ଖୁବଶୀଘ୍ର ରାଜନୀତିର “ହାତ” ଧରିବେ ଭିମସାର ପୂର୍ବତନ ନିର୍ଦ୍ଦୋକ ପୁଜାହରୀ

ଭୁବନେଶ୍ୱର: ଭିମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୁଜାହରୀ ଖୁବଶୀଘ୍ର କଂଗ୍ରେସରେ ଯୋଗଦେବାକୁ ଯାଉଥିବା ଜଣାପଡ଼ିଛି । କଂଗ୍ରେସ ମହଲରେ ଏ ନେଇ ଆଲୋଚନା ଜୋରଦାର ହେଉଛି । ଏକଥା ବି କୁହାଯାଉଛି ଡାକ୍ତର ପୁଜାହରୀଙ୍କ ଇସ୍ତଫା ପଛରେ କଂଗ୍ରେସ ଯୋଗଦାନ ହେଉଛି ମୁଖ୍ୟ କାରଣ । ତାଙ୍କ ସହ କଂଗ୍ରେସ ମୁଖିଆମାନେ ଆଲୋଚନା କରିଥିବା ଓ ଯୋଗାଯୋଗରେ ଅଛନ୍ତି । ଏପରି କି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ତାଙ୍କ ସହ ଆଲୋଚନା କରିଛନ୍ତି । ଦଳକୁ ଆସିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇ ସାରିଛନ୍ତି । ଏକଥା ନିଜେ ପୂଜାରୀ ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ସେ କଂଗ୍ରେସରେ ମିଶିବେ କି ନାହିଁ ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି ଇସ୍ତଫା ଦେବା ସମୟରେ କହିଥିଲେ ।
ଆସନ୍ତା ନିର୍ବାଚନ ପାଇଁ ବିଜେଡି ଯେପରି ଭାବରେ ବିଭିନ୍ନ ପ୍ରତିଷ୍ଠିତ ନେତା ଓ ବ୍ୟକ୍ତିମାନଙ୍କୁ ଦଳକୁ ଆଣିବାରେ ଲାଗିଛି କଂଗ୍ରେସ ମଧ୍ୟ ଏହି ଉଦ୍ୟମ ଚଳାଇଛି । ଦଳରୁ କିଛି ବିଧାୟକ ଛାଡ଼ି ଚାଲିଯିବ ଓ ବିଦାହେବା କ୍ଷତିର ଭରଣା ପାଇଁ ଉଦ୍ୟମ କରାଯାଉଛି । ଡାକ୍ତର ପୂଜାହରୀଙ୍କୁ କଂଗ୍ରେସ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି । ତାଙ୍କୁ ସମ୍ବଲପୁର ବିଧାନସଭା ଆସନ ଦେବାପାଇଁ ଚିନ୍ତା କରାଯାଇଥିବା କୁହାଯାଉଛି । ବିଜେଡି ସମ୍ବଲପୁରରେ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରୁଥିବାରୁ ତାଙ୍କ ବିରୋଧରେ ଡାକ୍ତର ପୁଜାହରୀଙ୍କୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ଚାହୁଁଛି । ଭିମସାରରେ ଦେଖାଦେଇଥିବା ବିବାଦ ଘଟଣାରେ ଡାକ୍ତର ପୁଜାହରୀ ସମ୍ପୃକ୍ତ ଅଂଚଳରେ ବେଶ ପରିଚିତ ହୋଇଯାଇଛନ୍ତି । ତାଙ୍କ ବିରୋଧରେ ଅଭିଯାଗ ଅଣାଯାଇ ଜାଣିଶୁଣି ବିଦା କରିବାର ଯୋଜନା କରାଯାଇଥିବା ବିଷୟ ଏବେ ପ୍ରଚାର ହେଉଛି । ସ୍ଥାନୀୟ ଲୋକମାନେ ଡାକ୍ତର ପୁଜାହରୀଙ୍କ ପ୍ରତି ବେଶ ଖୁସି ଅଛନ୍ତି । ତାଙ୍କ ବିରୋଧରେ ଯେତେବେଳେ ଡାକ୍ତର ଓ ଛାତ୍ରମାନେ ଆନ୍ଦୋଳନ କରିଥିଲେ ସେତେବେଳେ ସ୍ଥାନୀୟ ଲୋକେ ଶ୍ରୀ ପୁଜାହରୀଙ୍କ ସପକ୍ଷରେ ଏହି ଆନ୍ଦୋଳନକୁ ବିରୋଧ କରି ପଦାକୁ ବାହାରିଥିଲେ । ଲୋକଙ୍କ ପାଇଁ ସେ ଜଣେ ଭଲ ଡାକ୍ତର ଭାବେ ପରିଚିତ ହୋଇଛନ୍ତି । କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡ଼ିଶାରେ ସେ ବେଶ ସୁନାମଅର୍ଜନ କରିପାରିଛନ୍ତି । ଏଣୁ ତାଙ୍କୁ ଯଦି ଦଳକୁ ଆଣି ପ୍ରାର୍ଥୀ କରାଯାଏ ତେବେ କଂଗ୍ରେସ ଫାଇଦାରେ ରହିବ ବୋଲି ନେତାମାନେ ଭାବୁଛନ୍ତି । ସେଥିଲାଗି ନିଜେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ତାଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେଇସାରିଛନ୍ତି ।
ଏକଥା କୁହାଯାଉଛି ପୁଜାହରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ସରକାର ତଦନ୍ତ ଚଳାଇଛନ୍ତି । ଏହି ତଦନ୍ତ ବିଳମ୍ବ ହେଉଥିବା ଦର୍ଶାଇ ପୁଜାହରୀ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ହେଲେ ବାସ୍ତବ ଚିତ୍ର ଭିନ୍ନ ବୋଲି କୁହାଯାଉଛି । କଂଗ୍ରେସ ଚଳିତ ମାସ ଶେଷ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଯାଉଛି । ଏ ନେଇ ଦଳ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଆସିସାରିଛି । ଏଣୁ ଏହି ମାସ ଭିତରେ ତାଲିକା ଚୂଡ଼ାନ୍ତ କରିବାକୁ ଥିବାରୁ କେଉଁମାନଙ୍କୁ ପ୍ରାର୍ଥୀ କରାଯିବ ସେ ନେଇ ପ୍ରସ୍ତୁତି ଚାଲିଛି । ଏ କ୍ଷେତ୍ରରେ କଂଗ୍ରେସର ପ୍ରାର୍ଥୀ ହେବାକୁ ହେଲେ ପୁଜାହରୀଙ୍କୁ ଦଳରେ ଯୋଗଦେବାକୁ ପଡ଼ିବ । ସେଥିଲାଗି ସେ ଆଉ ତଦନ୍ତ ରିପୋର୍ଟକୁ ଅପେକ୍ଷା ନ କରି ଇସ୍ତଫା ଦେଇଛନ୍ତି । ଯେକୌଣସି ମୁହୂର୍ତ୍ତରେ ସେ କଂଗ୍ରେସରେ ମିଶିବେ ବୋଲି ଆଲୋଚନା ହେଉଛି ।

ବଣେଇରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା