ଟିକେଟ ନ ମିଳିଲେ ୨ ପ୍ରଭାତ ହେବେ ସ୍ୱାଧୀନ ପ୍ରାର୍ଥୀ

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବେ ବିଦ୍ରୋହୀ ପ୍ରାର୍ଥୀ ବୋଲି କୁହାଯାଉଛି । ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ସିବିଆଇ ଯେଉଁମାନଙ୍କୁ ଗିରଫ କରିଛି ଓ ନୋଟିସ ଜାରି କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ୱଚ୍ଛତା ପ୍ରମାଣ ପାଇଁ ସେମାନଙ୍କୁ ପ୍ରାର୍ଥୀ ନ କରିବା ଲାଗି ଦଳର ଏକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଏହା ଯଦି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ତେବେ ଦଳ ପାଇଁ ଏହା ସବୁଠାରୁ ଘାତକ ହେବ ବୋଲି ଆଲୋଚନା ହେଉଛି । କାରଣ ଯେଉଁମାନଙ୍କୁ ଏହି ଘଟଣାରେ ଛନ୍ଦା ଯାଉଛି ସେମାନେ ସମସ୍ତେ ନିଜ ନିଜ ଅଂଚଳରେ ବେଶ ଟାଣୁଆ ଓ ପ୍ରଭାବଶାଳୀ ନେତାଭାବେ ପରିଚିତ । ଏକକଥା ବି ଶୁଣାଯାଉଛି ଏହି ପଦକ୍ଷେପ ଦଳ ନେଲେ କିଛି ବିଧାୟକ ଅଛନ୍ତି ଯେଉଁମାନେ ସ୍ୱାଧୀନଭାବେ ଲଢ଼ିବା ପାଇଁ ଆଗେଇ ଆସିବେ । ଏଥିରେ ସିଧାସଳଖ ବିଧାୟକ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନାଁ ଶୁଣାଯାଉଛି । ସିବିଆଇ ସେମାନଙ୍କ ମୁଣ୍ଡରେ ଯେଉଁ କଳଙ୍କ ବୋଳିଛି ତାହା ପୋଛିବା ପାଇଁ ଏଥର ନିର୍ବାଚନ ସେମାନେ ପ୍ରାର୍ଥୀ ହୋଇ ଜିତି ଦେଖାଇବାକୁ ଚାହୁଁଛନ୍ତି । ଦଳ ଯଦି ସିବିଆଇ ମାମଲା ଆଳରେ ଏ ଦୁଇଜଣଙ୍କୁ ପ୍ରାର୍ଥୀ ନ କରେ ତେବେ ଉଭୟ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ଚର୍ଚ୍ଚା ହେଉଛି ।
ଅର୍ଥତତ୍ୱ ମାମଲାରେ ବିଧାୟକ ପ୍ରଭାତ ତ୍ରୀପାଠି ଓ ସିସୋର ମାମଲାରେ ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ଏବେ ଉଭୟ ବେଲରେ ଆସିଛନ୍ତି । ଯେଉଁ ଅଭିଯୋଗ ସେମାନଙ୍କ ବିରୋଧରେ ସିବିଆଇ ଆଣିଛି ଉଭୟ ତାହାକୁ ଅସ୍ୱୀକାର କରୁଛନ୍ତି । ଅଯଥା ସେମାନଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରି ଫସାଯାଇଛି । ସିବିଆଇ ବାହାବାହା ନେବାପାଇଁ ଠୋସ ପ୍ରମାଣ ନ ଥିଲେ ବି ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଥିଲା । ଏହାଦ୍ୱାରା ସାଧାରଣରେ ସେମାନଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି । ଏ କ୍ଷେତ୍ରରେ ନିର୍ବାଚନରେ ଜିତିକି ଆସି ନିଜର ସାଧୁତା ପ୍ରମାଣ ଦେବାପାଇଁ ସେମାନେ ଚାହୁଁଛନ୍ତି । ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି କି ନାହିଁ ଏ ପ୍ରମାଣ ଦେବାପାଇଁ ଏକ ସୁଯୋଗ ମିଳିବା ଦରକାର । ଏହା ତାଙ୍କ ରାଜନୈତିକ ଜୀବନ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ଯଦି ଦଳ ସୁଯୋଗ ନ ଦିଏ ତେବେ ସେମାନେ ସ୍ୱାଧୀନଭାବେ ଲଢ଼ି ପ୍ରମାଣ ଦେବାକୁ ଆଗେଇ ଆସିବେ ।
ବିଧାୟକ ଶ୍ରୀ ତ୍ରିପାଠୀଙ୍କୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ନ କରି ତାଙ୍କ ପୁଅକୁ ଟିକେଟ ଦେବା ପାଇଁ ଦଳ ଚାହୁଁଛି । ଏ ନେଇ ଆଗୁଆ ସୂଚନା ମଧ୍ୟ ଶ୍ରୀ ତ୍ରିପାଠୀଙ୍କୁ ଦିଆଯାଇ ସାରିଛି । କିନ୍ତୁ ଶ୍ରୀ ତ୍ରିପାଠୀଙ୍କ ପୁଅ ବାପାଙ୍କ ବଦଳରେ ପ୍ରାର୍ଥୀ ହେବାକୁ ରାଜି ନୁହଁନ୍ତି । ଶ୍ରୀ ତ୍ରିପାଠୀଙ୍କ କହିବା କଥା ତାଙ୍କ ବାଙ୍କୀ ବିଧାନସଭା ଆସନରେ ସେ ବର୍ଷ ବର୍ଷ ଧରି ଲୋକଙ୍କ ପାଇଁ କାମ କରି ଆସିଛନ୍ତି ଓ ଲୋକେ ତାଙ୍କ ସହ ଅଛନ୍ତି । ଏ କ୍ଷେତ୍ରରେ ବିଧାନସଭା ଆସନ ତାଙ୍କ ବଦଳରେ ଦଳ ଯଦି ଆଉ କାହାକୁ ପ୍ରାର୍ଥୀ କରେ ସେ ତାଙ୍କୁ ଛାଡ଼ିଦେବେ ଏହା ସମ୍ଭବ ନୁହେଁ । ସିବିଆଇ ଯେଉଁ କଳଙ୍କ ଲଗାଇଛି ତାକୁ ଲୋକେ କେତେଦୂର ଗ୍ରହଣ କରୁଛନ୍ତି ତାହା ମଧ୍ୟ ଏଇ ନିର୍ବାଚନରେ ପ୍ରମାଣ ହେବା ଦରକାର ବୋଲି ସେ ଚାହୁଁଛନ୍ତି । ଲୋକେ ହେଉଛନ୍ତି ଜଣେ ରାଜନୈତିକ ବ୍ୟକ୍ତିର ମାଷ୍ଟର । ଅନ୍ୟର ସାର୍ଟିଫିକେଟ ଅପେକ୍ଷା ନିର୍ବାଚନମଣ୍ଡଳୀ ସାର୍ଟିଫିକେଟ ତାଙ୍କର ଲୋଡ଼ା । ବାଙ୍କୀରୁ ବିଜେଡି ଅନ୍ୟ କାହାକୁ ପ୍ରାର୍ଥୀ କଲେ ଶ୍ରୀ ତ୍ରିପାଠୀ ବିଦ୍ରୋହୀ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି ।
ସେହିପରି ପ୍ରଭାତ ବିଶ୍ୱାଳଙ୍କୁ ମଧ୍ୟ ଦଳ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ନ କରିବା ପାଇଁ ଯୋଜନା କରିଛି । ଶ୍ରୀ ବିଶ୍ୱାଳଙ୍କ ବଦଳରେ ଦଳ ଯଦି ତାଙ୍କ ପରିବାରର ଅନ୍ୟ କାହାକୁ ପ୍ରାର୍ଥୀ କରେ ତେବେ ହୁଏତ ସେ ନୀରବ ରହିବେ । କିନ୍ତୁ ତାଙ୍କୁ କିମ୍ବା ତାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ ନ କରି ଅନ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ସେ କ୍ଷେତ୍ରରେ ଶ୍ରୀ ବିଶ୍ୱାଳ ବିଦ୍ରୋହୀ ପ୍ରାର୍ଥୀ ହୋଇ ଲଢ଼ିବେ । ସେ ମଧ୍ୟ ଚାହାଁନ୍ତି ଚିଟଫଣ୍ଡ ମାମଲାରେ ତାଙ୍କୁ ଚକ୍ରାନ୍ତ କରି ବିନା ଦୋଷରେ ଯେପରି ଛନ୍ଦା ଯାଇ ତାଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରାଯାଇଛି ସେଥିରେ ଏହି ପ୍ରତିଷ୍ଠାକୁ ଫେରିପାଇବା ପାଇଁ ନିର୍ବାଚନରେ ପ୍ରମାଣ ଦେବା ହିଁ ସବୁଠାରୁ ଉପଯୁକ୍ତ ସୁଯୋଗ । ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକପ୍ରିୟତା କମିନାହିଁ କିମ୍ବା ଲୋକେ ତାଙ୍କୁ ବିରୋଧ କରୁନାହାଁନ୍ତି । ଏ କ୍ଷେତ୍ରରେ ଦଳ ଯଦି ସିବିଆଇ ମାମଲା ପାଇଁ ତାଙ୍କୁ ଦୂରେଇ ରଖେ ତେବେ ସେ ବାଧ୍ୟ ହୋଇ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି ।

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଜେଡିରେ ମିଶିଲେ