ଏକାଠି ହେଉଛନ୍ତି ବିଜୁ ଅନୁଗାମୀ !

https://www.facebook.com/nnsodia/videos/267154983995629/?t=5

ସୂତ୍ରଧର ସାଜିବେ ପଞ୍ଚାନନ

ଭୁବନେଶ୍ୱର: ରାଜ୍ୟରେ ଏବେ ନୂଆ ସମୀକରଣ ନେଇ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି । ବିଜେପି, ବିଜେଡିରୁ ବିଭିନ୍ନ ସମୟରେ ଦୂରେଇ ରହିଥିବା ବିଜୁ ଅନୁଗାମୀମାନେ ଏକାଠି ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସେମାନେ ଏକାଠି ହୋଇପାରନ୍ତି । ଏଭଳି ଏକ ସୂଚନା ମିଳୁଛି । ବିଜେଡି ଓ ବିଜେପିକୁ ଟାର୍ଗେଟ କରି ଏକ ନୂଆ ସମୀକରଣ ହେବାକୁ ଯାଉଛି । କୁହାଯାଉଛି, କଂଗ୍ରେସ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । କକ୍ଷଚ୍ୟୁତ ବିଜୁ ଅନୁଗାମୀମାନଙ୍କୁ କଂଗ୍ରେସକୁ ନେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚାହୁଁଛନ୍ତି । କିନ୍ତୁ ଏହା ସମ୍ଭବ ହେଉନାହିଁ । କଂଗ୍ରେସର ଦିଲ୍ଲୀ ନେତୃବୃନ୍ଦଙ୍କ ଉପରେ କିଛି ନେତାଙ୍କର ଭରସା ପାଉନି । ଏମାନେ ବିଜୁ ବାବୁଙ୍କ ନାଁରେ ନୂଆ ଫୋରମ ଗଠନ କରିବେ । ବିଜୁ ଅନୁଗାମୀମାନେ ଏକାଠି ହୋଇ ଏହି ଫୋରମ ଗଠନ କରିବା ପରେ ଆସନ୍ତା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଲଢିବେ । ଏଭଳି ଏକ ଚିନ୍ତାଧାରା ଚାଲିଛି । ବିଜୁ ବାବୁ ବିଜେପିକୁ ଆରମ୍ଭରୁ ବିରୋଧ କରୁଥିଲେ । କିନ୍ତୁ ସେ ପ୍ରଥମେ କଂଗ୍ରେସରୁ ହିଁ ମୁଖ୍ୟମନ୍ତ୍ରୀ ହୋଇ ଓଡିଶା ପାଇଁ ପ୍ରଗତି ଆଣିଥିଲେ । ଏଣୁ ବିଜୁ ବାବୁଙ୍କ ନାଁରେ ଯେଉଁ ଫୋରମ ଗଠନ ହେବ କଂଗ୍ରେସ ସହ ମେଣ୍ଟ କଲେ ସେଥିରେ ବିଜୁ ବାବୁଙ୍କର ନୀତି ଓ ଆଦର୍ଶ ବାଧାପ୍ରାପ୍ତ ହେବନାହିଁ । ଏଥିସହ ଅନୁଗାମୀମାନଙ୍କର ଯେଉଁ ବିଜେପି ଓ ବିଜେଡି ଉପରେ ରାଗ ରହିଛି ତା’ର ପ୍ରତିଶୋଧ ନେଇପାରିବେ । ଏପରିକି ବର୍ତ୍ତମାନ ସମତାକ୍ରାନ୍ତି ପାର୍ଟିର ମୁଖ୍ୟ ଥିବା ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ଏହି ସମୀକରଣ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ସମୀକରଣ ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ଆଲୋଚନା ହେଉଛି ବିଜୁ ଅନୁଗାମୀମାନଙ୍କୁ ଏବେ ଏକାଠି କରିବା ପାଇଁ ମଙ୍ଗ ଧରିବେ ପୂର୍ବତନ ବିଜେଡି ନେତା ପଞ୍ଚାନନ କାନୁନଗୋ । ସେ ମଧ୍ୟ ଇତିମଧ୍ୟରେ କିଛି ନେତାଙ୍କ ସହ ଆଲୋଚନା ଆରମ୍ଭ କରିଦେଲେଣି । ରାମକୃଷ୍ଣ ପଟ୍ଟନାୟକଙ୍କ ବଳି ବୟୋଜ୍ୟେଷ୍ଠ ନେତା ମଧ୍ୟ ଏହି ଫୋରମ ସପକ୍ଷରେ ବୋଲି ମତ ଦେଲେଣି । କଂଗ୍ରେସରେ ହଜି ଯାଇଥିବା ବିଜୁ ଅନୁଗାମୀମାନେ ବି ଫେରିଆସିବେ । କମଳା ଦାସ, ଶରତ କର, ବ୍ରଜ କିଶୋର ତ୍ରିପାଠୀ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ବିଜୟ ମହାପାତ୍ର, ବିଧାୟକ ଦିଲ୍ଲୀପ ରାୟ ପ୍ରମୁଖ ରାଜ୍ୟ ରାଜନୀତିର ବହୁ ଆଗଧାଡିର ନେତା ଏକାଠି ହୋଇପାରିବେ । ବର୍ତ୍ତମାନ ବୈଜୟନ୍ତ ପଣ୍ଡା ମଧ୍ୟ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଥିବା କୁହାଯାଉଛି । ଏହି ନେତାମାନେ ଏକାଠି ହୋଇ ମଞ୍ଚ ଗଠନ କଲେ ଆଉ ବହୁ ବିଜୁ ଅନୁଗାମୀ ବିଜେଡି ଛାଡି ଚାଲି ଆସିବେ । ଏପରିକି ବିଜେଡିରୁ ଯେଉଁମାନେ ଆଗାମୀ ନିର୍ବାଚନରେ ଟିକେଟ ପାଇବାରୁ ବଞ୍ଚିତ ହେବେ ସେମାନେ ମଧ୍ୟ ଏହି ଫୋରମରେ ସାମିଲ ହୋଇପାରିବେ ।
ଫୋରମ ସଂପର୍କରେ ନେତାମାନେ ପ୍ରାୟ ସେମାନଙ୍କ ମତ ସ୍ପଷ୍ଟ କରୁଥିବା ଦେଖାଯାଉଛି । ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି
ବିଜୁ ପଟ୍ଟନାୟକଙ୍କ ନାଁ ଧରି ରାଜନୀତିରେ ରହିବି । ରାଜନୀତିରେ ରହିବା ପାଇଁ ଗୋଟିଏ ଦଳ ବା ଦଳର ଟିକେଟ ଅପରିହାର୍ଯ୍ୟ ନୁହେଁ । ବିଜୁ ପଟ୍ଟନାୟକଙ୍କ ସହ ଯେଉଁମାନେ ଥିଲେ ସେମାନେ ଏକାଠି ହେଲେ କଥାଟା ବାହାରିବ । ମୁଁ ଯଦି ନିର୍ବାଚନ ରାଜନୀତିରେ ଛିଡା ନହେବି ତେବେ ଆନ୍ନା ହଜାରେଙ୍କ ଭଳି ବୁଲି ପାରିବିନି । ସମ୍ଭାଳିବେ ତ । ସମ୍ଭାଳନ୍ତୁ, ଦେଖନ୍ତୁ । ବିଜୁ ପଟ୍ଟନାୟକଙ୍କ ନାଁକୁ ବିକି ସଂପତ୍ତି ନ କମାଇବା ପାଇଁ ସୁଯୋଗ ନ ଦେବାକୁ ମୁଁ ଚେଷ୍ଟା କରିଛି । ବିଜୁ ବାବୁଙ୍କ ନାଁକୁ ନବୀନ ପଟ୍ଟନାୟକ ବିକୁଛନ୍ତି । ବିଜୁ ବାବୁଙ୍କ ନାଁରେ ଦଳ କରି ରହିବାରେ ତାଙ୍କର ନୈତିକ ଅଧିକାର ନାହିଁ । ଏବେ ମୋର ଅନୁଭବ ହେଉଛି ସବୁରି ମୂଳରେ ଅଛନ୍ତି ନବୀନ ପଟ୍ଟନାୟକ । ସେ ଅନ୍ୟମାନଙ୍କ ମୁହଁରେ ଅନ୍ୟମାନଙ୍କ ଦ୍ୱାରା ତାଙ୍କର କାର୍ଯ୍ୟ କରୁଛନ୍ତି । ହରି ନଥାଇ ସଂକୀର୍ତ୍ତନ ହୁଏନି । ହରି ହେଉଛନ୍ତି ସିଏ(ନବୀନ) । ଆଉ ସଙ୍କୀର୍ତ୍ତନ କରୁଛନ୍ତି ତାଙ୍କ କୋଟେରୀ । ରାଜ୍ୟକୁ ଲୁଟ କରି ସଂପତ୍ତି ଲୁଣ୍ଠନ କରି ଭ୍ରଷ୍ଟାଚାରରକୁ ପ୍ରଶ୍ରୟ ଦେଇ ସିଏ କେବଳ ଗାଦିରେ ରହିବାକୁ ଚାହାଁନ୍ତି । ବିଜୁ ବାବୁଙ୍କ ଆଦର୍ଶ ଓ ଦୃଷ୍ଟିଭଙ୍ଗୀକୁ ନେଇ ଶାସନ କରିବା ପାଇଁ କିଛି ପ୍ରକ୍ରିୟା ଆରମ୍ଭ ହେଲେ ମୁଁ ସେଥିରେ ଯିବି । ଯଦି ବିଜୁ ବାବୁଙ୍କ ଅନୁଗାମୀମାନଙ୍କର ସେ ଚିନ୍ତାଧାରା
ଆସିବ ସେମାନେ ଯଦି ପରସ୍ପର ଡକାଡକି ହୋଇ ବସିବେ, ମୋତେ ଯଦି ଡାକିବେ ମୁଁ ଯିବି । ମୁଁ ଗୋଟିଏ ସାପୁଆ କେଳା । ମୋ ପେଡି ଭିତରେ ସାପ ରଖିଛି । ମୋତେ ଯେତେବେଳେ ଡକରା ହେବ ତାକୁ ପେଡି ଭିତରୁ କାଢି ଖେଳାଇବି । ଖାଲି ଅପେକ୍ଷା କରନ୍ତୁ ବୋଲି ଡାକ୍ତର ରାଉତ କହିଛନ୍ତି ।
ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ ଏବେ ବିଜେପିରେ ଥିଲେ ମଧ୍ୟ ଏଭଳି ଫୋରମ ଗଠନ ହେଲେ ସେ ସେଠାକୁ ଆସିବେ ବୋଲି ମତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ସେମାନେ ଚାହୁଁଛନ୍ତି ଯଦି ଡାକୁ ନାହାନ୍ତି । ବିଜୁ ଅନୁଗାମୀମାନଙ୍କୁ ଯୋଗାଯୋଗ କରି ଡାକୁନାହାନ୍ତି । ଖାଲି ଉଚ୍ଚାରଣରେ କହିଲେ କ’ଣ ହେବ । ଆଚରଣରେ ଦେଖାଇବା ଦରକାର । ସବୁ ବିଜୁ ଅନୁଗାମୀମାନଙ୍କୁ ଯଦି ଡାକିବେ ମୁଁ ତା’ହେଲେ ଯିବି ।
ଏହି ଫୋରମର ମୁଖ୍ୟ ସୂତ୍ରଧର ସାଜିବାକୁ ଯାଉଥିବା ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ମଧ୍ୟ ଏଥିନେଇ ତାଙ୍କ ମତ ସ୍ପଷ୍ଟ କରିଛନ୍ତି । ସେ ମଧ୍ୟ ଫୋରମ ଗଠନ ସପକ୍ଷରେ ମତ ରଖିଛନ୍ତି । ସେ କହିଛନ୍ତି, ଦାମ ବାବୁଙ୍କ ସହିତ ବୈଜୟନ୍ତ ବାବୁ କଥାବାର୍ତ୍ତା ହୋଇଛନ୍ତି । ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ଦାମ ବାବୁଙ୍କ ସହ କଥା ହୋଇଛନ୍ତି । ଏକାଠି ହେବାର ସମ୍ଭାବନା ଅଛି । ସମ୍ଭାବନା ନାହିଁ ବୋଲି ଆମେ କହିପାରିବା ନାହିଁ । ଏକାଠି ହେଲେ ବହୁତ ଭଲ ।
କଂଗ୍ରେସର ବରିଷ୍ଠ ନେତା ତଥା ବିଜୁ ବାବୁଙ୍କ ଅନ୍ୟତମ ଅନୁଗାମୀ ଶ୍ରୀକାନ୍ତ ଜେନା କହିଛନ୍ତି ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଲିଗାସୀକୁ ନିଜେ ନବୀନ ପଟ୍ଟନାୟକ ନଷ୍ଟ କଲେ ଯେଉଁଦିନ ବିଜେପି ସହ ହାତ ମିଳାଇ ସରକାର କଲେ । ବିଜୁ ବାବୁଙ୍କର ରାଜନୈତିକ ଲିଗାସୀ ହେଉଛି କଂଗ୍ରେସ ଲିଗାସୀ । ଏହି କଂଗ୍ରେସ ଲିଗାସୀକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ପ୍ରଥମେ ବିରୋଧ କରିଥିଲେ । ଆଉ ଯାଇ ବିଜେପି ସହିତ ମିଶିଲେ । ଏହାପରେ ବିଜୁ ପଟ୍ଟନାୟକଙ୍କ ଲିଗାସୀକୁ ସେହିଦିନ ନଷ୍ଟ କରିଛନ୍ତି ଯେଉଁଦିନ ବିଜେଡି ଗଠନ କରି ବିଜେପି ସହ ହାତ ମିଳାଇଲେ । ବିଜେଡି ଏକ ବ୍ୟକ୍ତିକୈନ୍ଦ୍ରିକ ରାଜନଜୈତିକ ଦଳ । ଯେଉଁମାନେ ବିଜେଡିରେ ଅଛନ୍ତି ସେମାନେ ଜାଣିଛନ୍ତି ଆମର ଏକମାତ୍ର ବସ୍ ହେଉଛନ୍ତି ନବୀନ ପଟ୍ଟନାୟକ ।
ବରିଷ୍ଠ ନେତା ବ୍ରଜକିଶୋର ତ୍ରିପାଠୀ ବିଜେଡି ଉପରେ ବର୍ଷିଛନ୍ତି । ଆଉ ବିଜୁ ଅନୁଗାମୀଙ୍କ ଏକାଠି ହେବା ବିଷୟକୁ ମଧ୍ୟ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆଗାମୀ ଦିନରେ ନୂତନ ସମୀକରଣ ସମ୍ଭାବନା ରହିଛି । ୨୦୦୯ ପରେ ବିଜେଡିରେ ଆଉ କିଛି ସମ୍ବିଧାନ ନାହିଁ । ବିଜେଡି ଏବେ ପ୍ରାଇଭେଟ ଲିମିଟେଡ କଂପାନୀ ହୋଇଯାଇଛି । ରାଜ୍ୟରେ ଏବେ ପ୍ରଶାସନିକ ଶାସନ ଚାଲିଛି । ଏହା ଏକ ଦୁର୍ନୀତିଗ୍ରସ୍ତ ସରକାର । ସତସାହସ ଥିଲେ ଦାମ ବାବୁ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାର ତଦନ୍ତ କରନ୍ତୁ । ତଦନ୍ତ ନକରି ଯିଏ ଅଭିଯୋଗ କଲେ ତାଙ୍କୁ ବହିଷ୍କାର କରାଗଲା । ଦଳରେ ଯଦି ଆଲୋଚନା ହେବ ନାହିଁ ତାହେଲେ ଦଳ କାହିଁକି ରହିବ । ଲୋକେ ଚାହିଁଲେ ପରିବର୍ତ୍ତନ ବେଶୀ ସମୟ ଲାଗିବନି । ନବୀନ ବାବୁଙ୍କର ସୌଭାଗ୍ୟ କିଛି ନଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଏଥିରୁ ସୂଚନା ମିଳୁଛି ସବୁ ବିଜୁ ଅନୁଗାମୀ ପୁଣି ଏକାଠି ହେବାକୁ ଯାଉଛନ୍ତି ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here