You are here
Home > ପଲିଟିକ୍ସ > ନବୀନ ଓଡ଼ିଆ ନ ଜାଣିବା ପାଇଁ ବିଜୁବାବୁ ଦାୟୀ : ନିରଞ୍ଜନ

ନବୀନ ଓଡ଼ିଆ ନ ଜାଣିବା ପାଇଁ ବିଜୁବାବୁ ଦାୟୀ : ନିରଞ୍ଜନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ କହିପାରୁ ନ ଥିବା ନେଇ ବିଭିନ୍ନ ସମୟରେ ରାଜନୀତିକ ମହଲରେ ସମାଲୋଚନା ହୋଇ ଚାଲିଛି । ଏଥିନେଇ ନବୀନଙ୍କୁ ବହୁ ସମୟରେ ବିରୋଧୀମାନେ ଆକ୍ଷେପ କରିଥାନ୍ତି । ନବୀନ ଓଡ଼ିଆରେ ଭାଷଣ ଦେଉଥିଲେ ମଧ୍ୟ କିନ୍ତୁ ସେ ତାହା ନିଜ ମନରୁ କହୁ ନଥିବା ଏବଂ ଲୋକଙ୍କ ସହ ଭଲରେ ଓଡ଼ିଆରେ କଥା ହେଉ ନ ଥିବା ଅଭିଯୋଗ ନୀତିଦିନିଆ ଘଟଣାରେ ପରିଣତ ହୋଇଛି । ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିନେଇ ନୂଆ ଥିଓରୀ ବାହାର କରିଛନ୍ତି । ଏଥିନେଇ ସମସ୍ତେ ନବୀନଙ୍କୁ ହିଁ ଦାୟୀ କରି ଆସୁଛନ୍ତି । ଏପରି କି ପୂର୍ବରୁ ନିରଞ୍ଜନ ମଧ୍ୟ ନବୀନଙ୍କୁ ଦାୟୀ କରିଛନ୍ତି । କିନ୍ତୁ ହଠାତ୍ ସେ ତାଙ୍କ ମତରେ ପରିବର୍ତ୍ତନ କରିଥିବା ଦେଖାଦେଇଛି । ସେ ଆଉ ନବୀନଙ୍କୁ ଦାୟୀ ନ କରି ଏଥିପାଇଁ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ବିଜୁ ପଟ୍ଟନାୟକଙ୍କୁ ସମାଲୋଚନା କରିବାରୁ ବିଜେଡି ମଧ୍ୟ ପ୍ରତିକ୍ରୀୟା ରଖି ନିରଞ୍ଜନଙ୍କୁ ଆକ୍ଷେପ କରିଛି ।
କଂଗ୍ରେସ ଭବରେ ଦଳର ମିଶ୍ରଣ ପର୍ବ ଚାଲିଥିଲା ବେଳେ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ନ ଜାଣିବା ପ୍ରସଙ୍ଗ ଉଠାଇଥିଲେ । ଏଥିପାଇଁ ତାଙ୍କୁ ଦାୟୀ ନ କରି ତାଙ୍କ ବାପାଙ୍କୁ ଦାୟୀ କରିଥିଲେ । ସେ କହିଥିଲେ ‘ତାଙ୍କ ବାପା ମା’ ତ ଘରେ ଓଡ଼ିଆରେ କଥା ହେଲେ ନି ସେ କେଉଁଠୁ ଓଡ଼ିଆ ଶିଖିବେ । ଯଦି ତାଙ୍କ ବାପା ମା’ ଓଡ଼ିଆ ବୋଲି ଗର୍ବ କରିଥାନ୍ତେ ତାହାଲେ ତ ତାଙ୍କ ପୁଅକୁ ଓଡ଼ିଆ ଶିଖାଇ ଥା’ନ୍ତେ ।’ ବିଜୁ ବାବୁ ଓଡ଼ିଶାକୁ ବହୁତ ଭଲ ପାଉଥିଲେ ବୋଲି ସାମ୍ବାଦିକମାନେ କହିବାରୁ ଏହା ଉପରେ ନିରଞ୍ଜନ କହିଥିଲେ ‘ରାଜନୀତିରେ ବହୁ ପ୍ରକାର ପ୍ରଚାର ହୁଏ’ । ଏହି କଥା କହି ନିରଞ୍ଜନ ପରୋକ୍ଷରେ ଅନେକ କିଛି ବିଜୁବାବୁଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲି କୁହାଯାଉଛି । ଏହି ଘଟଣାକୁ ବିଜେଡି ସହଜରେ ଗ୍ରହଣ କରିପାରି ନାହିଁ ।
ବିଜେଡି ମୁଖପାତ୍ର ସସ୍ମୀତ ପାତ୍ର ପ୍ରତିକ୍ରୀୟା ରଖି କହିଛନ୍ତି ବିଜୁବାବୁ ହେଉଛନ୍ତି ଓଡ଼ିଶାର ବରେଣ୍ୟ ନେତା । ଓଡ଼ିଶାବାସୀଙ୍କ ହୃଦୟର ସମ୍ରାଟ ପାଇଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶା କି ଭାରତ ନୁହେଁ ବିଜୁବାବୁଙ୍କ ବାବଦରେ ସମଗ୍ର ବିଶ୍ୱ ଅବଗତ ହୋଇଛି । ତାଙ୍କୁ ଆନ୍ତର୍ଜାତୀୟ ସମ୍ମାନ ମଧ୍ୟ ମିଳିଛି । ଯେଉଁମାନେ ଏଭଳି ମତ ରଖୁଛନ୍ତି ସେମାନେ ଯଦି ଓଡ଼ିଶାର ଭାବାବେଗ ଓ ଆବେଗ ସହ ସହମତ ହୋଇପାରୁ ନାହାଁନ୍ତି ଏହା ଅତ୍ୟନ୍ତ ଦୁଃଖ ଓ ନିନ୍ଦନୀୟ । ଯେଉଁମାନେ ଏଭଳି ମତ ଦେଉଛନ୍ତି ସେମାନେ ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟକୁ କଷ୍ଟ ଓ ଆଘାତ ଦେଉଛନ୍ତି ବୋଲି ସେ କହିଛନ୍ତି ।

Loading...
ONA

Leave a Reply

Top