ଆଖିମାରି ଫସିଛନ୍ତି ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥାପ୍ରସ୍ତାବ ଆଲୋଚନା ସମୟରେ ରାହୁଲ ଗାନ୍ଧି ତାଙ୍କ ବକ୍ତବ୍ୟ ରଖିସାରିବା ପରେ ନିଜ ଆସନରୁ ଉଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଇ ତାଙ୍କୁ କୋଳାଗ୍ରତ କରିବା ଏବଂ ପରେ ନିଜ ଆସନକୁ ଫେରି ଆଖିମାରିବା ଘଟଣାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ସରଗରମ ଆଲୋଚନା ଚାଲିଛି । ରାହୁଲଙ୍କ କୋଳାଗ୍ରତ କରିବା ଓ ଆଖି ମାରିବା ଭିଡିଓ ସୋଶାଲମିଡିଆରେ ଛାଇ ହୋଇଯାଇଛି । ସବୁଆଡ଼େ କେବଳ ଏହି ଗୋଟିଏ ଚର୍ଚ୍ଚା ଗତ ଶୁକ୍ରବାରଠାରୁ ଲାଗି ରହିଛି । ରାହୁଲଙ୍କ ଏହି ଅଦଭୁତ କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପ୍ରଧାନମନ୍ତ୍ରୀ ମଧ୍ୟ ରାହୁଲଙ୍କର ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଏକଥାକୁ ଉଲ୍ଲେଖ କରି ବାହାରେ ଏବେ ମୋଦି ସମାଲୋଚନା କରିଥିବା ଦେଖାଯାଉଛି । ହରିଆନାର ଜଣେ ମନ୍ତ୍ରୀ ଏଥିନେଇ ରାହୁଲଙ୍କୁ ନିଶାଶକ୍ତ କହିବାକୁ ପଛାଇ ନାହାଁନ୍ତି । ଏପରି କି ରାହୁଲଙ୍କ ପଦକ୍ଷେପକୁ ସେଦିନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗତ ନାପସନ୍ଦ କରିଥିଲେ । ରାହୁଲଙ୍କୁ ଏଥିନେଇ ସେ ତାଗିଦ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦାକୁ ସମ୍ମାନ ଦେବା ପାଇଁ ବାଚସ୍ପତି କହିଥିଲେ । ଏଭଳି ଚର୍ଚ୍ଚା ଦେଖିଲା ପରେ ରାହୁଲ ମଧ୍ୟ ତାଙ୍କ କାର୍ଯ୍ୟଧାରାକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ସୋଶାଲ ମିଡିଆରେ ତାଙ୍କ ମତ ରଖିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭାରେ ମୋଦିଙ୍କୁ ଆଲିଙ୍ଗନ କରିବା ଅପେକ୍ଷା ଆଖି ମାରିବା ଫଟୋ ଓ ଭିଡିଓ ବେଶୀ ଭାଇରାଲ ହୋଇଛି । ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଖିମରା ଫଟୋ ସହ ତୁଳନା କରି ରାହୁଲଙ୍କ ଫଟୋ ସୋଶାଲ ମିଡିଆରେ ଛଡ଼ା ଯାଇଛି । କାରଣ ଏଥହି ମାଲାୟାଲାମ ଅଭିନେତ୍ରୀଙ୍କ ଆଖିମରା ଫଟୋ ସୋଶାଲମିଡିଆରେ ଜବରଦସ୍ତ ଭାଇରାଲ ହୋଇଥିଲା । କୋଟିକୋଟି ଲୋକ ତାକୁ ଲାଇକ୍ କରିଥିଲେ । ଏବେ ରାହୁଲଙ୍କ ଆଖିମରାକୁ ତାଙ୍କ ସହ ତୁଳନା କରାଯାଉଛି । ରାହୁଲ ଏଭଳି ପଦକ୍ଷେପ ନେଇ ସମାଲୋଚନାର ଶୀକାର ହୋଇଛନ୍ତି । ମୋଦି ତାଙ୍କୁ ଗୃହ ଭିତରେ ସମାଲୋଚନା କରି କହିଥିଲେ । ଆଖିମାରିବା ଘଟଣାକୁ ମଧ୍ୟ ଭିନ୍ନ ଢଙ୍ଗରେ ଏବଂ କୋଳାଗ୍ରତ କରିବା ଘଟଣାକୁ ଭିନ୍ନ ଢଙ୍ଗରେ ସମାଲୋଚନା କରିଥିଲେ ମୋଦି । ଏବେ ମୋଦି ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିରୋଧୀଦଳଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ମୋଦି ରାହୁଲଙ୍କ ସେହି କାର୍ଯ୍ୟ ଶୈଳୀକୁ ଉଲ୍ଲେଖ କରି ସମାଲୋଚନା କରିବାକୁ ପଛାଇ ନ ଥିଲେ ।
ରାହୁଲଙ୍କ ଏହି ବ୍ୟବହାରକୁ ମୋଦି ଅବାଚ୍ଛିତ ବୋଲି କହିଛନ୍ତି । ଏହା ଦୋଷ ଘୋଡ଼ାଇବା ପଇଁ ଉଦ୍ଦିଷ୍ଟ ବୋଲି ମୋଦି ମନ୍ତବ୍ୟ ଦେଇଛନ୍ତି । ଏହି ଘଟଣାକୁ ସେ ଭଲଭାବେ ଗ୍ରହଣ କରି ନ ଥିବା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି । ଏନ୍ଡିଏ ସରକାର ବିରୋଧରେ ଆନାସ୍ଥା ପ୍ରସ୍ତାବର ନେତୃତ୍ୱ ନେଇଥିବା କଂଗ୍ରେସ ଏହି ଅନାସ୍ଥାର କାରଣ ମଧ୍ୟ କହିବାକୁ ସକ୍ଷମ ହୋଇନାହିଁ । ଏ ସମ୍ପର୍କରେ ବାରମ୍ବାର ପ୍ରଶ୍ନ କରାଯିବା ପରେ ମଧ୍ୟ ରାହୁଲ କାରଣ ଦର୍ଶାଇ ପାରି ନ ଥିଲେ ଏବଂ ନିଜର ଦୋଷ ଲୁଚାଇବାକୁ ଆଲିଙ୍ଗନ କରିଥିଲେ ବୋଲି ମୋଦି କହିଛନ୍ତି ।
ସୋଶାଲ ମିଡିଆରେ ଓ ରାଜନୀତିକ ମହଲରେ ସମାଲୋଚନା ହେବା ପରେ ରାହୁଲ ତାଙ୍କ କଥାର ଯଥାର୍ଥତା ଦର୍ଶାଇବା ପାଇଁ ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ସର୍ବଦା କିଛି ଲୋକଙ୍କ ମାଧ୍ୟମରେ ଘୃଣା, ଡର ଏବଂ କ୍ରୋଧ ସୃଷ୍ଟି କରୁଛନ୍ତି । ତେବେ ଆମେ ଏହାକୁ ଭୁଲ ପ୍ରମାଣିତ କରିବୁ ଏବଂ ପ୍ରେମ ଓ କରୁଣା ଦ୍ୱାରା ଦେଶ ନିର୍ମାଣ ସମ୍ଭବ । ପ୍ରେମ ଏବଂ ଦୟାଭାବ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ରହିଛି ଏବଂ ଏହା ଦେଶ ନିର୍ମାଣର ଏକମାତ୍ର ରାସ୍ତା ବୋଲି ରାହୁଲ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here