ରାହୁଲ ଜୁଲାଇ କିମ୍ବା ଅଗଷ୍ଟରେ ଓଡ଼ିଶା ଆସିବା ସମ୍ଭାବନା

ଭୁବନେଶ୍ୱର, ୧୨.୬.୨୦୧୮: ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ଓଡ଼ିଶାଗସ୍ତରେ ଆସିବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ନିରଞ୍ଜନ ପଟ୍ଟନାୟକ ଏବେ ୩ କାର୍ଯ୍ୟକାରୀ ସଭାପତିଙ୍କୁ ଧରି ରାହୁଲଙ୍କୁ ଦେଖା କରିବା ଯାଇଥିଲେ । ଜିଲ୍ଲା ସଭାପତି ତାଲିକା ଅନୁମୋଦନ କରିବା ସହ ରାହୁଲଙ୍କୁ ଓଡ଼ିଶା ଗସ୍ତ ପାଇଁ ଆମନ୍ତ୍ରଣ କରିଥିବା କୁହାଯାଉଛି । ରାହୁଲ ଆସିବା ପାଇଁ ସମ୍ମତି ଦେଇଛନ୍ତି । କିନ୍ତୁ କେବେ ଆସିବେ ସେ ସଂପର୍କରେ ତାଙ୍କ କାର୍ଯ୍ୟ ସୂଚିକୁ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନିଆଯିବ । ରାହୁଲଙ୍କୁ ଓଡ଼ିଶା ଆଣି ନିରଞ୍ଜନ ତାଙ୍କ ଲୋକପ୍ରିୟତା ଓ କଂଗ୍ରେସରେ ତାଙ୍କର ଦକ୍ଷତା ଦେଖାଇବାକୁ ଚାହୁଁଛନ୍ତି । ଏଥି ସହ ୩ ନୂଆ ପିସିସି କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜୀବି ବିଶ୍ୱାଳ, ବିଧାୟକ ନବ କିଶୋର ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ସେମାନଙ୍କ ଲୋକପ୍ରିୟତା ଦର୍ଶାଇବାକୁ ସୁଯୋଗ ପାଇବେ । ଇତିମଧ୍ୟରେ ପିସିସି ସଭାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତିମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସଭାସମିତି କରି କଂଗ୍ରେସ କର୍ମୀ ଓ ନେତାମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହତାଶାଭାବ ଦୂର କରିବାରେ ସମର୍ଥ ହୋଇଛନ୍ତି । ନୂଆ ପିସିସି ଟିମ୍ ରାହୁଲଙ୍କୁ ଆଣି କଂଗ୍ରେସର ଲୋକପ୍ରିୟତା ଦର୍ଶାଇବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here