ପ୍ରସାଦଙ୍କ ହେବ ପାୱାର କଟ୍ ➤➤➤ ସୃଷ୍ଟି ହେବ କାର୍ଯ୍ୟକାରୀ ସଭାପତି ପଦ

https://www.facebook.com/nnsodia/videos/267154983995629/?t=5

ଦେଶରେ ଏବେ କଂଗ୍ରେସର ଅବସ୍ଥା ଭଲ ନାହିଁ ।  ଉତ୍ତରପ୍ରଦେଶ ନିର୍ବାଚନ ଆଗରୁ ରୀତା ବହୁଗୁଣାଙ୍କ ପରି ନେତ୍ରୀ ଦଳ ଛାଡୁଛନ୍ତି । ଓଡିଶା କଂଗ୍ରେସ ଅବସ୍ଥା ନ କହିବା ଭଲ । ଆଗକୁ ଆସୁଥିବା ତ୍ରିସ୍ତରୟୀୟ ପଞ୍ଚାୟତ ନିର୍ବାଚନ ଲଢିବା ମୁଡରେ ରାଜ୍ୟ କଂଗ୍ରେସ ଥିଲା ପରି ମନେ ହେଉନାହିଁ । ଓଡିଶାରେ କିପରି ନେତୃତ୍ୱ ପରିବର୍ତ୍ତନ ହେବ ସେହି ନିଶାରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଏ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ହଟାଓ ଅଭିଯାନରେ ଏବେ ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟ ଫର୍ମୁଲା ଦେଖିବାକୁ ମିଳୁଛି ଓଡିଶା କଂଗ୍ରେସରେ । ଜୟଦେବ ଯେନାଙ୍କ ଛାଇ ଦେଖିଲେ ନିରଞ୍ଜନ ପଟ୍ଟନାୟକଙ୍କ ନାଇ ଡିଏଁ । କିନ୍ତୁ କେନ୍ଦୁଝରର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏବେ ଏକାଠି । ଆଉ ଏମାନଙ୍କୁ ଏକାଠି କରିବା ଠିକା ନେଇଛନ୍ତି ଏଆଇସିସିସି ସଂପାଦକ ଭକ୍ତ ଚରଣ ଦାସ ।

  1. ଜୟଦେବ-ନିରଞ୍ଜନ-ଭକ୍ତଙ୍କ ମନ୍ତ୍ରଣା
  2. ପ୍ରସାଦଙ୍କ ଗୋଛି କାଟିବାକୁ ଯୋଜନା
  3. ପ୍ରସାଦଙ୍କ ଉପରେ ହାଇକମାଣ୍ଡ ନାଖୁସ୍
  4. ରିପିଟ୍ ହେବ ୨୦୦୯ ଫର୍ମୁଲା
  5. ସୃଷ୍ଟି ହେବ କାର୍ଯ୍ୟକାରୀ ସଭାପତି ପଦ

ଭୁବନେଶ୍ୱର : ଓଡିଶାର ସବୁ ମିଡିଆର ନଜର ଯେତେବେଳେ ସମ୍ ହସ୍ପିଟାଲର ଅଗ୍ନିକାଣ୍ଡ ଉପରେ ରହଥିଲା, ଠିକ୍ ସେହି ସମୟରେ ଯେନା-ପଟ୍ଟନାୟକଙ୍କ ହରି-ହର ଭେଟ ହୋଇଛି । ମାନେ ଗତ ବୁଧବାର(ଅକ୍ଟୋବର୧୯) ଦିନ ପ୍ରାୟ ୧୧ଟା; ଭୁବନେଶ୍ୱର ମଞ୍ଚେଶ୍ୱର ରେଳଷ୍ଟେସନ ନିକଟ ଗାଡ଼କଣ ସ୍ଥିତ ସୁଭାଷ ଏନକ୍ଲେଭରେ ଜୟଦେବ ଓ ଭକ୍ତ ଦାସଙ୍କୁ ଦେଖିବାକୁ ମିଳିଥିଲା । ପରେ ଏକ ଫର୍ଚୁନର୍ କାରରେ ସେଠି ପହଞ୍ଚିଥିଲେ ନିରଞ୍ଜନ ପଟ୍ଟନାୟକ । ୩ ବରିଷ୍ଠ ନେତା ଏଫ୍ ବ୍ଲକର ଏକ ଆପାର୍ଟମେଣ୍ଟକୁ ପ୍ରବେଶ କଲେ । ସେଠାରେ ପ୍ରାୟ ୨ ଘଣ୍ଟା ଧରି କବାଟକିଳା ଆଲୋଚନା ଚାଲିଲା । ପରେ ଜୟଦେବ ଓ ନିରଞ୍ଜନ ନିଜ ନିଜ ଗାଡ଼ିରେ ବାହାରିଗଲେ । ୩ ବରିଷ୍ଠ ନେତାଙ୍କର ଗୋପନ ଆଲୋଚନା ବେଳେ ଓଡିଶା କଂଗ୍ରେସ ସମସ୍ତ ବିଧାୟକ ଥିଲେ ଦିଲ୍ଲୀରେ । ରାଜନୈତିକ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ନଜର ରହିଥିଲା  ଦିଲ୍ଲୀରେ । ପ୍ରସାଦ ହରିଚନ୍ଦନ ମଧ୍ୟ ଠଉରାଇ ପାରିଲେ ନାହିଁ ଯେ, ତାଙ୍କୁ ହଟାଇବା ଲାଗି ଭକ୍ତ-ଜୟଦେବ-ନିରଞ୍ଜନଙ୍କ ମନ୍ତ୍ରଣା ଚାଲିଛି ସୁଭାଷ ଏନକ୍ଲେଭରେ ।

ଜୟଦେବ ଏବଂ ନିରଞ୍ଜନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ କଥା ସମସ୍ତେ ଜାଣନ୍ତି । ପୂର୍ବରୁ ପଟ୍ଟନାୟକ ପରିବାର ମୁକ୍ତ ପିସିସି ଗଢିବା ଲାଗି ଜୟଦେବ-ଶ୍ରୀକାନ୍ତ ଜେନା ଏକାଠି ହୋଇଥିଲେ । ଫଳରେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦ ଛାଡ଼ିବାକୁ ପଡ଼ିଥିଲା । ଆଉ ଏହାପରେ ଜୟଦେବ ପିସିସି ସଭାପତି ହୋଇଥିଲେ । ପିସିସି ମଙ୍ଗୁଆଳ ହେବା ପରେ ଶ୍ରୀକାନ୍ତ ଜେନାଙ୍କ ସହ ମିଶି ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବାହାର କରିବାରେ ସଫଳ ହୋଇଥିଲେ ଜୟଦେବ । ଏଥିପାଇଁ ନିରଞ୍ଜନ, ଜୟଦେବଙ୍କ ନେତୃତ୍ୱରେ ନିର୍ବାଚନରେ ଲଢ଼ିବା ପାଇଁ ମନା କରି ଦେଇଥିଲେ । ସୌମ୍ୟ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ “ଆମ ଓଡ଼ିଶା” ନାଁରେ ଦଳ ଗଢ଼ି ମାଠିଆ ଚିହ୍ନରେ ଲଢ଼ି କଂଗ୍ରେସକୁ ତଳିତଳନ୍ତା କରିଥିଲେ । ତେବେ ପିସିସି ସଭାପତି ଗାଦିରେ ବସିବା ପରେ ପ୍ରସାଦ ହରିଚନ୍ଦନ ଉଭୟ ଜୟଦେବ ଓ ନିରଞ୍ଜନଙ୍କୁ ଅଣଦେଖା କଲେ । ଭକ୍ତ ଦାସଙ୍କ ପରି ନେତାଙ୍କୁ ମଧ୍ୟ ପ୍ରସାଦ ଚିଡାଇଲେ । ଗୋବର୍ଦ୍ଧନ ଦାସଙ୍କୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି କରିବା, ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କୁ ଦଳକୁ ଫେରାଇ ଆଣି ଭକ୍ତଙ୍କୁ ଅସନ୍ତୁଷ୍ଟ କରାଗଲା । ଏସବୁକୁ ନେଇ ଭକ୍ତ ଚତୁର ଖେଳ ଆରମ୍ଭ କରିଛନ୍ତି । ଏଥିପାଇଁ ଜୟଦେବ ଏବଂ ନିରଞ୍ଜନଙ୍କ ମଧ୍ୟରେ ଥିବା ମତାନ୍ତରକୁ ଦୂର କରିବା ପାଇଁ ଚେଷ୍ଟା ହୋଇଛି ।

ତେବେ ଏ ସମସ୍ତ ଖବର କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ଅଛି । ଆମର ଦିଲ୍ଲୀ ସୂତ୍ର କହୁଛି, ଅଶୀ ଛୁଇଁବାକୁ ଯାଉଥିବା ନିରଞ୍ଜନ ପଟ୍ଟନାୟକଙ୍କ ପରି ବୟସ୍କ ଲିଡରଙ୍କ ସପକ୍ଷରେ ରାହୁଲ ଗାନ୍ଧି ନାହାନ୍ତି । ସେହିପରି ଦ୍ୱିତୀୟ ଥର ପିସିସି ସଭାପତି ହୋଇଥିବା ଦଳିତ ଫେସ୍ ଜୟଦେବ ଯେନାଙ୍କ ପାରିବା ପଣିଆକୁ ନେଇ ହାଇକମାଣ୍ଡ ଦ୍ୱନ୍ଦ୍ୱରେ । ସେପଟେ ବିଧାୟକଙ୍କ ସମର୍ଥନ ହରାଇଥିବା ପ୍ରସାଦଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦେବା ମୁଡରେ ଆଉ ନାହାନ୍ତି ହାଇକମାଣ୍ଡ । ଶୁଣିବାକୁ ମିଳୁଛି ଏଥିପାଇଁ ୨୦୦୯ ଫର୍ମୁଲାକୁ ରିପିଟ କରିବାକୁ ଚାହୁଁଛନ୍ତି ହାଇକମାଣ୍ଡ । ମାନେ ପିସିସି ସଭାପତିଙ୍କ ସମେତ ସାମନ୍ତରାଳ ଭାବେ କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରିପାରନ୍ତି ହାଇକମାଣ୍ଡ । ଯେପରି ୨୦୦୯ ନିର୍ବାଚନ ଆଗରୁ କେ.ପି. ସିଂହଦେଓଙ୍କୁ ପିସିସି ସଭାପତି କରାଗଲା । ଆଉ ଲୁଲୁ ମହାପାତ୍ର, ଚନ୍ଦ୍ରଶେଖର ସାହୁ ଏବଂ ଭକ୍ତ ଦାସଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା । ଫଳରେ ସବୁ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରା ଯାଇଥିଲା । କିନ୍ତୁ ସେହି ଫର୍ମୁଲା ନିର୍ବାଚନ ରାଜନୀତିରେ ଆଂଶିକ ସଫଳତା ମିଳିଥିଲା । କଂଗ୍ରେସ ୬ଟି ଲୋକସଭା ଆସନ ଓ ୨୭ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା । ଏହାକୁ ଆଖିରେ ରଖି ପୁଣି ଥରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିବାକୁ କେନ୍ଦ୍ରୀୟ ନେତୃତ୍ୱ ଚାଲ୍ କରିଥିବା ଚର୍ଚ୍ଚା ହେଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here