You are here
Home > ଅଧିକ ଖବର > ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: କମିଲା ପାସ୍‌ ହାର, ଆଗରେ ନୟାଗଡ଼

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: କମିଲା ପାସ୍‌ ହାର, ଆଗରେ ନୟାଗଡ଼

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ୭୩,୨୧୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୭୬.୯୮ ପ୍ରତିଶତ ପାସ୍‌ ହାର ରହିଛି । ଯାହାକି ପୂର୍ବ ବର୍ଷ ତୁଳନାର କମ୍‌ ରହିଛି । ଗତବର୍ଷ ପାସ୍‌ ହାର୍‌ ୮୧.୧୧ ପ୍ରତିଶତ ରହିଥିଲା । ଏହା ସହିତ ୯୨.୨୩ ପ୍ରତିଶତ ପାସ୍‌ହାର୍‌ ସହିତ ନୟାଗଡ଼ ଆଗରେ ଥିବା ବେଳେ ଗଜପତିରେ ମାତ୍ର ୪୩.୪୫ ପ୍ରତିଶତ ପାସ୍‌ହାର୍‌ ରହିଛି । ଛାତ୍ରଛାତ୍ରୀମାନେ www.chseodisha.nic.in  ଓ www.odisharesults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ । ଫଳାଫଳ ଜାଣିବା ଛାତ୍ରଛାତ୍ରୀମାନଙ୍କୁ ନିଜର ରୋଲ୍‌ ନମ୍ବର ଓ ରେଜିଷ୍ଟ୍ରେସନ୍‌ ନମ୍ବର ଦେବାକୁ ପଡ଼ିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଆଜି ପୂର୍ବାହ୍ନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ୯୫ ହଜାର ୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୩ ହଜାର ୨୧୧ ଛାତ୍ରଛାତ୍ରୀ ପରୀକ୍ଷାରେ ଉତିନ୍ନ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୯,୫୬୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୪, ୧୬୪ ଜଣ  ଓ ତୃତୀୟ ଶ୍ରେଣୀରେ ୨୮,୯୬୮ ଜଣ ପାସ କରିଛନ୍ତି । ଏଥର ଝିଅ ମାନଙ୍କୁ ପୁଅମାନେ ପଛରେ ପକାଇ ଦେଇଛନ୍ତି । ୪୨,୮୮୬ ହଜାର ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ରହିଛି ୩୦, ୩୨୫ । କିନ୍ତୁ ଏଥର ୯୦ ପ୍ରତିଶତ ଉପରକୁ ଅଧିକ ପିଲା ରହିଛନ୍ତି । ୪୧ ଜଣ ପିଲା ୯୦% ପ୍ରତିଶତ ଉପରକୁ ନମ୍ବର ରଖିଥିବା ବେଳେ ସେଥିମଧ୍ୟରୁ ୨୮ ପୁଅ ଓ ୧୩ ଝିଅ ରହିଛନ୍ତି । ଯାହାକି ଗତବର୍ଷ ତୁଳନାରେ ଅଧିକ ରହିଛି । ୨୦୧୭ରେ ମାତ୍ର ୨୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରକୁ ମାର୍କ ରଖିଥିଲେ ।

ଗତ ମାର୍ଚ୍ଚ ୫ରୁ ୨୯ ତାରିଖ ପର୍ୟ୍ୟନ୍ତ ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୧୫୦୦ରୁ ଅଧିକ ଯୁକ୍ତ୨ କଲେଜର ୩,୬୫,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନ ବିଭାଗରେ ୯୬, ୧୮୫ ଜଣ ପରୀକ୍ଷା ଆବେଦନ କରିଥିବା ବେଳେ ୯୫,୦୯୬ ଜଣ ପରୀକ୍ଷା ଦେଇଥିଲେ । ୨୦୧୭-୧୮ ଶିକ୍ଷା ବର୍ଷରେ ୯୧,୭୨୦ ଜଣ ପରୀକ୍ଷା ଦେଇଥିବା ବେଳେ ୭୭, ୫୨୩ ଜଣ କୃତକାର୍ଯ୍ୟ ହୋଇଥିଲେ ।

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ । ରିଚେକିଂ ପାଇଁ ଛାତ୍ରଛାତ୍ରୀମାନେ ଜୁନ୍‌ ୪ ତାରିଖରେ ଆବେଦନ କରି ପାରିବେ ବୋଲି ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

 

Loading...
ONA

Leave a Reply

Top