ଆଜି ଠାରୁ ତିନିିଦିନ ଧରି ଲାଗି ରହିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି | ଆଜିଠୁ ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ୧୮ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସହିତ ରାଜ୍ୟର ଆଉ ଗୋଟିଏ ଦୁଇଟି ସ୍ଥାନରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଏହି ସବୁ ସ୍ଥାନ ଗୁଡ଼ିକରେ ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବାର ସୂଚନା ରହିଛି । ୧୯ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ତା’ସହିତ ବଜ୍ରପାତ ବି ହୋଇପାରେ । ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୦ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଅବା ଦୁଇଟି ସ୍ଥାନ ସହିତ ମୟୂରଭଞ୍ଜ, କୋରାପୁଟ, ଗଜପତି ଓ ରାୟଗଡ଼ାର କିଛି ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟ ସବୁ ସ୍ଥାନରେ ପାଗ ଶୁଖିଲା ରହିବ । ୨୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ସମୟରେ ବଜ୍ରପାତ ବି ହୋଇପାରେ। ସୋନପୁର, ବୌଦ୍ଧ, ଅନୁଗୋଳ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଢେଙ୍କାନାଳ ଓ କଟକରେ ପବନ ବୋହିବା ସହିତ ବଜ୍ରପାତ ବି ହୋଇପାରେ ।