You are here
Home > ଅଧିକ ଖବର > ଶ୍ରୀମନ୍ଦିର ନୀତି ବିଭ୍ରାଟ: ଆଜି ମଧ୍ୟ ବିଧାନସଭାରେ ଅଚଳାବସ୍ଥା

ଶ୍ରୀମନ୍ଦିର ନୀତି ବିଭ୍ରାଟ: ଆଜି ମଧ୍ୟ ବିଧାନସଭାରେ ଅଚଳାବସ୍ଥା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ୨ଦିନ ଉପାସରେ କଟାଇଲେ, ଖାଲି ସେତିକି ନୁହେଁ ଗୋଟିଏ ରାତି ମହାପ୍ରଭୁଙ୍କ ପହୁଡ଼ ସେବା ନହେବାରୁ ସାଆନ୍ତେ ଅନିଦ୍ରା ମଧ୍ୟ ରହିଲେ । ଶ୍ରୀମନ୍ଦିର ପ୍ରଶାସନର ଚରମ ଅବହେଳା ଯୋଗୁଁ ବାରମ୍ବାର ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ଘଟି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏନେଇ ସରକାର ବିଶେଷ ଚିନ୍ତିତ ଥିବା ମନେ କରାଯାଉନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଆଜି ମଧ୍ୟ ବିଧାନସଭା ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ହୁଲସ୍ତୁଲ ହୋଇଛି । ବିରୋଧି ବିଧାୟକମାନଙ୍କ ବିକ୍ଷୋଭ ଓ ହୋ-ହଲ୍ଲା ମଧ୍ୟରେ ଗୃହରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।

ପ୍ରଶାସନିକ ଅବହେଳା ତଥା ସୁଆର ସେବକମାନଙ୍କ ନିଜ ସ୍ୱାର୍ଥଲାଗି ଜିଦ୍ରେ ଅଟଳ ରହିବା ଯୋଗୁଁ ମହାପ୍ରଭୁ ଅଖିଆ ଅପିଆ ରହିଲେ । ଉପାସରେ କଟିଲା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ମାଆ ସୁଭଦ୍ରା ତଥା ଚକ୍ରରାଜ ଶ୍ରୀସୁଦର୍ଶନ । ଏହି ଘଟଣାକୁ ନେଇ ବିଧାନସଭାରେ ସମସ୍ତ ବିରୋଧିଦଳର ସଦସ୍ୟମାନେ ଶାସକ ଦଳକୁ ତଥା ରାଜ୍ୟସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଗୃହକାର୍ଯ୍ୟ ସ୍ୱାଭାବିକ ନହେବାରୁ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡ଼କାଇଥିଲେ । କିନ୍ତୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ରଖିଛନ୍ତି । ଶ୍ରୀମନ୍ଦିର ନୀତି ବିଭ୍ରାଟ ଯୋଗୁଁ ଭକ୍ତମହଲରେ ଅଶାନ୍ତି ବୃଦ୍ଧି ହେବାରେ ଲାଗିଛି । ମହାପ୍ରଭୁଙ୍କର ଅସଂଖ୍ୟ ଭକ୍ତ ମହାପ୍ରସାଦ ସେବନରୁ ବଞ୍ଚିତ ହେବାରେ ଲାଗଛନ୍ତି । ତେବେ ଗୃହରେ ଏନେଇ ସରକାର ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

Loading...
ONA

Leave a Reply

Top