ଭାରତରେ ଗୁପ୍ତଚର ବୃତ୍ତି : ଦେଶ ଛାଡିବାକୁ ପାକ ଦୂତାବାସର ଅଧିକାରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ :ଗୁପ୍ତଚର ବୃତ୍ତି ଅଭିଯୋଗରେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କୁ ଭାରତ ଛାଡ଼ି ପଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ନାଁ ହେଲା ମେହମୁଦ ଅଖତାର । ତାଙ୍କୁ ପଚରାଉଚରା ପରେ କୂଟନୈତିକ କାରଣରୁ ଛାଡ଼ି ଦିଆଯାଇଛି । ଏହାପରେ ତାଙ୍କୁ ଦେଶ ଛାଡି ତୁରନ୍ତ ଚାଲିଯିବା ଭାରତୀୟ ବୈଦେଶିକ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି ।  ମେହମୁଦଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ରାଜସ୍ଥାନର ଦୁଇଜଣ ଲୋକଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୌଲାନା ରମଜାନ ଓ ସୁବାସ ଜାଙ୍ଗିର । ସେମାନଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ସେମାନେ ମେହମୁଦଙ୍କୁ ପ୍ରତିରକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯୋଗାଉଥିଲେ  ।  ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା, ବିଏସଏଫ ଯବାନ ମୁତୟନ ଓ ଭିସା ସଂକ୍ରାନ୍ତୀୟ ଅନେକ ଡକୁମେଣ୍ଟ ଜବତ ହୋଇଛି । ଏହି ଘଟଣାରେ ପାକିସ୍ତାନ ହାଇକମିଶନର ଅବଦୁଲ ବାସିତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ସେ ଆଜି ବୈଦେଶିକ ମନ୍ତ୍ରଣାଳୟରେ ହାଜିର ହୋଇଥିଲେ । ଗତବର୍ଷ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ପାକିସ୍ତାନ ଏୟାର ଫୋର୍ସର ଜଣେ ଅଧିକାରୀ ରହିଥିଲେ । ଆଜି ଗିରଫ କରାଯାଇଥିବା ମେହମୁଦ ଅଖତାର ସେହି ନେଟଓ୍ବାର୍କରେ ସାମିଲ ଥିବା ଆଶଙ୍କା କରାଯାଉଛି ।  ଉରି ଆକ୍ରମଣ ଘଟଣାପରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ତିକ୍ତ ହୋଇପଡିଛି । ଆଉ ଏଭଳି ସମୟରେ ପାକିସ୍ତାନର ଦୂତାବାସ କର୍ମଚାରୀ ଗୁପ୍ତଚର ଅଭିଯୋଗରେ ଗିରଫ ହେବା ସମ୍ପର୍କକୁ ଅଧିକ ତିକ୍ତ କରିପାରେ ।

LEAVE A REPLY

Please enter your comment!
Please enter your name here