ଶୋଏବ ଓ ସାନିଆଙ୍କ ପୁତ୍ର ସନ୍ତାନ ଇଜହାନ୍‌ ମିର୍ଜା–ମାଲିକଙ୍କୁ ମିଳିବନି ପାକିସ୍ତାନ ନାଗରିକତ୍ୱ

ନୂଆଦିଲ୍ଲୀ:ପାକିସ୍ତାନ କ୍ରିକେଟର୍‌ ଶୋଏବ ମାଲିକ ଓ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜାଙ୍କ ପୁତ୍ର ସନ୍ତାନ ଇଜହାନ୍‌ ମିର୍ଜା–ମାଲିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ସରକାର ଶୋଏବ ଓ ସାନିଆଙ୍କ ପୁତ୍ର ସନ୍ତାନଙ୍କୁ ନାଗରିକତ୍ୱ ପ୍ରଦାନ କରିବେ ନାହିଁ ବୋଲି ପାକ୍‌ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏହି ଖବର ମିଳିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫେଡରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏଫ୍‌ଆଇଏ) ପକ୍ଷରୁ କୁହାଯାଇଛି “ପାକିସ୍ତାନର ପାସପୋର୍ଟ ଓ ଇମିଗ୍ରେସନ୍‌ ଆଇନ୍‌ ଅନୁଯାୟୀ ଜଣେ ଭାରତୀୟ ନାଗରିକଙ୍କୁ ଆମ ଦେଶରେ ନାଗରିକତ୍ୱ ପ୍ରଦାନ କରାଯାଇ ପାରିବ ନାହିଁ । ତଥାପି ପାକିସ୍ତାନ ୧୯ଟି ଦେଶ ସହ ଦ୍ୱୈତ ନାଗରିକତ୍ୱ ପାଇଁ ଚୁକ୍ତି କରିଛି । ହେଲେ ଭାରତ ସେହି ରାଷ୍ଟ୍ରମାନଙ୍କ ମଧ୍ୟରେ ଆସୁନାହିଁ । ସେହିପରି ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର୍‌ ଶୋଏବ ମାଲିକଙ୍କୁ ବିବାହ କରିଥିଲେ ମଧ୍ୟ ଆଜି ଯାଏ ଭାରତୀୟ ନାଗରିକତ୍ୱକୁ ପ୍ରତ୍ୟାହାର କରିନାହାନ୍ତି । ତେଣୁ ଏପରି ସ୍ଥିତିରେ ସେମାନଙ୍କ ପୁଅକୁ କେମିତି ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।