ରାହୁଲଙ୍କୁ ବାଟ ଦେଖାଇଲେ ନବୀନ

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ଆରମ୍ଭ କରିବା ପରେ ଏବେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ପଥ ଅବଲମ୍ବନ କରିଛନ୍ତି । ନବୀନଙ୍କ ଭଳି ରାହୁଲ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ନିକଟକୁ ଚିଠି ଲେଖିଛନ୍ତି । କିନ୍ତୁ ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପାଖକୁ ଚିଠି ଲେଖିଥିଲା ବେଳେ ରାହୁଲ କେବଳ କଂଗ୍ରେସ ଶାସିତ ରାଜ୍ୟ ଏବଂ ଯେଉଁଠି କଂଗ୍ରେସ ମେଂଟରେ ସରକାର ହୋଇଛି ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏକ୍ଷେତ୍ରରେ ରାହୁଲଙ୍କୁ ନବୀନ ବାଟ ଦେଖାଇଥିବା କଥା କୁହାଯାଉଛି । ମହିଳା ସଂରକ୍ଷଣ ଘଟଣାରେ ନବୀନ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଇତିମଧ୍ୟରେ ନବୀନଙ୍କୁ ଅନ୍ୟ ଦଳରୁ ମଧ୍ୟ ସମର୍ଥନ ଆସିଲାଣି । ଏନସିପି ନେତା ଶରତ ପାୱାର ମଧ୍ୟ ନବୀନଙ୍କୁ ସମର୍ଥନ ଜଣାଇସାରିଛନ୍ତି ।
ରାହୁଲ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ, କର୍ଣ୍ଣାଟକ, ପୁଡୁଚେରୀ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆସନ୍ତା ବିଧାନସଭା ଅଧିବେଶନରେ ମହିଳା ସ୍ଥାନ ସଂରକ୍ଷଣ ବିଲ ପ୍ରସଙ୍ଗରେ ବିଧାନସଭା ସଂକଳ୍ପ ପାରିତ କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଦର୍ଶାଇଛନ୍ତି ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ କ୍ଷେତ୍ରରେ ୧୯୩ ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୮ରେ ରହିଛି । ଏହା ଘୋର ପରିତାପର ବିଷୟ । ସେହିପରି ରାଜ୍ୟ ବିଧାନସଭାମାନଙ୍କରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ୱ ନୈରାଶ୍ୟଜନକ ରହିଛି । ମହିଳାମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ନ ରହିବା ଫଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ଦୂର୍ବଳ ହୋଇପଡ଼ିବ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ କଂଗ୍ରେସ ସମର୍ଥନ କରେ । ଏହାକୁ ସୁନିଶ୍ଚିତ କରିବା ପାଇଁ ବିଧାନସଭାରେ ସଂକଳ୍ପ ଗୃହିତ କରାଇବାକୁ ହେବ । ଏଣୁ ନିଜ ନିଜ ରାଜ୍ୟ ବିଧାନସଭାରେ ଆଗାମୀ ଶତୀ ଅଧିବେଶନରେ ଏ ନେଇ ପ୍ରସ୍ତାବ ଆଣିବାକୁ ରାହୁଲ କହିଛନ୍ତି । ବିଧାନସଭା ସଂକଳ୍ପରେ ସଂସଦର ଶୀତକାଳିନ ଅଧିବେଶନରେ ମହିଳା ସ୍ଥାନ ସଂରକ୍ଷଣ ବିଲ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ । ବିଧାନସଭାରେ ସଂକଳ୍ପ ପାରିତ କରି କେନ୍ଦ୍ର ଉପରେ ଚାପ ପକାଇବାକୁ ପରାମର୍ଶ ଦିଆଯାଇଛି ।
ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ସ୍ଥାନ ସଂରକ୍ଷଣ ବିଳମ୍ବ ହେବା ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଯେ ଏ ନେଇ ଅଣ୍ଟା ଭିଡ଼ିଛନ୍ତି । ପ୍ରଥମେ ବିଧାନସଭାରେ ସଂରକ୍ଷଣକୁ ସମର୍ଥନ କରି ସଂକଳ୍ପ ଗୃହୀତ କରାଇଲେ । ଏଇ ସଂକଳ୍ପ ଭିତିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ ନିଜେ ପ୍ରଧାନମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ଡାକି ନବୀନ ଆଲୋଚନା କଲେ ଏବଂ ସବୁ ଜାତୀୟ ଓ ଆଂଚଳିକ ଦଳର ମୁଖ୍ୟମାନଙ୍କୁ ଭେଟି ପ୍ରସ୍ତାବ ଦେବାପାଇଁ ନିଷ୍ପତ୍ତି ନେଲେ । ଏଥିସହ ଦଳୀୟ ନେତାମାନଙ୍କୁ ତାଙ୍କ ବାର୍ତା ଧରି ଦଳମାନଙ୍କ ନିକଟରେ ପହଂଚିବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ଘଟଣା ପରେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନବୀନ ଚିଠି ଲେଖି କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ସବୁ ରାଜ୍ୟ ପକ୍ଷରୁ ବିଧାନସଭାରେ ସଂକଳ୍ପ ଗୃହୀତ କରାଇବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି । ଏହିପରି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ନବୀନ ସମଗ୍ର ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏବେ ରାହୁଲ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କ ନିକଟକୁ ଚିଠି ଲେଖିଛନ୍ତି । ପରେ ଯେତେବେଳେ ଏ ନେଇ ଆଲୋଚନା ହେବ ରାହୁଲ ବି ଦାବି କରିପାରିବେ ସେ ଏ ଦିଗରେ ପଦକ୍ଷେପ ନେଇଥିଲେ । ନବୀନ ଆରମ୍ଭ କରିଥିବା ପଦକ୍ଷେପରେ ଏବେ ଜଣେ ପରେ ଜଣେ ନେତା ସାମିଲ ହେବାରେ ଲାଗିଛନ୍ତି ।
ରାହୁଲ ନବୀନଙ୍କ ପଥ ଅନୁସରଣ କରିଥିବାରୁ ତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ନବୀନ ଏ ନେଇ ରାହୁଲଙ୍କ ଉପରେ ଖୁସିବ୍ୟକ୍ତ କରିଛନ୍ତି । ରାହୁଲଙ୍କ ସମର୍ଥନ ପରେ ନବୀନଙ୍କ ଉଦ୍ୟମ ଅଧିକ ବଳଶାଳୀ ହୋଇଛି । ଅନ୍ୟ ରାଜ୍ୟମାନେ ବି ଏ ବିଲକୁ ସମର୍ଥନ କରିବାକୁ ନବୀନ ଅନୁରୋଧ କରିଛନ୍ତି ।