ଭଗବାନ ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ ଅନୁସରଣରେ ଜୀବନର ସମସ୍ୟା ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

2

ନୂଆଦିଲ୍ଲୀର : ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମଠାରେ ଆଜି ଆୟୋଜିତ ବୁଦ୍ଧ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ସଂଘ ଦାନ ଅର୍ପଣ କରିଥିଲେ । ସେ ସାରନାଥସ୍ଥିତ Central Institute of Higher Tibetan Studies ଏବଂ ବୋଧ ଗୟାର ସର୍ବଭାରତୀୟ ଭିକ୍ଷୁ ସଂଘକୁ ବୈଶାଖ ସମ୍ମାନ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ । ଉପସ୍ଥିତ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଅଭିନବ ଐତିହ୍ୟର ସ୍ଥାନ ଯେଉଁଠି ପରସ୍ପର ବିରୋଧୀ ବିଚାର ସବୁବେଳେ ମାନବ ସମାଜକୁ ଲାଭ ପହଂଚାଇଥାଏ । ସେ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ବାଣୀ ଅନେକ ରାଷ୍ଟ୍ର ନିର୍ମାଣ କରିଛି । ସେ କହିଥିଲେ ଭାରତ କେବେ ହେଲେ ଆକ୍ରମଣକାରୀ ହୋଇ ରହିନାହିଁ । ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ଅଷ୍ଟାଙ୍ଗ ମାର୍ଗ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ ଏହି ମାର୍ଗ ଅନୁସରଣ କରିବା ଦ୍ୱାରା ଆମେ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସମ୍ଭବ ହୋଇପାରିବ । ବୁଦ୍ଧଙ୍କ ପ୍ରେମ ଏବଂ କରୁଣାର ବାର୍ତା ଆଜିର ବିଶ୍ୱକୁ ବ୍ୟାପକ ଭାବେ ଲାଭାନ୍ୱିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେଣୁ ଯେଉଁମାନେ ବୁଦ୍ଧଙ୍କଠାରେ ବିଶ୍ୱାସ କରୁଛନ୍ତି ସେମାନେ ଏହି ମହାନ ଉଦ୍ଦେଶ୍ୟ ପୂର୍ତି ପାଇଁ ସେମାନଙ୍କ ଏକଜୁଟ ହେବା ଲାଗି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରି ଲୋକମାନଙ୍କ ସେବା କରିବା ଲାଗି ସରକାର କରୁଣାଭାବ ନେଇ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ କହିଥିଲେ ଯେ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ଐତିହ୍ୟ ସହିତ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଲାଗି କେନ୍ଦ୍ର ସରକାର ଏକ ବିସ୍ତୃତ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ବୌଦ୍ଧ ପର୍ଯ୍ୟଟନ ବଳୟ ପାଇଁ ୩୬୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ୨୦୨୨ରେ ନୂତନ ଭାରତ ଗଠନ ଲାଗି ଯୋଗଦାନ ଦେବାକୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସଭାକୁ ଆହ୍ୱାନ କରିଥିଲେ । ଏହି ତାରିଖ ସୁଦ୍ଧା ପୂରଣ କରିବା ଲାଗି କିଛି କାର୍ଯ୍ୟ ନିର୍ଦ୍ଧାରଣ କରିବା ପାଇଁ ସଂକଳ୍ପ ନେବା ନିମନ୍ତେ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । PIB

LEAVE A REPLY

Please enter your comment!
Please enter your name here