ଏସ୍‌ସିବିରେ ଆଖି ବୁଜିଲେ ସାଲେପୁର ଦୁଷ୍କର୍ମ ପୀଡିତା,୫ ଲକ୍ଷ ଟଙ୍କାର ଅନୁକମ୍ଫା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କଟକ: ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହୋଇଥିବା ସାଲେପୁର ଅଞ୍ଚଳର ୬ ବର୍ଷର ନାବାଳିକା ରବିବାର କଟକ ବଡ଼ଡାକ୍ତରଖାନାରେ ଆଖି ବୁଜିଛନ୍ତି। ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ବଡ଼ ମେଡିକାଲର ଶିଶୁ ବିଭାଗ ଟ୍ରୋମା ICUରେ ସେ ଚିକିତ୍ସାଧୀନ ଥିଲେ। SCB ଅଧୀକ୍ଷକ ଶ୍ୟାମା କାନୁନଗୋ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହେବା ପରେ ନାବାଳିକାକୁ ମୂମୁର୍ଷୁ ଅବସ୍ଥାରେ ଗତ ଏପ୍ରିଲ ୨୧ରେ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହା ପରେ ଗୁରୁତର ଭାବେ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ମଧ୍ୟ ନାବାଳିକାର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିଲା। ତାଙ୍କର ବ୍ରେନ୍‌ ଷ୍ଟେମ୍‌ କାମ କରିବା ଶନିବାର ଠାରୁ ବନ୍ଦ ହୋଇ ଯାଇଥିଲା। ତାକୁ ଚିମୁଟିଲେ ମଧ୍ୟ ଯନ୍ତ୍ରଣା ଲାଗୁ ନଥିଲା। ସେହିପରି ଆଖି ଉପରେ ଆଲୋକର ପ୍ରଭାବ ମଧ୍ୟ ନଥିବା ମଧ୍ୟ ଡାକ୍ତର ଦଳ ଦେଖିବାକୁ ପାଇଥିଲେ। ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମୃତ ନାବାଳିକାଙ୍କ ବଡ଼ ଭଉଣୀ ଦାବି କରିଛନ୍ତି। ସେ କହିଛନ୍ତି,“ଯିଏ ଏପରି କାର୍ଯ୍ୟ କରିଛି ତାକୁ ଫାଶୀ ଦିଆଯାଉ ଯେପରି ଆଉ କେହି ଏମିତି କାର୍ଯ୍ୟ କରିବାକୁ ସାହସ କରିବେ ନାହିଁ।”
ଅଭିଯୋଗ ଅନୁସାରେ ଘଟଣା ଦିନ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଚକଲେଟ୍‌ ଆଣିବା ପାଇଁ ଘରୁ ବାହାରକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନଫେରିବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ନିକଟରେ ଥିବା ସ୍କୁଲ ବାରଣ୍ଡାରେ ସେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କ ପାଟିରୁ ରକ୍ତ ବାହାରୁଥିଲା। ଶିଶୁଟିକୁ ସଙ୍ଗେ ସଙ୍ଗେ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁ ନଥିଲା। ତାଙ୍କୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକେ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଗିରଫ କରି ସାରିଛି। ମୃତ ନାବାଳିକାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ଫା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।