ପାରାଦୀପ ରିଫାଇନାରୀରୁ ପଲିପ୍ରୋପିଲିନ ଉତ୍ପାଦନ ଆରମ୍ଭ ହେବ : ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଓଡ଼ିଶା ସମେତ ପୂର୍ବଭାରତ ରାଜ୍ୟମାନଙ୍କ ଅଭିବୃଦ୍ଧି ହାର ଦୁଇଅଙ୍କ ବିଶିଷ୍ଟ କରିବାକୁ ହେବ । ପାରାଦୀପ, ଧାମରା ଓ ଗୋପାଳପୁରରେ ବନ୍ଦରଭିତିକ ଶିଳ୍ପ ଓ କଳକାରଖାନା ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇ ଆବଶ୍ୟକ ଭିତିଭୂମି ନିମନ୍ତେ ଅଗ୍ରାଧିକାର ଦେଇଛନ୍ତି । ପାରାଦୀପ ତୈଳ ବିଶୋଧନାଗାର କ୍ଷମତା ବୃଦ୍ଧି କରାଯିବ । ଚଳିତ ଡିସେମ୍ବରରୁ ପାରାଦୀପ ରିଫାଇନାରୀରୁ ପଲିପ୍ରୋପିଲିନ ଉତ୍ପାଦନ ଆରମ୍ଭ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଠାରେ ଉନବିଂଶ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାର ଏବେ ଗ୍ୟାସ ଭିତିକ ଅର୍ଥବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଉଛନ୍ତି । ଏଥିଲାଗି ଗ୍ୟାସ ପାଇପ ଲାଇନ ନେଟୱାର୍କର ବିସ୍ତାର ପାଇଁ ବ୍ୟାପକ ଯୋଜନା ହୋଇଛି ଏବଂ ଦେଶର ବିଭିନ୍ନ ସ୍ଥାନକୁ ଗ୍ୟାସ୍ ଯୋଗାଣ ନିମନ୍ତେ ପାଇପଲାଇନ ବିଛାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ୭୦,୦୦୦ କୋଟି ଟଙ୍କା ବିନିଯୋଗ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିଲୋମିଟର ଗ୍ୟାସ୍ ଲାଇନ ବିଛାଯିବ ଏବଂ ଏଥିପାଇଁ ୪୫୦୦ କୋଟି ଟଙ୍କା ବିନିଯୋଗ ହେବ ।
ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାମରାରୁ ବାଂଲାଦେଶ ଏବଂ ସିଲିଗୁଡ଼ିରୁ ବାଂଲାଦେଶକୁ ଗ୍ୟାସ୍ ପାଇପଲାଇନ ନେଟୱାର୍କ ଯୋଗେ ଯୋଡ଼ିବାର ଯୋଜନା ହୋଇଛି ।

 ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିଲୋମିଟର ଗ୍ୟାସ୍ ଲାଇନ ବିଛାଯିବ ଏଥିପାଇଁ ୪୫୦୦ କୋଟି ଟଙ୍କା ବିନିଯୋଗ ହେବ
 ଓଡ଼ିଶା ସମେତ ପୂର୍ବଭାରତ ରାଜ୍ୟମାନଙ୍କ ଅଭିବୃଦ୍ଧି ହାର ଦୁଇଅଙ୍କ ବିଶିଷ୍ଟ କରିବାକୁ ହେବ
 ପାରାଦୀପ, ଧାମରା ଓ ଗୋପାଳପୁରରେ ବନ୍ଦରଭିତିକ ଶିଳ୍ପ ଓ କଳକାରଖାନା ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇ ଆବଶ୍ୟକ ଭିତିଭୂମି ନିମନ୍ତେ ଅଗ୍ରାଧିକାର ଦେଇଛନ୍ତି
 ଧାମରାରୁ ବାଂଲାଦେଶ ଏବଂ ସିଲିଗୁଡ଼ିରୁ ବାଂଲାଦେଶକୁ ଗ୍ୟାସ୍ ପାଇପଲାଇନ ନେଟୱାର୍କ ଯୋଗେ ଯୋଡ଼ିବାର ଯୋଜନା

ସେହିପରି ବାଂଲାଦେଶ ଦେଇ  ମିଆଁମାରକୁ ମଧ୍ୟ ଗ୍ୟାସ ପାଇପଲାଇନ୍ ନେଟୱାର୍କର ବିସ୍ତାର ପାଇଁ ଯୋଜନା ରହିଛି । ଏସବୁ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରର ଗ୍ୟାସ ପରିବହନ ପରିଚାଳନା କ୍ଷମତା କ୍ରମେ ବୃଦ୍ଧି କରାଯିବ । ବର୍ତମାନ ତିନୋଟି ସିଂଙ୍ଗଲ ପଏଂଟ ମୁରିଂ ବ୍ୟବସ୍ଥା ଯୋଗେ ୩୭ ଏମ୍ଏମ୍ଟିପିଏ କ୍ଷମତାର ଅଶୋଧିତ ତୈଳ ପାରାଦୀପ, ହଳଦିଆ, ବରାଉଣି ଓ ବଂଗାଇ ଗାଓଁ ବିଶୋଧନାଗାରକୁ ପଠାଯାଉଛି । ସେହିଭଳି ଭବିଷ୍ୟତ ଯୋଜନା ମଧ୍ୟରେ ରହିଛି ୧୨୧୨ କିଲୋମିଟର ଦ୍ରୈର୍ଘ୍ୟ ଓ ୪.୫ ଏମଏମଟିପିଏ କ୍ଷମତାର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍ କାର୍ଯ୍ୟ । ଅଧିକନ୍ତୁ ୩୬୦ କିଲୋମିଟର ଲମ୍ବର ପାରାଦୀପ- ଧାମରା-ହଳଦିଆ ଏଲଏନ୍ଜି ପାଇପଲାଇନ୍ ଏବଂ ୩୪୫ କିଲୋମିଟର ପାରାଦୀପ-ସୋମନାଥପୁର–ହଳଦିଆ ପାଇପାଇନର ପ୍ରାକ୍ ନିର୍ମାଣ ଭିତିଭୂମି କାର୍ଯ୍ୟ ଚାଲୁ ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାରାଦୀପ ତୈଳ ବିଶୋଧନାଗାର କ୍ଷମତା ମଧ୍ୟ ବୃଦ୍ଧି କରାଯିବ । ଚଳିତ ଡିସେମ୍ବରରୁ ପାରାଦୀପ ରିଫାଇନାରୀରୁ ପଲିପ୍ରୋପିଲିନ ଉତ୍ପାଦନ ଆରମ୍ଭ ହେବ । କେବଳ ଗ୍ୟାସ ପାଇପଲାଇନ୍ ନୁହେଁ, ବନ୍ଦର, ବିମାନ ବନ୍ଦର, ଜଳପଥ, ଶକ୍ତି, ଗୃହ ଓ ସଡ଼କ ନିର୍ମାଣ କ୍ଷେତ୍ରରେ ମଧ୍ୟ ଧାତବ ସାମଗ୍ରୀର ଉପଯୋଗ ହେବ । ତେବେ ଏସବୁର ଅବକ୍ଷୟକୁ ରୋକିବା ପାଇଁ ନୂଆ ନୂଆ ଉଦ୍ଭାବନ ଓ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ଦେଶରେ ଆଗାମୀ ୧୦ ବର୍ଷ ମଧ୍ୟରେ ଇସ୍ପାତ ଚାହିଦା ୩୦୦ ନିୟୁତ ଟନକୁ ବୃଦ୍ଧି ପାଇବ । କେବଳ ଓଡ଼ିଶାରେ ଏହି ସମୟ ମଧ୍ୟରେ ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନର ବିଶାଳ କ୍ଷମତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

27 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here