You are here
Home > ବଡ଼ଖବର > ଧର୍ମେନ୍ଦ୍ରଙ୍କୁ ଶିଶିଙ୍କ ପ୍ରଶ୍ନ କେନ୍ଦ୍ର କମାଉନି କାହିଁକି?

ଧର୍ମେନ୍ଦ୍ରଙ୍କୁ ଶିଶିଙ୍କ ପ୍ରଶ୍ନ କେନ୍ଦ୍ର କମାଉନି କାହିଁକି?

ଭୁନନେଶ୍ୱର: ତେଲକୁ ନେଇ ବିଜେପି-ବିଜେଡି ଭିତରେ ତାତି ବଢ଼ିବାରେ ଲାଗିଛି । ଏହି ମଉକାରେ ବିଜେପିକୁ ଏବଂ ବିଶେଷ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେତେ ଅଧିକ ମାଡ଼ ଦେଇହେବ ସେ ଦିଗରେ ଲାଗିଛି ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ପହଂଚିବା ପରେ ତୈଳଦର ବୃଦ୍ଧି ନେଇ ବିଜେଡି ଯେଉଁ ଅଭିଯୋଗମାନ କରୁଛି ତାହା ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ଉପରେ ଦୋଷ ଢ଼ାଳିଛନ୍ତି । ଏଥିରେ ଆଉ ବିଜେଡି ଚୁପ ନ ବସି ଜଣକ ପରେ ଜଣେ ଧର୍ମେନ୍ଦ୍ରଙ୍କୁ ଘେରିବାର ଆରମ୍ଭ କରିଛନ୍ତି । ଦଳର ମୁଖପାତ୍ର ସାଂସଦ ପ୍ରତାପକେଶରୀ ଦେବ ଧର୍ମେନ୍ଦ୍ରଙ୍କ ମତ ଉପରେ ପ୍ରତିକ୍ରିୟା ରଖି ଆକ୍ଷେପ କରିବା ପରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମାଲୋଚନା କରିବାକୁ ଆଗେଇ ଆସିଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ଏବେ ତେଲକୁ ନେଇ ଟକରାଟକରି ଚରମ ସୀମାରେ ପହଂଚିଛି । ରାଜନୀତି ମଧ୍ୟ ଏହାକୁ ନେଇ ଜୋରଦାର ହେବାରେ ଲାଗିଛି ।
ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ତେଲର ବେସ୍ ପ୍ରାଇସ (ମୁଳ ମୂଲ୍ୟ) କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଏହି ବେସ୍ ପ୍ରାଇସକୁ କେନ୍ଦ୍ର କାହିଁକି କମାଉନାହିଁ । ଏହା କମାଇବାକୁ କିଏ ମନା କରିଛି । କେବଳ ରାଜ୍ୟ ଉପରେ ଦୋଷ ଲଦି ଖସିବା ପାଇଁ ଚାହୁଁଛନ୍ତି । ରାଜ୍ୟ ଉପରେ ଦୋଷ ଲଦିବା କେନ୍ଦ୍ରର ଉଦାସୀନତାର ପରିଚାୟକ ବୋଲି ଶ୍ରୀ ବେହେରା କହିଛନ୍ତି । ତୈଳଦରବୃଦ୍ଧିକୁ ନେଇ ଲୋକେ ବର୍ତ୍ତମାନ ହନ୍ତସନ୍ତ ହେଉଛନ୍ତି । ଏ କ୍ଷେତ୍ରରେ ପଦକ୍ଷେପ ନେବା ବଦଳରେ କେନ୍ଦ୍ର ଲୁଚକାଳି ଖେଳ ଖେଳୁଛି । କେବଳ ଅବକାରୀ ନୁହେଁ ଏହାଛଡ଼ା କେନ୍ଦ୍ର ଆଉ ତିନୋଟି ଟିକସ ନେଉଛି । ସେ ଟିକସ ଉପରେ କେନ୍ଦ୍ର କାହିଁକି ବିଚାର କରୁନାହିଁ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି ।

ତେଲକୁ ନେଇ ବିଜେପି-ବିଜେଡି ତାତି ବଢ଼ୁଛି

ଧର୍ମେନ୍ଦ୍ର ଆଜି ପହଂଚିଲା ପରେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଥିଲେ । ଅନ୍ୟ ରାଜ୍ୟମାନେ ତେଲଦର ବୃଦ୍ଧି ପରେ ଟିକସ ହ୍ରାସ କରିଥିଲା ବେଳେ ଓଡ଼ିଶା କାହିଁକି ଟିକସ କମାଉନାହିଁ । ଆନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିଲେ ରାଜ୍ୟ ସରକାରଙ୍କର ଲାଭ ହେଉଛି । ଅଧିକ ଟିକସ ସରକାର ପାଉଛନ୍ତି । ୨୦୧୪ରେ ୩୦୦୦ କୋଟି ଟଙ୍କା ପାଉଥିଲା ବେଳେ ଏବେ ୭୦୦୦ କୋଟି ଟଙ୍କା ପାଉଛନ୍ତି । ତେଣୁ ଟିକସ ଛାଡ଼ କରି ଲୋକଙ୍କୁ ରିହାତି ଦେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଥିଲେ ।
ମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି ମୁଖପାତ୍ର ସାଂସଦ ପ୍ରତାପ ଦେବ ପାଲଟା ଜବାବ ଦେଇ କେନ୍ଦ୍ର ସରକାର ୪ ବର୍ଷ ଭିତରେ ତୈଳଦର ବୃଦ୍ଧି କରି ଯେତେ ଲାଭାଂଶ ପାଇଛନ୍ତି ଓ ଦର କମ ଥିଲା ବେଳେ ଯେତେ ଅବକାରୀ ଶୀଳ୍କ ଦେଇଛନ୍ତି ସେହି ହିସାବରେ ଦର କମାନ୍ତୁ । ଖାଲି ରାଜ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି । କେନ୍ଦ୍ର ବି ତେଲରୁ ଲାଭ ନେଉଛି । ତେଣୁ ପ୍ରଥମ଼ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । ରାଜ୍ୟ ଟିକସ କମାଉ କହି କେନ୍ଦ୍ରମନ୍ତ୍ରୀ ଖସିଯିବାକୁ ବସିଛନ୍ତି ବୋଲି ସେ କହିଥିଲେ ।
ପୂର୍ବରୁ ବିଜେଡି ୩ ଦିନ ଧରି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ଓ ଧାରଣା ଦେଇଥିଲା । ଆସୁଥିବା ଲୋକମାନଙ୍କୁ ତେଲ ଦର ବୃଦ୍ଧି ନେଇ ସଚେତନ କରାଇବାକୁ ଲାଗିଥିଲା । ସବୁ ଲକ୍ଷ୍ୟ ଥିଲା ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ । ଏପରି କି ବିଧାନସଭାରେ ମଧ୍ୟ ବିଜେଡି ଏହି ତେଲକୁ ନେଇ ରାଜ୍ୟସାରା ଏକ ବାର୍ତ୍ତାଦେବା ପାଇଁ ଗୃହର ପୂର୍ବାହ୍ନ ଅଧିବେଶନକୁ ବନ୍ଦ କରିଦେଇଥିଲା । ତେଲ ଏକ ସ୍ପର୍ଷକାତର ବିଷୟ । ଏଥିରେ ବିଭିନ୍ନ କ୍ଷେତ୍ରର ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ଏହି ମୂଲ୍ୟ ବୃଦ୍ଧିକୁ ଯେତେ ପ୍ରଚାର, ପ୍ରସାର କରାଯାଇ ପାରିବ ସେତିକି ବିଜେପି ବିରୋଧରେ ବିଜେଡିକୁ ଫାଇଦା ମିଳିବ । ଏହି ଚିନ୍ତାଧାରା ରଖି ବିଜେଡି ଲାଗିଥିବା କୁହାଯାଉଛି ।

Loading...
ONA

Leave a Reply

Top