବେଳେ ଜନସମୃଦ୍ଧି ପାର୍ଟି ଗଠନ କଲେ ସେତେବେଳେ ବିଜେଡି ନଜର ତାଙ୍କ ଉପରେ ଅଧିକ ରହିଲା । ନୂଆ ପାର୍ଟି ଗଠନ କରି ନିର୍ବାଚନ କମିଶନଙ୍କ ନିକଟରେ ଏହାର ରେଜିଷ୍ଟ୍ରୀ କରାଯାଇ ସାରିଛି । ଆସନ୍ତା ନିର୍ବାଚନ ପୂର୍ବରୁ ଆଂଚଳିକ ଦଳ ଭାବେ ତାଙ୍କ ଦଳକୁ ଏକ ଚିହ୍ନ ମିଳିବ । ଏପରି କି ଦଳ ମଧ୍ୟ ୩୦ଟି ବିଧାନସଭା ଓ ୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିସାରିଛି । ଏଭଳି ସ୍ଥିତିରେ ସନା ତାଙ୍କ ଦଳର ସଭାପତି ପଦରୁ ଇସ୍ତଫା ଦେବା ପଛରେ ରାଜନୈତିକ କାରଣ ଅନ୍ତର୍ନିହିତ ବୋଲି କୁହାଯାଉଛି । ସେ ଆଉ ପୁରା ଦଳକୁ ନେଇ ବିଭିନ୍ନ ଜିଲ୍ଲାରେ ପ୍ରାର୍ଥୀ ଦେଇ ବିଜେଡିକୁ ଟକ୍କର ଦେବା ସପକ୍ଷରେ ବୋଧହୁଏ ନାହାଁନ୍ତି । ସେଥିପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ଏକଥା ସତ ସେ ଏବେ ଟିକିଏ ଅସୁସ୍ଥ ଅଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ସେ ରାଜନୀତି ପ୍ରତି ମୁହଁମୋଡ଼ି ଦେଇଛନ୍ତି । ଏକଥାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି । ବଂଚିଥିଲା ପର୍ଯ୍ୟନ୍ତ ରାଜନୀତି କରିବେ ବୋଲି ଘୋଷଣା କରିଛନ୍ତି । ମାଛ ଯେପରି ଜଳ ବିନା ରହିପାରିବ ନାହିଁ ସେ ମଧ୍ୟ ସେହିପରି ରାଜନୀତିକୁ ଛାଡ଼ି ବଂଚିପାରିବେନାହିଁ । ଏଭଳି ଢ଼ଙ୍ଗରେ ମତ ରଖିଛନ୍ତି ।
ଏଣୁ ଦଳରୁ ଇସ୍ତଫା ଦେବା ଏବଂ ରାଜନୀତି କରିବା ପାଇଁ ମତ ରଖିବା ପରେ ସେ କଂଗ୍ରେସକୁ ଆସୁଥିବା କଥା ଯାହା ପୂର୍ବରୁ ଚର୍ଚ୍ଚା ହେଉଥିଲା ତାହା ଏବେ ଅଧିକ ବଳବତ୍ତର ହୋଇଛି ବୋଲି ଅନେକ ମତ ଦେଉଛନ୍ତି । କଂଗ୍ରେସର ଯେଉଁ କ୍ଷତି ଏବେ ନବ ଦାସଙ୍କ ବିଦା ହେବା ପରେ ଘଟିଛି ତାହା ଭରଣା କରିବା ପାଇଁ ସନାଙ୍କୁ ଆଣିବା ଯୋଜନା ବୋଲି ଚର୍ଚ୍ଚା ହେଉଛି ।