ସନା ମିଶିବେ କଂଗ୍ରେସରେ!

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼ ଖୁବ ଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ଆଲୋଚନା ହେଉଛି । ଏଥିନେଇ ଶ୍ରୀ ମହାକୁଡ଼ଙ୍କ ସହ କଂଗ୍ରେସର ବରିଷ୍ଠ ନେତାମାନେ ଆଲୋଚନା ଚଳାଇଥିବା ଜଣାପଡ଼ିଛି । ନିଜେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏ ଦିଗରେ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଶ୍ରୀ ମହାକୁଡ଼ଙ୍କ ସହ ଇତିମଧ୍ୟରେ ସେ ଏକାଧିକବାର ଆଲୋଚନା କରିସାରିଲେଣି । ଶ୍ରୀ ମହାକୁଡ଼ ମଧ୍ୟ ଚାହୁଁଛନ୍ତି ତାଙ୍କର ଭବିଷ୍ୟତ ରାଜନୀତି ଓ ସୁରକ୍ଷା ପାଇଁ ଏକ ଜାତୀୟ ଦଳରେ ସାମିଲ ହେବେ । କାରଣ ବର୍ତମାନ ରାଜ୍ୟ ସରକାର ତାଙ୍କ ପଛରେ ପଡ଼ିଯାଇଛନ୍ତି । କୁହାଯାଉଛି ବିଜେଡି ତାଙ୍କୁ ନେବା ପାଇଁ ଚାହୁଁଥିଲା । କିନ୍ତୁ କେନ୍ଦୁଝର ରାଜନୀତିରେ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ଶକ୍ତି ବୃଦ୍ଧି ଶ୍ରୀ ମହାକୁଡ଼ଙ୍କ ପାଇଁ ଅଡୁଆ ହୋଇଛି । ଏଣୁ ସେ ବିଜେଡି ବଦଳରେ କଂଗ୍ରେସରେ ସାମିଲ ହେବାକୁ ଚାହୁଁଛନ୍ତି । ନିଜେ ଯେଉଁ ଆଂଚଳିକ ଦଳ ଗଠନ କରିଛନ୍ତି ତାହା ସଫଳ ହେବ ନାହିଁ ବୋଲି ଜାଣି ଏ ପଦକ୍ଷେପ ନେଉଥିବା କୁହାଯାଉଛି ।
ଶ୍ରୀ ମହାକୁଡ଼ଙ୍କୁ ଆଣି ଦଳରେ ମିଶାଇବା ପାଇଁ ପିସିସି ସଭାପତି ଅଣ୍ଟାଭିଡ଼ିବା ହେଉଛି ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ । କାରଣ ପୂର୍ବରୁ ଯେତେବେଳେ ନିରଂଜନ ପଟ୍ଟନାୟକ ପିସିସି ସଭାପତି ଥିଲେ ସେତେବେଳେ ତାଙ୍କୁ ହଟାଇବା ପାଇଁ ଶ୍ରୀ ମହାକୁଡ଼ କୁଆଡ଼େ ଏଆଇସିସି ନେତାଙ୍କୁ ପ୍ରଭାବିତ କରିଥିଲେ । ଶ୍ରୀ ପଟ୍ଟନାୟକଙ୍କୁ ହଟାଇ ଜୟଦେବ ଜେନାଙ୍କୁ ସଭାପତି କରିବା ପାଇଁ ସେତେବେଳେ ଯେଉଁ ମୋଟା ଅଙ୍କ କାରବାର ହୋଇଥିବାର ଅଭିଯୋଗ ହୋଇଥିଲା ତା ପଛରେ କୁଆଡ଼େ ଶ୍ରୀ ମହାକୁଡ଼ ଥିଲେ । ଏକଥା ମଧ୍ୟ ଶ୍ରୀ ପଟ୍ଟନାୟକ ଭଲଭାବେ ଅବଗତ । କିନ୍ତୁ ଏବେ ପଛକଥାକୁ ଭୁଲି ଏକ ରାଜନୀତିକ ଦଳର ନେତୃତ୍ୱ ନେଲାଭଳି ଭାବନା ଜାଗ୍ରତ କରିବା ପାଇଁ ସେ ଉଦ୍ୟମ କରୁଥିବା କୁହାଯାଉଛି । ଶ୍ରୀ ମହାକୁଡ଼ ନିଜର ଆଂଚଳିକ ଦଳ ଗଠନ କରିଥିଲେ ମଧ୍ୟ ସେ ମୋହ ଛାଡ଼ି ଜାତୀୟ ଦଳ ମୁହାଁହୋଇଛନ୍ତି । କାରଣ ବିଜେଡି ଯେଉଁଭଳି ଭାବରେ ତାଙ୍କୁ ହଲାପଟା କରୁଛି ଓ ଆଗକୁ ଅଧିକ କରିବାର ସମ୍ଭାବନା ରହିଛି ସେଥିପାଇଁ ସେ ଏହି ପଦକ୍ଷେପ ନେବାକୁ ଯାଉଥିବା କଥା ମଧ୍ୟ ଆଲୋଚନା ହେଉଛି । ଏଥିପାଇଁ ସେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ମାଧ୍ୟମ କରିଛନ୍ତି ବୋଲି କୁହାଯାଉଛି । ପ୍ରକୃତରେ ଯଦି ଶ୍ରୀ ମହାକୁଡ଼ ଆସି କଂଗ୍ରେସରେ ଯୋଗ ଦିଅନ୍ତି ତେବେ ଏହା ପିସିସି ସଭାପତିଙ୍କ ପାଇଁ ଓ ତାଙ୍କ ନେତୃତ୍ୱ ପ୍ରତି ଏକ ବଡ଼ ସଫଳତା ହେବ । ପୂର୍ବରୁ ସେ ସମତାକ୍ରାନ୍ତୀର ବିଧାୟକ ଜଜ୍ତିର୍କୀଙ୍କୁ ଆଣି କଂଗ୍ରେସରେ ସାମିଲ କରିସାରିଛନ୍ତି । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦିଲ୍ଲୀରେ ଜଜ ସାମିଲ ହୋଇଥିଲେ । ଏବେ ଶ୍ରୀ ମହାକୁଡ଼ ମଧ୍ୟ ରାହୁଲଙ୍କ ଉପସ୍ଥିତିରେ ସାମିଲ ହେବା ପାଇଁ ଚାହୁଁଛନ୍ତି ବୋଲି କୁହାଯାଉଛି ।
ଶ୍ରୀ ମହାକୁଡ଼ ଆସିଲେ ପିସିସି ସଭାପତିଙ୍କ ପାଇଁ ଅନେକ ଫାଇଦା ହେବ । ଗୋଟିଏ ତ ତାଙ୍କ ନେତୃତ୍ୱର ପରାକାଷ୍ଠାର ପ୍ରମାଣ ମିଳିବ । ଅନେକ ନେତା କଂଗ୍ରେସ ଛାଡ଼ି ଚାଲିଯାଇଥିବା ବେଳେ ଜଣକ ପରେ ଜଣେ ବିଧାୟକଙ୍କୁ ଆଣି ଦଳରେ ସାମିଲ କରାଇବାରେ ସମର୍ଥ ହେଉଛନ୍ତି । ଅନ୍ୟ ପଟରେ ଆସନ୍ତା ନିର୍ବାଚନ ପାଇଁ ଅନ୍ୟମାନଙ୍କ ତୁଳନାରେ ସବୁଦିଗରୁ ଶ୍ରୀ ମହାକୁଡ଼ ବେଶ ସହାୟକ ହେବେ । ଶ୍ରୀ ମହାକୁଡ଼ କେଉଁଥିପାଇଁ ଅଧିକ ପରିଚିତ ତାହା ଅଛପା ନାହିଁ । କେନ୍ଦୁଝର ରାଜନୀତିରେ ମହାକୁଡ଼ଙ୍କର ପ୍ରଭାବ ମଧ୍ୟ ରହିଛି । ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମହାକୁଡ଼ଙ୍କ ନେତୃତ୍ୱ ଏକାଠି ହୋଇପାରିଲେ ଦଳର ସଙ୍ଗଠନ ଅଧିକ ସୁଦୃଢ଼ ହେବ ଆଉ ବିଜେଡିର ସ୍ଥାନୀୟ ନେତା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କୁ ଚ୍ୟାଲେଞ୍ଜ ଦେଇପାରିବେ । ଏପରି କି ଶ୍ରୀ ପଟ୍ଟନାୟକ ଦୀର୍ଘଦିନ ଧରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପ୍ରଭାବ ଯୋଗୁ ବିଧାନସଭାକୁ ଆସିପାରୁ ନ ଥିବାରୁ ଏଥର ଆସିବାରେ ସମର୍ଥ ହୋଇପାରିବେ । ଏଭଳି ଅନେକ କିଛି କଥାକୁ ଦୃଷ୍ଟିରେ ରଖି ଅତିତର ରାଗକୁ ଭୁଲି ଶ୍ରୀ ମହାକୁଡ଼ଙ୍କୁ ଆଣିବା ପାଇଁ ଶ୍ରୀ ପଟ୍ଟନାୟକ ଉଦ୍ୟମ ଚଳାଇଛନ୍ତି ବୋଲି ଆଲୋଚନା ହେଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପିସିସି ସଭାପତି ଜଣାଇଦେବେ ଯେ, ସେ ଦଣ୍ଡିକିରି ଧରୁଥିଲା ବେଳେ ଏ ବାଳିଆ ଧରୁଛନ୍ତି । ସାଧାରଣ କର୍ମୀ ଓ କିଛି ତଳସ୍ତରର ହଜାର ହଜାର ନେତାଙ୍କୁ ସାମିଲ କରିବା ଯାହା ତାହାର ଢ଼େର ଗୁଣ ଅଧିକା ହେଉଛି ଜଣେ ବିଧାୟକଙ୍କୁ ଦଳରେ ସାମିଲ କରିବା । ପ୍ରକୃତରେ ଜଣେ ବିଧାୟକଙ୍କ ଅଧିନରେ ଗୋଟିଏ ନିର୍ବାଚନମଣ୍ଡଳୀର ବହୁ ଲୋକ ସାମିଲ ଥାନ୍ତି ।
ବିଜେଡି ମଧ୍ୟ ଶ୍ରୀ ମହାକୁଡ଼ଙ୍କୁ ନେବାପାଇଁ ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ ବିଜେଡି ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଛାଡ଼ିବା ସପକ୍ଷରେ ନ ଥିବାରୁ ଶ୍ରୀ ମହାକୁଡ଼ ଏଥିରେ ମିଶିବା ନେଇ ରାଜି ହୋଇ ନ ଥିବା କୁହାଯାଉଛି । କାରଣ ଶ୍ରୀ ପାତ୍ରଙ୍କ ପିଲାମାନେ ଓ ସମର୍ଥକମାନେ ଶ୍ରୀ ମହାକୁଡ଼ଙ୍କ ଗୋଷ୍ଠୀକୁ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି । ଏଣୁ ତାଙ୍କର ସର୍ତ୍ତଥିଲା ଶ୍ରୀପାତ୍ରଙ୍କୁ ହଟାଇବା । ହେଲେ ତାହା ସମ୍ଭବ ହେଉନାହିଁ । ଇତିମଧ୍ୟରେ ପ୍ରଶାସନିକ କଳ ତାଙ୍କୁ ବହୁ ହଇରାଣ ହରକତ ମଧ୍ୟ କରିବାରେ ଲାଗିଛି । ଏସବୁ ଦେଖି ସେ କଂଗ୍ରେସ ପ୍ରତି ଢ଼ଳୁଥିବା କୁହାଯାଉଛି ।

2 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here