ଆହାର ମୁହଁରେ ପାହାର, ଟ୍ରାକ୍ଟର ଯୋଗେ ଫିଙ୍ଗାଗଲା ୩୦୦୦ ଲୋକଙ୍କ ଖାଦ୍ୟ, ପଢନ୍ତୁ ପୂରା ଖବର…

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାରେ ୩୦୦୦ ଲୋକଙ୍କ ‘ଆହାର’ରେ ରନ୍ଧା ହୋଇଥିବା ଖାଦ୍ୟ ଫିଙ୍ଗା ଯାଇଥିବା ସୂଚନା ମିଳିଛି । ଏନେଇ ଖବର ପ୍ରକାଶ ପାଇବା ପରେ ସମ୍ୱଲପୁର ଜିଲ୍ଲାପାଳ ଘଟଣାର ତଦନ୍ତ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବା ପାଇଁ ମହାନଗର ନିଗମର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁଚନାନୁୟାଯୀୟ, ସମ୍ୱଲପୁର ଓ ବୁର୍ଲାରେ ୫ଟି ଆହାର କେନ୍ଦ୍ର ଚାଲିଛି । ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୩ ହଜାରରୁ ସାଢ଼େ ୪ ହଜାର ଲୋକ ଖାଦ୍ୟ ଖାଇଥାଆନ୍ତି । ସେଥିପାଇଁ ସମ୍ୱଲପୁରରେ ଥିବା ରୋଷଶାଳାରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଆହାର କେନ୍ଦ୍ର ଗୁଡ଼ିକୁ ପଠାଯାଇଥାଏ । ମାତ୍ର ଆଜି ଏହି ଖାଦ୍ୟକୁ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଭାରତ ବନ୍ଦ ଯୋଗୁ ଏପରି ଘଟିଥିବା ରୋଷଶାଳାର ମ୍ୟାନେଜର କହିଛନ୍ତି । ଭାରତ ବନ୍ଦର ପ୍ରଥମ ଦିନ ୧୫୦୦ ଓ ଦ୍ୱିତୀୟ ଦିନରେ ୧୫୦୦ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଫିଙ୍ଗା ଯାଇଛି । ଲୋକେ ଖାଇବାକୁ ଆସିନଥିବାରୁ ଖାଦ୍ୟ ଫିଙ୍ଗାଯାଇଛି । ତେବେଦୁଇ ଦିନ ଭାରତ ବନ୍ଦ ରହିବା ଖବର ଜାଣି ମଧ୍ୟ କାହିଁକି ଏତେ ପରିମାଣରେ ଖାଦ୍ୟ ରୋଷେଇ କରାଯାଇଥିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଉଲ୍ଲେଖନୀୟ, ୫ଟି ଆହାର କେନ୍ଦ୍ର ପାଇଁ ପ୍ରତିଦିନ କେତେ ରନ୍ଧାଯିବ, ଏହି ନିଷ୍ପତ୍ତି ସମ୍ୱଲପୁର ମହାନଗର ନିଗମର ଡେପୁଟି କମିଶନର ନେଇଥାଆନ୍ତି । ତାଙ୍କ ନିଷ୍ପତ୍ତି ମୁତାବକ ରନ୍ଧା ଯାଇଥାଏ । ଯଦି କମିଶନର ନିଷ୍ପତ୍ତି ନିଅନ୍ତି, ତାହାହେଲେ ସେ କଣ ଜାଣିନଥିଲେ ଦୁଇ ଦିନ ଭାରତ ବନ୍ଦ ରହିବ । ତାହାହେଲେ କାହିଁକି ପ୍ରତିଦିନ ସାଢ଼େ ୪ ହଜାର ଲୋକଙ୍କ ପାଇଁ ରୋଷେଇ ହେଉଥିଲା? ଏବେ ଏତେ ପରିମାଣର ଖାଦ୍ୟ ଫିଙ୍ଗା ଯିବା ଘଟଣାର ଉତ୍ତର ଦାୟିତ୍ୱ କିଏ ନେବେ? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଜିଲ୍ଲାପାଳ ତଦନ୍ତ ପାଇଁ ମହାନଗର ନିଗମର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହାର ଖାଦ୍ୟ ପ୍ରସ୍ତୁତିରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ସମ୍ୱଲପୁର ମହାନଗର ନିଗମର ଡେପୁଟି କମିଶନର ଘଟଣାର ତଦନ୍ତ କରି କାଲି ସୁଦ୍ଧା ରିପୋର୍ଟ ଜିଲ୍ଲାପାଳଙ୍କ ପାଖରେ ଜମା କରିବେ ବୋଲି ନିର୍ଦ୍ଦେଶ ମିଳିଛି ।

ଆହାର ମୁହଂରେ ପାହାର, ଟ୍ରାକ୍ଟର ଯୋଗେ ଫିଙ୍ଗାଗଲା ୩୦୦୦ ଲୋକଙ୍କ ଖାଦ୍ୟ, ପଢନ୍ତୁ ପୂରା ଖବର…