You are here
Home > ବିଶେଷ > ଏକକ ନିର୍ବାଚନ: ନବୀନଙ୍କୁ ଶ୍ରେୟ ଦେବାକୁ ବିରୋଧୀ ନାରାଜ

ଏକକ ନିର୍ବାଚନ: ନବୀନଙ୍କୁ ଶ୍ରେୟ ଦେବାକୁ ବିରୋଧୀ ନାରାଜ

ଭୁବନେଶ୍ୱର: ଦେଶରେ ଏକକ ନିର୍ବାଚନ ନେଇ ବିତର୍କ ଜାରିରହିଛି । ଅଧିକାଂଶ ଦଳ ଏହା ବିରୋଧରେ ମତ ରଖିଛନ୍ତି । ଲ’ କମିଶନ ଏ ନେଇ ସବୁ ରାଜନୀତିକ ଦଳର ମତାମତ ନେଉଛନ୍ତି । ଆଜି ବିଜେଡି ତାର ମତ ରଖିଛି । ଅବଶ୍ୟ ବିଜେଡି ଆଗରୁ ଏ ସମ୍ପର୍କରେ ତା’ର ମତ ସ୍ପଷ୍ଟ କରିସାରିଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମର୍ଥନ ଦେଇଛନ୍ତି । କିନ୍ତୁ ଦେଶରେ ଏହି ଏକକ ନିର୍ବାଚନର ପ୍ରଥମ ପ୍ରବର୍ତ୍ତକ ହେଉଛନ୍ତି ନବୀନ ପଟ୍ଟନାୟକ ବୋଲି ବିଜେଡି ଦାବି କଲା ପରେ ଏହାକୁ ନେଇ ରାଜନୀତିକ ବାଦ୍ବିବାଦ ଦେଖାଦେଇଛି । ବିଜେପି ଓ କଂଗ୍ରେସ ନବୀନଙ୍କୁ ଏହି ଶ୍ରେୟ ଦେବାପାଇଁ ପ୍ରସ୍ତୁତ ନୁହଁନ୍ତି । ନବୀନ ଏହାର ପ୍ରବର୍ତ୍ତକ ନୁହଁନ୍ତି ବୋଲି ବିଜେପି କହୁଥିଲା ବେଳେ ଏ ବ୍ୟବସ୍ଥା ଦେଶରେ ବହୁ ଆଗରୁ ପ୍ରଚଳିତ ଥିଲା ବୋଲି କଂଗ୍ରେସ କହିଛି ।
ବିଜେଡି ପକ୍ଷରୁ ଲ’ କମିଶନଙ୍କ ନିକଟରେ ପକ୍ଷ ରଖିବା ପାଇଁ ସାଂସଦ ପିନାକୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀ ମିଶ୍ର ଆଜି ଅପରାହ୍ନରେ ଦଳର ମତ ଲିଖିତ ଭାବେ ଉପସ୍ଥାପନ କରିବେ । କିନ୍ତୁ ମତ ରଖିବା ପୂର୍ବରୁ ପିନାକୀ ଯେଉଁ ବକ୍ତବ୍ୟ ରଖିଥିଲେ ତାକୁ ନେଇ ରାଜ୍ୟରେ ଦଳମାନଙ୍କ ଭିତରେ ବିବାଦ ମୁଣ୍ଡ ଟେକିଛି ।
ପିନାକୀ କହିଥିଲେ ‘ଦେଶରେ ଏକକ ନିର୍ବାଚନର ପ୍ରବର୍ତ୍ତକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାକୁ ବର୍ଷକୁ ପୂର୍ବରୁ ଭାଙ୍ଗି ଏକକ ନିର୍ବାଚନ ପାଇଁ ସୁଯୋଗ ଦେଇଥିଲେ । ଭାରତରେ କୌଣସି ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ କରିବାକୁ ସାହସ କରିନାହାଁଁନ୍ତି । ଆମ ଦଳର ଆଭିମୁଖ୍ୟ ହେଲା ଏକକ ନିର୍ବାଚନର ମୂଳ ପ୍ରବର୍ତ୍ତକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ୨୦୦୪ରେ ସେ କାର୍ଯ୍ୟକାରୀ କରି ଦେଖାଇଛନ୍ତି । ଯାହା କେବେ କେଉଁଠି ହୋଇ ନ ଥିଲା ସେଭଳି ଏକ କଠୋର ନିଷ୍ପତ୍ତି ନେଇ ନବୀନ ପଟ୍ଟନାୟକ ଆଗୁଆ ନିର୍ବାଚନ କରି ଦେଖାଇଛନ୍ତି । ସେତେବେଳେ ଓଡ଼ିଶାରେ ୨୦୦୫ ଫେବୃଆରୀରେ ନିର୍ବାଚନ ହେବାର ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କ ବିଧାନସଭା କାର୍ଯ୍ୟକାଳ ୧ ବର୍ଷ ତ୍ୟାଗ କରିଦେଲେ । ଭାରତ ବର୍ଷରେ କୌଣସି ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଏଭଳି ସତ୍ସାହସ କରିନାହାଁନ୍ତି । ଗୋଟିଏ ବର୍ଷ କାର୍ଯ୍ୟକାଳ କାଟିଦେଇ ଲୋକଙ୍କ ହୀତ ପାଇଁ ଓ ରାଜ୍ୟର ସ୍ୱାର୍ଥ ପାଇଁ ଏହି ତ୍ୟାଗ କରିଥିଲେ । ଆଜି ପର୍ଯ୍ୟନ୍ତ ଭାରତ ବର୍ଷରେ କେବେ ହୋଇନାହିଁ ବୋଲି ଶ୍ରୀ ମିଶ୍ର କହିଥିଲେ ।’
କିନ୍ତୁ ଏଥିରେ ବିଜେପି ଓ କଂଗ୍ରେସ ସହମତ ହୋଇ ପାରୁନାହିଁ । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ୨୦୦୫ରେ ଓଡ଼ିଶା ବିଧାନସଭା ନିର୍ବାଚନ ହେବାର ଥିଲା । ୨୦୦୪ରେ ଯେଉଁ ଏକକ ନିର୍ବାଚନ ହେଲା ତାହା ସେତେବେଳେର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନିର୍ଦ୍ଦେଶରେ ହିଁ ହୋଇଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏକକ ନିର୍ବାଚନ ବ୍ୟବସ୍ଥା ଆବାହମାନ କାଳରୁ ଦେଶରେ ସ୍ୱାଧୀନତା ପରଠାରୁ ରହିଛି । ମଝିରେ ଭଙ୍ଗାଭଙ୍ଗି ହେବା ଦ୍ୱାରା ଏଭଳି ଅବ୍ୟବସ୍ଥା ହୋଇଛି । ଏକକ ନିର୍ବାଚନର ସୂତ୍ରଧର ହେଉଛନ୍ତି ଯିଏ ସମ୍ବିଧାନ ପ୍ରଣୟନ କରିଥିଲେ ବୋଲି ଶ୍ରୀ ପଟ୍ଟନୟକ କହିଛନ୍ତି । କୁହାଯାଉଛି ୧୯୬୭ ପର୍ଯ୍ୟନ୍ତ ଏକକ ନିର୍ବାଚନ ହେଉଥିଲା । ବିଧାନସଭା ଓ ଲୋକସଭା ନିର୍ବାଚନ ଏକସାଙ୍ଗରେ ଚାଲିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥା ବଦଳିଯାଇଛି ।
ବିଜେଡି ମୁଖପାତ୍ର କହିଛନ୍ତି ଲୋକସଭା ନିର୍ବାଚନ ସ୍ୱଭାବିକ ପ୍ରକ୍ରୀୟାରେ ୨୦୦୪ରେ ହୋଇଥିଲା । କିନ୍ତୁ ନିଜ ସରକାରକୁ ଭାଙ୍ଗି ଗୋଟିଏ ବର୍ଷ କାର୍ଯ୍ୟକାଳ ତ୍ୟାଗ କରି ନବୀନ ବାବୁ ଯେଭଳି ଭାବରେ ଏକକ ନିର୍ବାଚନ କରାଇଲେ ନିଶ୍ଚିତ ଭାବେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାକୁ କଟାକ୍ଷ ନକରି ସ୍ୱାଗତ କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।

Loading...
ONA

Leave a Reply

Top