ନବୀନଙ୍କୁ ମିତ୍ର କହି ମୋଦି ବର୍ଷିଲେ

0
1

‘ଓଡ଼ିଶାରେ ପରିବର୍ତ୍ତନ ଆଭାସ ମିଳୁଛି’

ଭୁନନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଜନସଭାରେ ମଧ୍ୟ ଉଦବୋଧନ ଦେଇଛନ୍ତି । ମୋଦି ଓଡ଼ିଶା ଗସ୍ତରେ ଆସୁଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବେ କି ନାହିଁ ତାକୁ ନେଇ ରାଜ୍ୟ ରାଜନୀତିରେ ଓ ସାଧାରଣରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ପରିସମାପ୍ତି ଘଟିଛି । ନବୀନଙ୍କୁ ମିତ୍ର ବୋଲି ସମ୍ବୋଧିତ କରି ମୋଦି ବେଶ କଟୁ ସମାଲୋଚନା କରିଛନ୍ତି । ନବୀନଙ୍କ ନାଁ ଧରି ସିଧାସଳଖ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନ ହେବା ଓ ଟଙ୍କିକିଆ ଚାଉଳରେ କେନ୍ଦ୍ରର ଅଂଶ ସତ୍ତେ୍ୱ ରାଜ୍ୟ ନିଜ ନାଁରେ ନେବା ଘଟଣାକୁ ମୋଦି ସମାଲୋଚନା କରିଥିଲେ । ଓଡ଼ିଶା ଲୋକଙ୍କର ପ୍ରଗତି ଓ ସ୍ୱଚ୍ଛତା ଦିଗରେ ନବୀନ ବାଧକ ବୋଲି ଏକ ବାର୍ତ୍ତାଦେବାକୁ ପ୍ରଧାନମନ୍ତ୍ରୀ ଉଦ୍ୟମ କରିଥିଲେ । ଏଥିସହ ଆସନ୍ତା ଦିନରେ ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ହେବାକୁ ଯାଉଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର କିଭଳି ଭାବରେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ ନ କରି ଲୋକଙ୍କୁ ସୁବିଧାରୁ ବଂଚିତ କରୁଛନ୍ତି ତାହା ସେ ଦର୍ଶାଇଛନ୍ତି ।
ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେରଠାରେ ସାର କାରଖାନାର ପୁନଃରୁଦ୍ଧାର ପାଇଁ ଭିତ୍ତି ପ୍ରସ୍ତାର ଦେଇ ସ୍ଥାପନ କରିଥିଲେ । ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ ଓଡ଼ିଶାର ଲୋକେ ଶାସନର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ମତ ରଖିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଅନୁଭବ କରୁଛି ୨୦୧୪ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଓଡ଼ିଶା ଆସିଥିଲି । ୨୦୧୩-୧୪ରେ ଲୋକସଭା ନିର୍ବାଚନ ପାଇଁ ଆସିବାକୁ ପଡ଼ିଥିଲା । ୨୦୧୪ ପରେ ଏକାଧିକ ବାର ପ୍ରଧାନମନ୍ତ୍ରୀ ଭାବରେ ଲୋକଙ୍କ ପାଖକୁ ଆସିଥିଲି । ଏଣୁ ମୁଁ ଲଗାତର ଭାବେ ଦେଖୁଛି ପ୍ରତ୍ୟେକ ର‌୍ୟାଲି ରେକର୍ଡ ଭାଙ୍ଗିବାରେ ଲାଗିଛି । ଆଜିବି ଦେଖୁଛି ଅତିତର ସବୁ ରେକର୍ଡ ଭାଙ୍ଗି ଦେଇଛି । ଏହି ବିରାଟ ଜନସମାବେଶ ଏ ଉତ୍ସାହ ଓ ଉଦ୍ଦିପନା ଓଡ଼ିଶାର ଲୋକେ କଣ ଭାବୁଛନ୍ତି ତାହା ହେଉଛି ଏହା ସବୁଠାରୁ ବଡ଼ ଉଦାହରଣ । ଓଡ଼ିଶାର ଲୋକଙ୍କ ମନ ଓ ହୃଦୟରେ କଣ ଅଛି ତାହା ଏଥିରୁ ସ୍ପଷ୍ଟ ଦେଖାଯାଉଛି । ଓଡ଼ିଶାର ଏହି ସମୃଦ୍ଧ ମାଟିରେ ଆସିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ । ମୋତେ ବହୁ ଆନନ୍ଦ ମିଳିଛି ବୋଲି ସେ କହିଛନ୍ତି ।
ସ୍ୱଚ୍ଛତାର ପ୍ରସଙ୍ଗରେ ଓଡ଼ିଶା କିପରି ପଛରେ ପଡ଼ିଛି ତାହା ମଧ୍ୟ ସେ ଦର୍ଶାଇଥିଲେ । ଆଦି ଦେଶରେ ସ୍ୱଚ୍ଛତା ମିଶନ ଜୋରଦାର ହୋଇଛି । ଦେଶର ସବୁ ଛୋଟଛୋଟ ରାଜ୍ୟବି ଏଥିରେ ଲାଗିଛନ୍ତି । ୨୦୧୪ରେ ଗ୍ରାମୀଣ ସ୍ୱଚ୍ଛତା କେବଳ ୧୦ ପ୍ରତିଶତ ଥିଲା । କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ମୋ ସହ କାନ୍ଧ ମେଳାଇ ଲୋକମାନଙ୍କୁ ସହାୟତା ଦେଇଛନ୍ତି । ୨୦୧୪ରେ ୧୦ ପ୍ରତିଶତ ଥିଲା ବେଳେ ଏହା ବୃଦ୍ଧି ପାଇ ଏବେ ଏହା ୫୫ ପ୍ରତିଶତରେ ପହଂଚିଛି । କିନ୍ତୁ ଦେଶ ବହୁ ଜୋର୍ରେ ଆଗକୁ ବଢ଼ୁଛି । ଏଣୁ ଓଡ଼ିଶାକୁ ଏ କ୍ଷେତ୍ରରେ କରିବାକୁ ବାକି ଅଛି । ଦେଶରେ ଚାଲିଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମ ହାରଠାରୁ ଓଡ଼ିଶା ପଛରେ ଅଛି । ଅନେକ ରାଜ୍ୟ ସ୍ୱଚ୍ଛତାମାନ ଦଣ୍ଡରେ ଓଡ଼ିଶାକୁ ଟପିଗଲେଣି । ଏଣୁ ଓଡ଼ିଶାକୁ ବହୁତ ଆଗକୁ ଯିବାକୁ ପଡ଼ିବ ଏଥିପାଇଁ ଉଦ୍ୟମ ହେବା ଦରକାର । ମୋର ବିଶ୍ୱାସ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ଦ୍ରୁତ ଗତିରେ ନେଇ ସ୍ୱଚ୍ଛତା ଲକ୍ଷ୍ୟ ଓଡ଼ିଶାରେ ହାସଲ ହୋଇପାରିବ । ମୁଁ କିଛିଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ବିଷୟରେ ଅବଗତ କରାଇଛି । ମୁଁ ତାଙ୍କୁ କହିଛି ଦେଶ ସ୍ୱଚ୍ଛତାରେ ଆଗକୁ ବଢୁଥିଲା ବେଳେ ଓଡ଼ିଶା ପଛରେ ରହିଯାଇଛି । ଏବେ ଓଡ଼ିଶା ଆସିଥିବା ଅବସରରେ ମୁଁ ପୁଣି ନବୀନ ପଟ୍ଟନାୟକଙ୍କୁ କହୁଛି ଓଡ଼ିଶାରେ ସେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଅନ୍ତୁ । ଏହି ସ୍ୱଚ୍ଛତା ସ୍ୱାସ୍ଥ୍ୟ ସହ ଜଡ଼ିତ । ଓଡ଼ିଶା ଲୋକଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ସ୍ୱଚ୍ଛତାର ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆୟୂଷ୍ମାନ ଯୋଜନା ଓଡ଼ିଶା ସରକାର କାର୍ଯ୍ୟକାରୀ କରୁ ନ ଥିବା ଘଟଣାକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ମୋଦି କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ସବୁ ଗାଁରେ ଲୋକଙ୍କୁ ସାମିଲକ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କରାଯାଇଛି । ଏହି ଯୋଜନାରେ ଦେଶର ୧୦ କୋଟି ଗରୀବ ପରିବାରଙ୍କୁ ଅର୍ଥାତ୍ ୫୦ କୋଟି ଲୋକଙ୍କୁ ବା ଆମେରିକା, କାନାଡା, ମେକ୍ସିକୋ ଦେଶର ଯେତେ ଜନସଂଖ୍ୟା ଏହାକୁ ଅଧିକ ଲୋକଙ୍କୁ ଗୁରୁତର ରୋଗରେ ଶୀକାର ହେଲେ ଚିକିତ୍ସା ସୁବିଧା ଦିଆଯାଇ ପାରିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଆଉ ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଋଣ କରିବାକୁ ପଡ଼ିବ ନାହିଁ । ଦେଶର ଅଧିକାଂଶ ରାଜ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଯେଉଁମାନେ ସାମିଲ ହୋଇଛନ୍ତି ସେ ରାଜ୍ୟର ଲୋକଙ୍କୁ ଏହି ଯୋଜନାର ସୁବିଧା ମିଳିବାକୁ ଯାଉଛି । ଏଣୁ ଏହି ସୁବିଧା ଓଡ଼ିଶାର ଲୋକଙ୍କୁ ମିଳିବାର ଆବଶ୍ୟକ ଅଛି କି ନାହିଁ ? କିନ୍ତୁ ମୁଁ ବୁଝିପାରୁନି ଆମ ନବୀନ ବାବୁ କାହିଁକି ବୁଝିପାରୁ ନାହାଁନ୍ତି । ମୁଁ ଆଜି ବି ସାର୍ବଜନୀନ ଭାବରେ ଏହି ସଭାରେ ଆମର ମିତ୍ର ନବୀନ ବାବୁଙ୍କୁ ପୁଣି କହୁଛି ଓଡ଼ିଶାର ଲକ୍ଷଲକ୍ଷ ପରିବାରଙ୍କ ପାଇଁ ଏବଂ ଗରିବ ଲୋକଙ୍କର ସ୍ୱାର୍ଥ ପାଇଁ ଓ ସେମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହୁଅନ୍ତୁ । ଏଥିରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ସହାୟତା ମିଳିବ । ଏଥିରେ ସାମିଲ ହେଲେ ଓଡ଼ିଶାର ଲୋକ ଯେକୌଣସି ରାଜ୍ୟକୁ ଗଲେ ବି ସେଠାରେ ମାଗଣାରେ ଚିକିତ୍ସା ପାଇ ପାରିବେ । ଯଦି ଓଡ଼ିଶା ସରକାର ଏଥିରେ ସାମିଲ ନ ହେବେ ତେବେ ମୁଁ ଆପଣମାନଙ୍କ ସେବା କରିପାରିବି ନାହିଁ । ଓଡ଼ିଶାର ସ୍ୱାସ୍ଥ୍ୟ ସେବା କେଉଁ ସ୍ଥିତିରେ ପହଂଚିଛି ଏହା କାହାକୁ ଅଛପା ନାହିଁ । ଜନ୍ମ ସମୟରେ ମା ଓ ଶିଶୁର ମୃତ୍ୟୁ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା କଣ ତାହା କହିବା ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଟଙ୍କିକିଆ ଚାଉଳ ଘଟଣାରେ କେନ୍ଦ୍ରୀୟ ଅର୍ଥକୁ ରାଜ୍ୟ କିପରି ନିଜ ନାଁରେ କରୁଛି ସେ ବିଷୟ ଦର୍ଶାଇବାକୁ ଯାଇ ମୋଦି କହିଥିଲେ ଓଡ଼ିଶାର କୌଣସି ଲୋକଙ୍କୁ ଭୋକିଲା ରହିବାକୁ ଦିଆଯିବନାହିଁ । ଲୋକେ ଏ ଘଟଣା ଜାଣିନାହାଁନ୍ତି । ଆମକୁ ବାଧ୍ୟ ହୋଇ ସୂଚନା ଦେବାକୁ ହେଉଛି ଓଡ଼ିଶାରେ ଯେଉଁ ଚାଉଳ ଗରିବକୁ କିଲୋ ଟଙ୍କାରେ ଦିଆଯାଉଛି ଏହିଚାଉଳ ଟଙ୍କିଆ ଚାଉଳ ପାଇଁ ଭାରତ ସରକାର ୨୫ରୁ ୩୦ ଟଙ୍କା ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଅର୍ଥ ଦେବା ପରେ ଓଡ଼ିଶାରେ ଲୋକମାନେ ଟଙ୍କାଟରେ ଚାଉଳ ପାଉଛନ୍ତି । ଏହି ସୂଚନା ଲୋକଙ୍କୁ ଦିଆଯାଉନାହିଁ । ରାଜ୍ୟର ୮୫ ଲକ୍ଷ ପରିବାରକୁ ଏହି ଲାଭ ମିଳୁଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ନବୀନ ବାବୁଙ୍କ ସରକାରକୁ ପ୍ରତି ମାସରେ ପ୍ରାୟ ୪୫୦ କୋଟି ଟଙ୍କା ଦେଉଛନ୍ତି । ଏହାପରେ ଓଡ଼ିଶା ଲୋକେ ଚାଉଳ ଶସ୍ତାରେ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here