କଂଗ୍ରେସରେ ପୁଣି ଝଡ଼ ପାଇଁ ଶ୍ରୀକାନ୍ତଙ୍କ ଚକ୍ରାନ୍ତ! ସଗରିଆଙ୍କୁ ମୋହରା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଏକ ବଡ଼ ଧରଣର ଝଡ଼ ସୃଷ୍ଟି ହେବାକୁ ଯାଉଛି । ଏନେଇ ଯେଉଁ ଷଡ଼ଯନ୍ତ୍ର ରଚାଯାଇଛି ତାର ମୁଖ୍ୟ ସୂତ୍ରଧର ହେଉଛନ୍ତି ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ସେ ଏଭଳି ଚକ୍ରାନ୍ତ କରିଛନ୍ତି ଯେଉଁଥିରେ ନିଜେ ଧରାପଡ଼ିବେ ନାହିଁ କିନ୍ତୁ ଦଳ ଭିତରେ ଅସନ୍ତୋଷର ବହ୍ନି ଦେଖାଦେବ ଏବଂ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେବ । ଶ୍ରୀକାନ୍ତଙ୍କ ଟାର୍ଗେଟରେ ଅଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଶ୍ରୀ ଜେନା ବିଭିନ୍ନ ସମୟରେ ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିବାର ମୁଖ୍ୟ ସୂତ୍ରଧର ସାଜିଥିବା କଥା କାହାକୁ ଆଉ ଅଛପା ନାହିଁ । ଏବେ ନିରଂଜନ ସଭାପତି ହେବା ପରେ ଦଳ ଭିତରେ ଆଉ ସେଭଳି କିଛି ଗଣ୍ଡଗୋଳିଆ ପରିସ୍ଥିତି ନ ଥିଲା । ହେଲେ ଗୋଟିଏ ପଟରେ ନିରଂଜନଙ୍କ ସହ ମିଶି କାର୍ଯ୍ୟକ୍ରମ ଗ୍ରହଣ କରିବା ଅନ୍ୟ ପଟରେ ଅସ୍ଥିରତ ବଢ଼ାଇବା ଭଳି କାର୍ଯ୍ୟ କରିବା ଅତି ଚତୁର ଉଦ୍ୟମ ସେ କରିଥିବା ଦଳ ଭିତରେ ଆଲୋଚନା ହେଉଛି । ନିଜକୁ ଜଣେ ଦଳୀତ ଓ ଆଦିବାସୀଙ୍କ ପ୍ରବକ୍ତା ବୋଲି ପରିଚୟ ଦିଅନ୍ତି । ହେଲେ ସେହିମାନଙ୍କୁ ବିଭିନ୍ନ ସମୟରେ ବ୍ୟବହାର କରି ଶତୃପକ୍ଷଙ୍କ ବିରୋଧରେ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି ବୋଲି କୁହାଯାଉଛି । ଏବେ ବିରୋଧୀ ଦଳ ନେତା ଓ ପିିସିସି ସଭାପତିଙ୍କୁ ଅଡୁଆରେ ପକାଇବା ପାଇଁ ସେ ମୋହରା କରିଛନ୍ତି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ସେ ଜୟଦେବ ଜେନାଙ୍କୁ ବ୍ୟହାର କରିଥିଲେ ।
ନିକଟରେ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ଦେବାକୁ ଯାଇଥିଲେ । କିନ୍ତୁ ବାଚସ୍ପତି ଅନୁପସ୍ଥିତ ଥିବାରୁ ସେ ଫେରି ଆସିଥିଲେ । ବାଚସ୍ପତି ୬ ତାରିଖରେ ଫେରୁଥିବାରୁ ସେ ଦିନ ତାଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ବୋଲି କହିଛନ୍ତି । ସଗରିଆ ତାଙ୍କର ଏହି ଇସ୍ତଫା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଘୋଷଣା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ଏକ ତାରକା ହୋଟେଲରେ କରିଥିଲେ । ପୂର୍ବରୁ ସଗରିଆ ଯେତେବେଳେ ତାଙ୍କ କାର୍ଯ୍ୟକ୍ରମ ଗ୍ରହଣ କରନ୍ତି ଓ ଗଣମାଧ୍ୟମକୁ ଡାକନ୍ତି ତାହା ନିଜ ସରକାରୀ ବାସଭବନରେ ସ୍ୱଳ୍ପ ଜାଗା ଭିତରେ କରିଥାନ୍ତି । କିନ୍ତୁ ଏଥର ତାରକା ହୋଟେଲରେ ସଗରିଆଙ୍କ ଭଳି ବିଧାୟକ ସାମ୍ବାଦିକ ସମ୍ମିଳନୀ କରିବା ସମସ୍ତଙ୍କୁ ଚକିତ କରିଥିଲା । ଏହା ପଛରେ ନିଶ୍ଚୟ କିଏ ବଡ଼ ନେତା ଅଛନ୍ତି ବୋଲି ସନ୍ଦେହ କରାଯାଉଥିଲା । ଯାହା ପରେ ସ୍ପଷ୍ଟ ହେଲା । ଏହି ସାମ୍ବାଦିକ ସମ୍ମିଳନୀରେ ସବୁ କଥା ତଦାରଖ କରୁଥିଲେ ଶ୍ରୀକାନ୍ତଙ୍କ ଅତ୍ୟନ୍ତ ଅନୁଗତ ଅକ୍ଷୟ ମଲ୍ଲିକ । ଏଥିରୁ ସମସ୍ତେ ସୂଚନା ପାଇଥିଲେ । ଏହା ଅଧିକ ସ୍ପଷ୍ଟ ହେଲା ଯେତେବେଳେ ସଗରିଆ ଶ୍ରୀକାନ୍ତଙ୍କ ନିଜ ଅଂଚଳ ଓ ଜନ୍ମମାଟି ଭାବେ ପରିଚିତ ବରୀ ଅଂଚଳରେ ସଗରିଆଙ୍କୁ ସମ୍ବର୍ଦ୍ଧନା ଦିଆଗଲା । ଲଳିତଗିରିରେ ଥିବା ବୌଦ୍ଧ ଭୀକ୍ଷୁଙ୍କ କାର୍ଯ୍ୟକ୍ରମରେ ସାମିଲ ପାଇଁ ଡାକିନେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । କୁହାଯାଉଛି ଭୁବନେଶ୍ୱରରେ ଶ୍ରୀକାନ୍ତଙ୍କ ଘରେ ସଗରିଆ ପହଂଚିଥିଲେ । ସେଠାରୁ ଶ୍ରୀକାନ୍ତଙ୍କ ଶିଷ୍ୟ ଭାବେ ବେଶ ଜଣାଶୁଣା ଗଗନ ବିହାରୀ ଜେନା ତାଙ୍କୁ ସାଥୀରେ ନେଇ ଯାଇଥିଲେ ବରୀ । ସେଠାରେ କଂଗ୍ରେସର ପଦଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରତ୍ନଗିରି ପ୍ରତ୍ନତତ୍ୱ ଫାଟକ ନିକଟରେ ସଗରିଆଙ୍କୁ ପାଛୋଟି ନେବା ପାଇଁ କଂଗ୍ରେସ ନେତା ବିଷ୍ଣୁ ଚରଣ ମହାନ୍ତି, ରାଜକିଶୋର ସାମଲ ଓ ମନୋଜ ଦାସଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏମାନେ ସମସ୍ତେ ହେଉଛନ୍ତି ଶ୍ରୀକାନ୍ତଙ୍କ ଗୋଷ୍ଠୀର । ଏଣୁ ଏ ଘଟଣା ପରେ ଆଉ ସଗରିଆଙ୍କ ଇସ୍ତଫା ପଛରେ ଅନ୍ୟ କେହି ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଗଲା । ସାଧାରଣତଃ ଜଣେ ନେତା ବା ବିଧାୟକ କୌଣସି ଏକ ଘଟଣାରେ ଇସ୍ତଫା ଦେଲେ ସେ ତା ପରଦିନ ନିଜ ଲୋକଙ୍କୁ ଭେଟିବା ପାଇଁ ଓ ସେମାନଙ୍କ ସହ ଆଲୋଚନା ପାଇଁ ନିର୍ବାଚନମଣ୍ଡଳୀକୁ ଯାଇଥାନ୍ତି । କିନ୍ତୁ ସଗରିଆ ଘୋଷଣାର ପରଦିନ ଶ୍ରୀକାନ୍ତଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ତଥା ଗାଁକୁ ସମ୍ବର୍ଦ୍ଧିତ ହେବାକୁ ଯାଇଥିଲେ । ଅବଶ୍ୟ ଇସ୍ତଫା ନେଇ ସଗରିଆ ଯେଉଁ କାରଣ ଦର୍ଶାଉଛନ୍ତି ତାର ଯଥାର୍ଥତା ଉପରେ ମଧ୍ୟ ପ୍ରଶ୍ନ ରହିଛି । କାରଣ ବର୍ଷକ ଦଳର ଘଟଣାକୁ ଦର୍ଶାଇ ଏବେ ଇସ୍ତଫା ସେ ଦେଉଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସଗରିଆ କୁନ୍ଦୁଲି ପିଡ଼ିତାଙ୍କୁ ନ୍ୟାୟ ଦେଇ ନ ପାରିବାରୁ ଇସ୍ତଫା ଦେବା କଥା କହିଲେ କିନ୍ତୁ ବରୀରେ ଶ୍ରୀକାନ୍ତଙ୍କ ମାଟିରେ ଭିନ୍ନ କଥା ଉଠାଇଲେ । ଏଥିରେ ବିରୋଧୀ ଦଳ ନେତାଙ୍କୁ ଦାୟୀ କଲେ ।
ଏପରି କି ଯେଉଁଦିନ ସଗରିଆ ଇସ୍ତଫା କଥା ଘୋଷଣା କଲେ ସେ ଦିନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଗଣମାଧ୍ୟମ ପ୍ରତିନିଧି ଏ ନେଇ ପ୍ରଶ୍ନ କରିଥିଲେ ସେ କହିଥିଲେ ଏ ନେଇ ସଗରିଆ ତାଙ୍କ ସହ କଥା ହୋଇନାହାଁନ୍ତି । ଇସ୍ତଫା ନ ଦେବା ପାଇଁ ସେ ତାଙ୍କୁ ବୁଝାଇବେ । କିନ୍ତୁ ଶ୍ରୀ ଜେନା କହିଲେ ସଗରିଆଙ୍କ ଇସ୍ତଫା ଆଗାମୀ ଦିନରେ ରାଜନେତାଙ୍କ ଲାଗି ଏକ ଆଦର୍ଶ ହେବାକୁ ଯାଉଛି । ଏଥିରୁ ଆଉ କିଛି ଅବୁଝା ହୋଇ ରହୁନାହିଁ । ଜଣେ ବରିଷ୍ଠ ନେତା ହିସାବରେ ଇସ୍ତଫା ନ ଦେବାକୁ ପ୍ରବର୍ତାଇବା ବଦଳରେ ପ୍ରୋତ୍ସାହିତ କରୁଥିବା ସ୍ପଷ୍ଟ ହେଲା । ଏବେ ସଗରିଆଙ୍କୁ ଧରି ଦିଲ୍ଲୀ ଯାଇ ସେଠାରେ ସେ ଏଆଇସିସିରେ ନରସିଂହ ମିଶ୍ର ଓ ନିରଂଜନ ପଟ୍ଟନାୟକଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ଆଲୋଚନା ହେଉଛି । ସଗରିଆଙ୍କୁ ଏସି ସେଲ ଅଧ୍ୟକ୍ଷ ପଦରୁ ହଟାଇବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ । ଏହାକୁ ଧରି ଶ୍ରୀକାନ୍ତ ତାଙ୍କ ଚାଲ ଚଳାଇଥିବା କୁହାଯାଉଛି ।
କୁହାଯାଉଛି ବିଧାୟକ ଦଳରେ ଫାଟ ସୃଷ୍ଟି କରିବା ପାଇଁ ଏବଂ ବିରୋଧୀ ଦଳ ନେତା ପଦରୁ ନରସିଂହ ମିଶ୍ରଙ୍କୁ ହଟାଇବା ପାଇଁ ଶ୍ରୀକାନ୍ତ ଏହି ଚାଲ ଖେଳିଛନ୍ତି । ଆରମ୍ଭରୁ କଂଗ୍ରେସର ୧୬ ଜଣ ବିଧାୟକ ଥିଲେ । ସୁବଳ ସାହୁଙ୍କ ମୃତ୍ୟୁ ଓ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ତାଙ୍କ ଆସନ ନେବା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫କୁ ଖସିଲା । ବିରୋଧୀ ଦଳ ମାନ୍ୟତା ପାଇବା ପାଇଁ ୧୪୭ ବିଧାନସଭା ଆସନ ଭିତରେ ୧୫ ଜଣ ବିଧାୟକ ଦଳ ପାଖରେ ରହିବା କଥା । ଏଣୁ ସଗରିଆ ଯଦି ଇସ୍ତଫା ଦିଅନ୍ତି ତେବେ ସଂଖ୍ୟା ୧୪କୁ ଖସିବ ଓ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ବିଧାନସଭାରେ ହରାଇବ । ଫଳରେ ନରସିଂହ ମିଶ୍ର ଆଉ ବିରୋଧୀ ଦଳ ନେତା ରହିପାରିବେ ନାହିଁ । ବହୁ ଦିନରୁ ଶ୍ରୀକାନ୍ତ ବିରୋଧୀ ଦଳ ନେତା ପଦରେ ନରସିଂହଙ୍କୁ ନ ରଖିବା ପାଇଁ ଉଦ୍ୟମ ଚଳାଇଥିଲେ । କିନ୍ତୁ ନରସିଂହଙ୍କ ବ୍ୟକ୍ତିତ୍ୱ ଆଗରେ ତାଙ୍କ ଉଦ୍ୟମ ବାରମ୍ବାର ଫସର ଫାଟିଥିଲା । ଏବେ ସୂଯୋଗ ପାଇ ଫାଇଦା ହାସଲ କରିବାକୁ ଚାହିଁଛନ୍ତି । ଏ କ୍ଷେତ୍ରରେ ନରସିଂହଙ୍କ ପଦବୀ ତ ଯିବ ତା ସହିତ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ । ସେ ଥିବା ଭିତରେ ଜଣେ ବିଧାୟକ ଇସ୍ତଫା ଦେଲେ । ଦଳକୁ ଠିକ ଭାବରେ ଏକାଠି କରିବା ତାଙ୍କ ପାଖରେ ସମ୍ଭବ ହୋଇନାହିଁ । ଗୋଟିଏ ପଟରେ ନିରଂଜନଙ୍କ ପଦଯାତ୍ରାରେ ବୁଲି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କହି ଅନ୍ୟ ପଟରେ ତାଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଶ୍ରୀକାନ୍ତ ସଫଳ ହେବାକୁ ଯାଉଥିବା କଥା କୁହାଯାଉଛି । ଏଥିରେ କେହି ଆଉ ତାଙ୍କୁ ଦୋଷ ଦେବେନାହିଁ କି ଦଳରେ ବିଶୃଙ୍ଖଳା କରୁଛନ୍ତି ବୋଲି କହିବେ ନାହିଁ ।
ପୂର୍ବରୁ ଯେତେବେଳେ ଜୟଦେବ ଜେନା ପିସିସି ସଭାପତି ଥିଲେ ତାଙ୍କୁ ମଧ୍ୟ ହାତକରି ଶ୍ରୀକାନ୍ତ ଦଳରେ ଅସ୍ଥିରତା ସୃଷ୍ଟି କରିଥିଲେ । ଜେନା ପ୍ରଦର୍ଶ ଭାବରେ ବେଶ ପରିଚିତ ଥିଲେ । ସେତେବେଳେ ଦଳରେ କେତେ ବିବାଦ ଘଟିଥିଲା ତାହା ଆଉ କାହାକୁ ଅଛପା ନାହିଁ ।

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here