ରାହୁଲ ଓ ନିରଂଜନଙ୍କୁ ସଗରିଆଙ୍କ ଅପମାନ

ଭୁବନେଶ୍ୱର: ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସିଧାସଳଖ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଦଳରେ ଥାଇ ମଧ୍ୟ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବୋଲି କୁହାଯାଉଛି । ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପୂର୍ବରୁ ରାହୁଲ ନାମ୍ନୀ କିମ୍ବା ପିସିସି ସଭାପତିଙ୍କ ସହ ଆଲୋଚନା କରି ନ ଥିଲେ । କଂଗ୍ରେସ ଟିକେଟରେ ସଗରିଆ କୋରାପୁଟ ବିଧାନସଭା ଆସନରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ନିୟମ ଅନୁସାରେ ବା ସୌଜନ୍ୟତା ଦୃଷ୍ଟିରୁ ଦଳର ମୁଖିଆଙ୍କ ସହ ଆଲୋଚନା କରିବା କଥା । ହେଲେ ସେ ଏଥିପ୍ରତି ଭୃକ୍ଷେପ ନ କରି ବିଧାୟକ ପଦରୁ ସିଧା ଇସ୍ତଫା ଦେଲେ । ଏବେ କୁହାଯାଉଛି ସଗରିଆ ଯେତେବେଳେ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇଥିଲେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ଦଳ ମୁଖିଆଙ୍କୁ ଅବଗତ କରାଇବା । ସେ ଉଭୟ ଜାତୀୟ ଓ ରାଜ୍ୟ ମୁଖିଆଙ୍କୁ ଅବଜ୍ଞା କରି ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କୁ ଏଯାଏଁ ଏଥିନେଇ କାରଣଦର୍ଶାଅ ନୋଟିସ ଜାରି କରାଯାଇ ନ ଥିବା ଜଣାପଡ଼ିଛି । ଇସ୍ତଫା ଦେବା ପରେ ସେ କହିଛନ୍ତି ସେ କଂଗ୍ରେସରେ ଏବେ ଅଛନ୍ତି ଓ ରହିବେ । ଏଭଳି ବିଶୃଙ୍ଖଳିତ କାର୍ଯ୍ୟ କରିବା ସହ ଦୁଇ ମୁଖିଆଙ୍କୁ ଅପମାନିତ କରିଥିବା ସତ୍ୱେ ତାଙ୍କୁ ଦଳ ଭିତରେ କିଭଳି ଭାବରେ ରଖାଯାଇଛି ସେଥିନେଇ ଉଠିଛି ପ୍ରଶ୍ନ । ସେ ଏକ ପ୍ରକାର ନେତୃତ୍ୱ ପ୍ରତି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବୋଲି ଆଲୋଚନା ହେଉଛି ।
ଅବଶ୍ୟ ସଗରିଆ ପୂର୍ବରୁ ଦଳକୁ ବିଧାୟକ ପଦରୁ ଇସ୍ତଫା ଦେବା ଘଟଣା ନେଇ ଯେଉଁ ପ୍ରସଙ୍ଗ ଉତ୍ଥାପନ କରି ଚିଠି ଲେଖିଥିଲେ ଏବେ ଇସ୍ତଫା ଦେବା ସମୟରେ ଯେଉଁ କାରଣ ଦର୍ଶାଇଛନ୍ତି ତାହା ସମାନ ନୁହେଁ । ସଗରିଆ ପୂର୍ବରୁ ବିଧାୟକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତାଙ୍କ ଏହି ଅଭିଯୋଗ ଉପରେ ବାହିନୀପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ତାଙ୍କର ଅଭିଯୋଗ ଥିଲା ସେ ହିନ୍ଦୁଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ତାଙ୍କ ଅଂଚଳର କିଛି ଲୋକ ଏହାକୁ ପ୍ରଶ୍ନ ଉଠାଇ ତାଙ୍କ ବିରୋଧରେ ଥାନାରେ ମାମଲା କରିଥିଲେ । ଯେଉଁମାନେ ତାଙ୍କ ବିରୋଧରେ ଯାଇଥିଲେ ସେମାନଙ୍କୁ ତାରା ପ୍ରସାଦ ବାହିନୀପତି ପ୍ରୋତ୍ସାହିତ କରିଥିବା ଓ ସେମାନେ ତାଙ୍କ ଲୋକ ହୋଇଥିବା ସଗରିଆ ଅଭିଯୋଗ କରିଥିଲେ । ଏଥିସହ ଉଭୟଙ୍କ ଭିତରେ ହୋଇଥିବା କିଛି ମତ ପାର୍ଥକ୍ୟ ଓ କଥାକଟାକଟି ପ୍ରସଙ୍ଗ ମଧ୍ୟ ରହିଥିଲା । ସଗରିଆଙ୍କ ଏହି ଚିଠି ପାଇବା ପରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବାପାଇଁ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ତାର ତଦନ୍ତ ଚଳାଇଥିଲା । ଶେଷ ବୈଠକରେ ସଗରିଆଙ୍କର ହାଜର ହେବାର ଥିଲା । କିନ୍ତୁ ସେ ହାଜର ନ ହେବାରୁ କମିଟି ତାଙ୍କୁ ପରବର୍ତ୍ତୀ ବୈଠକରେ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଭବନରେ ଉଭୟେ ତାର ଓ ସଗରିଆଙ୍କ ମଧ୍ୟରେ ଆଲୋଚନା ହୋଇ ବୁଝାମଣା କରାଯାଇଥିଲା । ଉଭୟ ଗଣମାଧ୍ୟମ ଆଗକୁ ଆସି ଏ ବିଷୟ ପ୍ରକାଶ କରିଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ସଗରିଆଙ୍କୁ ଦଳର ଏସି ସେଲ ଅଧ୍ୟକ୍ଷ ପଦରୁ ବାଦ ଦେଇ ପିସିସିି ସାଧାରଣ ସମ୍ପାଦକ କରାଯାଇଥିଲା । କିନ୍ତୁ ସଗରିଆଙ୍କୁ ଏହା ସନ୍ତୁଷ୍ଟ କରିପାରି ନ ଥିଲା । ଏହି ଘଟଣାକୁ ସେ ଅପମାନଜନକ ବୋଲି ଭାବିଥିଲେ । କେଉଁ ପରିସ୍ଥିତିରେ ତାଙ୍କୁ ଏସି ସେଲ୍ ଅଧ୍ୟକ୍ଷ ପଦରୁ ବିଦା କରାଗଲା ସେଥିନେଇ ସେ ପ୍ରଶ୍ନ ଉଠାଇଥିଲେ । ଏଥିଲାଗି ସେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଥିଲେ । ପିସିସି ସଭାପତି ଜାଣିଶୁଣି ତାଙ୍କୁ ପଦବୀରୁ ଚକ୍ରାନ୍ତ କରି ହଟାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ତାଙ୍କୁ ଯେଉଁ ପିସିସିର ସାଧାରଣ ସମ୍ପାଦକ କରାଯାଇଥିଲା ତାହାକୁ ସେ ପ୍ରତ୍ୟାକ୍ଷାନ କରିଥିଲେ । ତାଙ୍କୁ ନ ଜଣାଇ ଓ ତାଙ୍କ ସହ ଆଲୋଚନା ନ କରି ଏଭଳି ପଦକ୍ଷେପ ନିଆଯିବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରି ନ ଥିଲେ । ଏହି ଘଟଣା ତାଙ୍କୁ ବହୁ ଅପମାନିତ କଲା ବୋଲି ସେ କହିଥିଲେ । ତାରାଙ୍କ ସହ ତାଙ୍କର ବୁଝାମଣା କେବଳ ଉପରଦେଖାଣିଆ ଥିଲା । ବାସ୍ତବରେ ସେ ତାରାଙ୍କୁ ବିରୋଧ କରୁଥିଲେ । ତାରାଙ୍କ ବିରୋଧରେ କିଛି ନ କହି କୋରାପୁଟ ମ୍ୟୁନସିପାଲଟି ଦାୟିତ୍ୱରେ ଥିବା ତାରାଙ୍କ ଭାଇଙ୍କ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ଆଣିଥିଲେ । ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଥିଲେ । ସିଧାସଳଖ ନ କହି ତାରାଙ୍କୁ ବଦନାମ କଲାଭଳି କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ତାରାଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ପଦରୁ ବିଦା କରିବା ପାଇଁ ବହୁ ଯୋଜନା କରାଯାଇଥିଲା ଓ ଦାବି ମଧ୍ୟ ଉଠିଥିଲା । କିନ୍ତୁ ସେ ଦାବିକୁ ଗ୍ରହଣ କରାଯାଇ ନ ଥିଲା ବେଳେ ତାଙ୍କ ଅଧ୍ୟକ୍ଷ ପଦବୀ ପଳାଇବା ଘଟଣାରେ ସେ କ୍ଷୁବ୍ଧ ହୋଇଥିଲେ । ଦଳର ନେତାମାନଙ୍କ କହିବା କଥା କାହାରି ପଦପଦବୀ ଚିରସ୍ଥାୟୀ ନୁହେଁ । ପିସିସି ସଭାପତି ଯେତେବେଳେ ବଦଳି ପାରୁଛନ୍ତି ସେତେବେଳେ ଅନ୍ୟ କୌଣସି ପଦବୀ ବଦଳିବା ବଡ଼କଥା ନୁହେଁ ।
ଆଉଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେଉଛି ସଗରିଆ ଆଉ ଜଣେ ଦଳିତ ଶ୍ରେଣୀର ବୋଲି ନିଜକୁ ଦାବି କରିପାରିବେ ନାହିଁ । ତାଙ୍କ ବିରୋଧରେ ଯଦି କେହି ମାମଲା କରେ ତେବେ ସେ ଅଡୁଆରେ ପଡ଼ିବେ । କାରଣ ଇତିମଧ୍ୟରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିସାରିଛନ୍ତି । ନିୟମ ଅନୁସାରେ ଯେଉଁଦିନ ସେ ହିନ୍ଦୁଧର୍ମ ଛାଡ଼ି ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ ସେହିଦିନ ହିଁ ସେ ଦଳୀତଶ୍ରେଣୀରୁ ବାଦ ପଡ଼ିଲେ । ଏଣୁ ଦଳିତ ଭାବେ ନିର୍ବାଚନ ଲଢ଼ିଥିବା ବେଳେ ଏବେ ସେ ଦଳିତ ଭାବେ ନିୟମ ଅନୁସାରେ ପରିଗଣିତ ହେଉ ନ ଥିବାରୁ ବିଧାୟକଭାବେ ରହିପାରିବେ ନାହିଁ । ଆଗକୁ ମଧ୍ୟ କୋରାପୁଟ ସଂରକ୍ଷିତ ଆସନରୁ ସେ ଲଢ଼ିପାରିବେ ନାହିଁ ।
ହେଲେ ଏତ ଭିନ୍ନ କଥା କାରଣ ଏ ନେଇ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଅଭିଯୋଗ ଆସିନାହିଁ । କିନ୍ତୁ ଦଳ ଭିତରେ ଥାଇ ଏତେବଡ଼ ଦଳୀୟ ବିଶୃଙ୍ଖଳା କରିଥିଲେ ମଧ୍ୟ କିଭଳି ଭାବରେ ତାଙ୍କୁ ଦଳ ରଖିଛି ସେଥିନେଇ ଏବେ ଅନେକ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି ।