ସୁସ୍ଥ ହୋଇ ଫିଲ୍ମ ଜଗତକୁ ଫେରୁଛନ୍ତି ପପୁ ପମପମ୍

ଭୁବନେଶ୍ୱର: ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ପୁଣି ପରଦାକୁ ଫେରୁଛନ୍ତି ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ ପୁଣି ଏକ ନୂଆ ରୂପରେ । ଅସୁସ୍ଥତା କାରଣରୁ କିଛି ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ପପୁ | ତେବେ ତାଙ୍କୁ ନେଇ ଅନେକ ନାନା ପ୍ରକାରର ମତ ଦେଉଥିଲେ | ମାତ୍ର ସେ ସୁସ୍ଥ ହୋଇ ପୁଣି ଫିଲ୍ମ ଜଗତକୁ ଫେରୁଥିବାର ଦେଖିବାକୁ ମିଳୁଛି | ସଂଗୀତ ନିର୍ଦ୍ଦେଶନାରୁ କଳାକାର ଜୀବନ ଆରମ୍ଭ କରିଥିବା ପପୁ ଏବେ ପୁଣିଥରେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍‌’ରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଉଥିବା ଜଣାପଡ଼ିଛି । ନୂଆବର୍ଷରେ ପପୁ ତାଙ୍କର ଅଗଣିତ ଶୁଭେଚ୍ଛୁଙ୍କୁ ଏପରି ଉପହାର ଦେଉଥିବା ଆଲୋଚନା ହେଉଛି । ନବାଗତ ଏବଂ ଅଭିଜ୍ଞ କଳାକାରମାନଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ପପୁ ଚିତ୍ରନାଟ୍ୟ, ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି । ଫିଲ୍ମରେ ଗୀତ ଲେଖିଛନ୍ତି ଦୀପକ ଜେନା ଓ ସ୍ମୃତି । ଆସନ୍ତା ୫ ତାରିଖରେ ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥିରେ ପପୁ ଓ ତାଙ୍କ ସହଯୋଗୀମାନେ ଯୋଗଦେବେ । ପୂର୍ବର ପପୁ ଅନେକ ମଞ୍ଚ ଓ ଆଲବମ୍‌ରେ ସଂଗୀତ ନିର୍ଦ୍ଦେଶନା ଦେଇ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଚଳଚ୍ଚିତ୍ରରେ ମଧ୍ୟ ଏହି ଧାରା ବଜାୟ ରଖିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।