ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ପିନାକୀଙ୍କ ଭିନ୍ନ ସ୍ୱର, ସରକାରଙ୍କୁ ଅଡୁଆ

ଭୁବନେଶ୍ୱର, ୧୧.୬.୨୦୧୮: ଶ୍ରୀମନ୍ଦିର ଚାବି ହଜିବା ଘଟଣାକୁ ନେଇ ଦିନକୁ ଦିନ ନୂଆ ବିବାଦ ମୁଣ୍ଡ ଟେକୁଛି । ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ମନ୍ତବ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିରୋଧୀ ବିଚାର ବିଭାଗୀୟ ତଦନ୍ତକୁ ନାପସନ୍ଦ କରୁଛନ୍ତି । ପିନାନକୀଙ୍କ ମନ୍ତବ୍ୟ ବି ସେଇ ଆଡକୁ ଯାଉଛି । ଚାବି ହଜିବା ଘଟଣାକୁ ଆଗେ ତାଲା ଭାଙ୍ଗି ରତ୍ନଭଣ୍ଡାର ସୁରକ୍ଷିତ ଅଛିକି ନାହିଁ, ତାହା ଦେଖିବା ଦରକାର ବୋଲି ତାଙ୍କର ମତ । ଫଳରେ ବିରୋଧୀ ନେତା ନରସିଂହ ମିଶ୍ର ମଧ୍ୟ ତୁରନ୍ତ ଚାବି ଭାଙ୍ଗି ରତ୍ନଭଣ୍ଡାର ଯାଞ୍ଚ ପାଇ ମତ ରଖିଥିଲେ ।
ରାଜ୍ୟ ସରକାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ନିଯୁକ୍ତ କରାଯାଇଛି । ସେ ୩ମାସ ମଧ୍ୟରେ ରିପୋର୍ଟ ଦେବେ ବୋଲି ସରକାର ସମୟ ଧାର୍ଯ୍ୟ କରିଛନ୍ତି । କିନ୍ତୁ ସରକାରଙ୍କ ଏହି ଘୋଷଣାକୁ ବିରୋଧୀ ନାପସନ୍ଦ କରି ସମାଲୋଚନ କରିବାରେ ଲାଗିଛନ୍ତି । ବିଚାର ବିଭାଗୀୟ ତଦନ୍ତରେ ଏ ସମସ୍ୟାର ସମାଧାନ ନୁହେଁ ବୋଲି ବିରୋଧୀ ମତ ରଖି ଚାଲିଛନ୍ତି । ଏହି ଘଟଣାରେ ସୋମବାର ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ମୋ ଘର ଚାବି ହଜିଥିଲେ ଆଗେ ଭାଙ୍ଗିଥାନ୍ତି । ମୁଁ ଏତଲା ନଦେଇ ଆଗେ ତାଲା ଭାଙ୍ଗି ଥାନ୍ତି । ୧୯୮୫ ମସିହା ପରେ ଆଉ ରତ୍ନଭଣ୍ଡାର ଯାଞ୍ଚ ହୋଇନାହିଁ । ଏଣୁ ସେତେବେଳେ ଯେଉଁମାନେ ଦାୟିତ୍ୱରେ ଥିଲେ ଏ ଘଟଣା ପାଇଁ କିଏ ଦାୟୀ ତାହା ଅନୁଧ୍ୟାନ କରାନଯାଇ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ଏପ୍ରିଲ ୪ ତାରିଖରୁ ଚାବି ହଜିବା ଘଟଣା ଅଭିଯୋଗ ଆସିଥିଲେ ମଧ୍ୟ ସରକାର ଏ ଦିଗରେ ପଦକ୍ଷେପ ନନେଇ ନୀରବ ରହିଥିଲେ । ସେଥିପାଇଁ ବିରୋଧୀ ଦାୟୀ କରୁଥିବା କଥା ଉପରେ ପିନାକୀ କହିଛନ୍ତି, ଏ ବିଷୟରେ ସରକାରଙ୍କ ସହ ପ୍ରଶାସନ ଆଲୋଚନା କରି ପଦକ୍ଷେପ ନେବା ଉଚିତ୍ ଥିଲା । ଏ ଘଟଣାକୁ ନେଇ ଅଯଥା ରାଜନୀତି କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଯଥା ବିବାଦକୁ ଟଣା ଯାଉଛି । ବିଜେପି ରାଜନୀତି କରିବା ଆରମ୍ଭ କରିଛି । ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ବହୁ ଅଯଥା କହୁଥିବା ସାମ୍ନାକୁ ଆସିଛି ।
ଏଥିରୁ ପିନାକୀ ସରକାରଙ୍କ ବିଚାର ବିଭାଗୀୟ ତଦନ୍ତକୁ ଗ୍ରହଣ କରୁନଥିବା ସ୍ପଷ୍ଟ ହେଉଛି । ସରକାର ପ୍ରଥମେ ଚାବି ହଜିବା ଘଟଣା ନେଇ ସୂଚନା ପାଇବା ପରେ ତାଲା ଭାଙ୍ଗି ସାମଗ୍ରୀ ଯାଞ୍ଚ କରିବା ନେଇ ନିର୍ଦ୍ଦେଶ ଦେବା କଥା । ଫଳରେ ବିରୋଧ ସ୍ୱର ସହ ପିନାକୀ ସ୍ୱର ମିଳାଇଛନ୍ତି ବୋଲି କୁହାଯାଉଛି ।
ପିନାକୀ କହିଛନ୍ତି, ନିର୍ବାଚନ ଫଳାଫଳ ଆସିବା ପରେ ବିଜେପିର ସବୁ ନେତା ସେମାନଙ୍କ ପ୍ରତିଆରା ହରାଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଏକାକୀ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ଲଢ଼ିବ । ଏଥର ୧୧୫ରୁ ୧୨୦ ବିଧାନସଭା ଆସନା ପାଇବ । ବିଜେପି ଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରିବା ନେଇ ଦଳର ନିଷ୍ପତ୍ତିକୁ ଏବେ ବି ମଧ୍ୟ କାୟାମ ରହିଛି ବୋଲି ପିନାକୀ କହିଛନ୍ତି ।
ଚାବି ହଜିବା ପରେ ତୁରନ୍ତ ତାଲା ଭାଙ୍ଗି ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ସମ୍ପତ୍ତି ସୁରକ୍ଷିତ ଅଛିକି ନାହିଁ ଯାଞ୍ଚ ହେବା ଆବଶ୍ୟକ ଥିଲା । ଯଦି ରତ୍ନଭଣ୍ଡାରର ସମାମଗ୍ରୀରେ ଯଦି କିଛି ଏପଟ ସେପଟ ହୋଇଥିବ କିମ୍ବା କିଛି ନଥିବ ତାହେଲେ ଯାଇ ଚାବି କିପରି ହଜିଲା, କିଏ ଦାୟିତ୍ୱରେ ଥିଲା, କଣ କରିବା ଦରକାର ସେ ବିଷୟରେ ଯାଞ୍ଚରେ ଜଣାପଡ଼ିବ । ସମସ୍ତ ଜିନିଷପତ୍ର ଯଦି ଠିକ୍ ସୁରକ୍ଷିତ ରହିଥିବ ତେବେ ନୂଆ ତାଲା ପକାଇବା ଦରକାର । ଏହା ନକରି ଅଯଥାରେ ବିବାଦ ସୃଷ୍ଟି କରାଯାଉଛି ବୋଲି ଅନେକ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here