You are here
Home > ବଡ଼ଖବର > ମୋଦିଙ୍କୁ ନିନ୍ଦିତ କରି ଓଡ଼ିଶାବାସୀଙ୍କ ପ୍ରିୟ ହେବାକୁ ରାହୁଲଙ୍କ ଉଦ୍ୟମ

ମୋଦିଙ୍କୁ ନିନ୍ଦିତ କରି ଓଡ଼ିଶାବାସୀଙ୍କ ପ୍ରିୟ ହେବାକୁ ରାହୁଲଙ୍କ ଉଦ୍ୟମ

ଭୁବନେଶ୍ୱର: ଓଡ଼ିଶାର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିନ୍ଦିତ କରିବା ପାଇଁ ଉଦ୍ୟମ କରିଛନ୍ତି । ତାଙ୍କର ଏହି ଉଦ୍ୟମ ସଫଳ ହେବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପନିନ୍ଦିତ ହୋଇଥିବାରୁ ଏହାକୁ ସଜାଡ଼ିବା ପାଇଁ ରାହୁଲଙ୍କ ଏହା ଏକ ପ୍ରୟାସ ବୋଲି କୁହାଯାଉଛି । ମାତ୍ର ରାହୁଲ ଯେଉଁ ରାସ୍ତା ବାଛିଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସୋଶାଲ ମଡିଆକୁ ରାହୁଲ ଏବେ ମୋଦିଙ୍କ ବିରୋଧରେ ଅସ୍ତ୍ର କରିଥିବା କଥା କୁହାଯାଉଛି । ମୋଦି ସବୁବେଳେ ସୋଶାଲ ମିଡିଆକୁ ଗୁରୁତ୍ୱ ଦେଉଥିବାରୁ ରାହୁଲ ମଧ୍ୟ ସେହି ପଥ ବାଛିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲାକୁ ନିର୍ବାଚନୀ ପ୍ରଚାରରେ ରଆସିଥିଲା ବେଳେ ସେଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ହସ୍ପିଟାଲ୍କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ । ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ଏହି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ । ଏପରି କି ସରକାର ଗଠନ ପରେ ୨୦୧୫ ଏପ୍ରିଲ ପହିଲାରେ ରାଉରକେଲା ଇସ୍ପାର କାରଖାନାର ଏକ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲା ବେଳେ ମଧ୍ୟ ଏହି ପ୍ରତିଶ୍ରୁତିକୁ ଦୋହରାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ବିଳମ୍ବ ହୋଇଥିଲା । ଏହାକୁ ନେଇ ବିଜେପିର ରାଉରକେଲା ବିଧାୟକ ଦିଲୀପ ରାୟ ନିଜ ଦଳର କେନ୍ଦ୍ର ସରକାରୁ ସମାଲୋଚନା କରିଛନ୍ତି । ଦିଲୀପ ଓ ବିଜେପି ମଧ୍ୟରେ ଏହି ଘଟଣା ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି । ଦିଲୀପ କ୍ରମେ ଦଳକୁ ମିଛୁଆ ଆଖ୍ୟା ଦେଇ ଓହରିବାରେ ଲାଗିଛନ୍ତି । ଏହି ଘଟଣା ଦେଖି ରାଉରକେଲାର ଜଣେ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ପଦଯାତ୍ରା କରିଥିଲେ । ରାଉରକେଲାରୁ ଦିଲ୍ଲୀ ଯାଏ ୧୩୫୦ କିଲୋମିଟର ରାସ୍ତା ପାଦରେ ଯାଇ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି । ରାଉରକେଲା ସହରବାସୀଙ୍କୁ ସୁପରସ୍ପେଶିଆଲିଟି ହସ୍ପିଟାଲ୍ ଦେବାପାଇଁ କହି ଭୁଲିଯାଇଥିବାରୁ ପ୍ରଧନାମନ୍ତ୍ରୀଙ୍କୁ ଜଣାଇବା ପାଇଁ ମୁକ୍ତି ତାଙ୍କ ଏହି ଗସ୍ତଥିଲା । ଦିଲ୍ଲୀରେ ପହଞ୍ôଚବା ପୂର୍ବରୁ ଆଗ୍ରା ନିକଟରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଲେ । ତାଙ୍କୁ ସେଠାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଏହି ଘଟଣା ଜୋର୍ ଧରିଲା । ବିଶେଷ ଭାବରେ ସୋଶାଲ୍ ମିଡିଆରେ ଏହାର ପ୍ରଚାର ଜୋର୍ ଧରିଲା । ଏହା ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍ କରି ସ୍ୱାଗତ କରିବା ସହ ଏହି ଅଭିଯାନରେ କଂଗ୍ରେସ ସାମିଲ ବୋଲି ଜଣାଇଲେ । ରାହୁଲଙ୍କ ଏହି ଟ୍ୱିଟ୍କୁ ନେଇ ବିଜେପି ତୀବ୍ର ପ୍ରତିକ୍ରୀୟା ପ୍ରକାଶ କଲା । କଂଗ୍ରେସ ଶସ୍ତା ରାଜନୀତି ପାଇଁ ବାହାରୁଥିବା କହିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ରାହୁଲଙ୍କୁ କଡ଼ା ସମାଲୋଚନା କଲେ । ହସ୍ପିଟାଲ୍ କାମ ଆରମ୍ଭ ହୋଇଥିବା କଥା ରାହୁଲଙ୍କୁ ଜଣାନାହିଁ ବୋଲି ଦର୍ଶାଇଲେ ।
ରାହୁଲ କେବୁଳ ସମର୍ଥନ କରି ଚୁପ୍ ରହିଲେ ନାହିଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇ ତାହା ପୂରଣ କରନ୍ତି ନାହିଁ ଏଭଳି ଏକ ଧାରଣା ସୃଷ୍ଟି କରିବା ସହ ବିଜେପିର ନୀତି ଠିକ୍ ନୁହେଁ ବୋଲି ଦେଶବାସୀଙ୍କୁ ଅବଗତ କରାଇବା ଲାଗି ଏହାକୁ ମାଧ୍ୟମ କଲେ । ହସ୍ପିଟାଲ୍ ପାଇଁ କଂଗ୍ରେସ ୨୦ ଲକ୍ଷ ଟଙ୍କା ସଂଗ୍ରହ କରି ଦେବାକୁ ରାହୁଲ ପାଣ୍ଠି ସଂଗ୍ରହ ଉଦ୍ୟମ ଆରମ୍ଭ କରିଛନ୍ତି । ଏଆଇସିସି ୱେବ୍ ସାଇଟ୍ରେ ଏହି ଟଙ୍କା ସଂଗ୍ରହ କଥା ଉଲ୍ଲେଖ କରାଯାଇଛି । ମୁକ୍ତିକାନ୍ତଙ୍କ ଆନ୍ଦୋଳନ ସହ ଆମେ ସାମିଲ ବୋଲି କଂଗ୍ରେସ ଦର୍ଶାଇଛି । ଦେଶର ଅନ୍ୟମାନଙ୍କୁ ଏହି ଆନ୍ଦୋଳନରେ ଭାଗ ନେବାପାଇଁ ଆହ୍ୱାନ ଦିଆଯାଇଛି । ରାହୁଲ ଗାନ୍ଧି ନିଜେ ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବା ପଛରେ ରାଜନୀତି ବେଶ୍ ବାରି ହୋଇ ପଡୁଛି ବୋଲି ଅନେକ ମତ ଦେଉଛନ୍ତି । ଏଥିରେ କୁହାଯାଉଛି କଂଗ୍ରେସ ଭଳି ଏକ ଜାତୀୟ ଦଳ ଟ୍ୱିଟ କରି ଦେଶର ବିଭିିନ୍ନ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରିବା ନିଶ୍ଚିତ ଭାବେ ରାଜନୀତି ଅନ୍ତର୍ନିହତ । କାରଣ ୨୦ ଲକ୍ଷ ଟଙ୍କା କଂଗ୍ରେସ ଭଳି ଏକ ଜାତୀୟ ଦଳ ପାଖରେ କିଛି ବଡ଼ କଥା ନୁହେଁ । ରାହୁଲ ଗାନ୍ଧୀ ଚାହିଁଲେ ଦଳ ପକ୍ଷରୁ ଏହି ଅର୍ଥ ହସ୍ପିଟାଲ୍ ପାଇଁ ଦିଆଯାଇପାରିବ । ହେଲେ ସେ ତାହା ନ କରି ଦେଶର ବିଭିନ୍ନ ଲୋକଙ୍କଠାରୁ ଏହା ସଂଗ୍ରହ କରିବା ପାଇଁ ଚାଲ୍ ଖେଳିଛନ୍ତି । ଏକ ପ୍ରଚାର କରିବାକୁ ଚାହୁଁଛନ୍ତି ମୋଦି ଯେଉଁ କାମ କରି ନ ଥିଲେ ତାହା କଂଗ୍ରେସ ଉଦ୍ୟମରେ କରାଯାଉଛି । ଯେତେବେଳେ ଏଥିରେ ସାମିଲ ହେବେ ସେମାନେ ଜାଣିବେ ଯେ, ମୋଦି ପ୍ରତିଶ୍ରୁତି ଦେଇ ତାହା ପୂରଣ କରନ୍ତିନାହିଁ ।
ଆଉ ଗୋଟିଏ କଥା କୁହାଯାଉଛି ଏହା ମଧ୍ୟମରେ ଓଡ଼ିଶାର ଲୋକଙ୍କ ନିକଟତର ହେବା ପାଇଁ ରାହୁଲଙ୍କ ଏକ ଉଦ୍ୟମ । ୨୦୦୦ ମସିହାରୁ ଏଯାଏଁ କଂଗ୍ରେସ ଶାସନରୁ ଦୂରେଇ ଯାଇଛି । ଲୋକେ ଆଉ କଂଗ୍ରେସକୁ ଫେରାଇ ଆଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦଳର ସ୍ଥିତି ଓଡ଼ିଶାରେ ଦିନକୁଦିନ ଖରାପ ହେବାରେ ଲାଗିଛି । ଏଣୁ ରାହୁଲ ଓଡ଼ିଶାବାସୀଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସେମାନଙ୍କ ସୁବିଧା ଅସୁବିଧାରେ କଂଗ୍ରେସ ଅଛି । ଏକ ସୁପରସ୍ପେଶାଲିଟି ହସ୍ପିଟାଲ୍ ପାଇଁ ଯେତେ ଅର୍ଥ ଦରକାର ରାହୁଲ ସେତିକି ସଂଗ୍ରହ କରିଦେବା ସମ୍ଭବ ନୁୂହେଁ । ଏକଥା ଜାଣି ମଧ୍ୟ ତାଙ୍କ ଉଦ୍ୟମର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଉଛି ବୋଲି କୁହାଯାଉଛି । ଏଥିରେ ମୋଦିଙ୍କୁ ଅପନିନ୍ଦିତ କରିବାରେ ରାହୁଲ ସମର୍ଥ ହୋଇଛନ୍ତି କି ନାହିଁ ତାହା ଭବିଷ୍ୟତ କହିବ ।

Loading...
ONA

Leave a Reply

Top