ଜାତୀୟସ୍ତରରେ ନବୀନଙ୍କ ଛବି ଖରାପ କରିବାକୁ ଲାଗିଲେ ଜୟ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ରାଜ୍ୟ ଛାଡ଼ି ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ଖରାପ କରିବା ପାଇଁ ଏବେ ଲାଗିପଡ଼ିଛନ୍ତି ବୈଜୟନ୍ତ ପଣ୍ଡା । ଦେଶର ରାଜନୈତିକ ଦୃଶପଟ୍ଟରେ ଓ ରାଜନୈତିକ ବ୍ୟକ୍ତିମାନଙ୍କ ପାଖରେ ନବୀନ ଜଣେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ମୁଖ୍ୟମନ୍ତ୍ରୀ ଭାବେ ବେଶ ପରିଚିତ । ତାଙ୍କୁ ଜାତୀୟସ୍ତରରେ ବିଭିନ୍ନ ସର୍ଭେ କରାଯାଇ କେତେବେଳେ ଶ୍ରେଷ୍ଠ ପ୍ରଶାସକ ତ ଆଉ କେତେବେଳେ ୧ନଂ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ କରାଯାଇଛି । ଏହାକୁ ଧରି ନବୀନ ମଧ୍ୟ ରାଜ୍ୟରେ ଜୋରଦାର ପ୍ରଚାର ଚଳାଇଛନ୍ତି । ଏପରିକି ସବୁ ସରକାରୀ ବିଜ୍ଞାପନରେ ତାଙ୍କର ଏହି ୧ନଂ ଫଟୋକୁ ପ୍ରଦର୍ଶିତ କରାଯାଉଛି । ଏହା ତାଙ୍କର ବ୍ରାଣ୍ଡ ଭାବରେ ପରିଗଣିତ ହୋଇଛି । ଏଣୁ ସମସ୍ତଙ୍କର ଧାରଣା ନବୀନ ଜଣେ ଭଲ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ତାଙ୍କୁ ଛୁଇଁନାହିଁ । ରାଜ୍ୟ ଅପେକ୍ଷା ଜାତୀୟସ୍ତରରେ ନବୀନ ସବୁବେଳେ ଚାହାଁନ୍ତି ତାଙ୍କ ଛବିରେ ଦାଗ ନଲାଗୁ । ଦେଶର ନେତାମାନେ ତାଙ୍କୁ ଭଲ ପ୍ରଶାସକ ଭାବେ ଗ୍ରହଣ କରିଥାନ୍ତୁ । ନବୀନଙ୍କ ସହ ପୂର୍ବରୁ ବେଶ ନିକଟତର ଥିବାରୁ ବୈଜୟନ୍ତ ଏ ବିଷୟରେ ଭଲଭାବରେ ଅବଗତ ଅଛନ୍ତି । ଏଣୁ ଏକଥାକୁ ଜାଣି ଜାତୀୟସ୍ତରରେ କିପରି ନବୀନଙ୍କୁ ନେତାମାନେ ଜଣେ ଦୁର୍ନୀତିଗ୍ରସ୍ତ ଓ ଅଗଣତାନ୍ତ୍ରିକ ବ୍ୟକ୍ତି ବୋଲି ଜାଣିବେ ସେଥିପାଇଁ ବୈଜୟନ୍ତ ପ୍ରୟାସ କରିଛନ୍ତି । ଜଣେ ସାମ୍ବାଦିକଙ୍କ ଦ୍ୱାରା ଲିଖିତ ନବୀନଙ୍କ ଜୀବନି ସମ୍ପର୍କୀତ ପୁସ୍ତକ ଉପରେ ଏକ ଆଲୋଚନା ଚକ୍ର ଦିଲ୍ଲୀ ଦରବାରରେ ଆୟୋଜନ କରି ସେଥିରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ୩ ଜଣ ବକ୍ତା ଥିଲେ । ୩ ଜଣ ଯାକ ବକ୍ତା କେହି ଜଣେ ହେଲେ ନବୀନଙ୍କ ସମପକ୍ଷରେ ମତ ଦେଇ ନ ଥିଲେ । ତାଙ୍କ ଦୁର୍ଗୁଣମାନ ଦର୍ଶାଇ ସେ ଜଣେ ଖରାପ ପ୍ରଶାସକ ଭାବରେ ପ୍ରତିପାଦିତ କରିବାକୁ ଉଦ୍ୟମ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟାରଙ୍କଠାରୁ ଆରମ୍ଭ କରି ବହୁ ପ୍ରତିଷ୍ଠିତ ନେତା ଓ ବ୍ୟକ୍ତି ଉପସ୍ଥିତ ଥିଲେ । ଏହା ଏକ ବୁଦ୍ଧିଜୀବୀଙ୍କ ସମାବେଶ ଥିଲା । ଏହି କାର୍ଯ୍ୟକ୍ରମରେ ଯେଉଁସବୁ ମତ ପ୍ରକାଶ ପାଇଲା ଓ ବକ୍ତାମାନେ ଯାହା ବ୍ୟକ୍ତ କଲେ ସେଥିରୁ ସ୍ପଷ୍ଟ ବୁଝାପଡୁଥିଲା ଯେ, ନବୀନଙ୍କୁ ନିନ୍ଦିତ କରିବା ପାଇଁ ଜୟଙ୍କର ଏହା ହେଉଛି ଏକ ପ୍ରୟାସ । କାରଣ ସମ୍ପୃକ୍ତ ସାମ୍ବାଦିକଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶାରେ ଉନ୍ମୋଚିତ ହୋଇସାରିଛି । ଏହାକୁ ବାହାନା କରି ଏକ ଆଲୋଚନାଚକ୍ରର ଆୟୋଜନ କରିବାର ଉଦ୍ଦେଶ୍ୟ ଆଉ ଅଛପା ରହୁନାହିଁ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୈଜୟନ୍ତ ଦର୍ଶାଇଛନ୍ତି ନବୀନ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି । ସେ ଆଉ ଆଗପରି ନାହାଁନ୍ତି । ସେ ନିଜେ ଆଉ କୌଣସି ନିଷ୍ପତ୍ତି ନେଉନାହାଁନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତିନେବା କାର୍ଯ୍ୟ ଅଫିସର ଓ ଅନ୍ୟ ନେତାଙ୍କ ଉପରେ ଛାଡ଼ିଦେଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦିଆଯାଉଛି । କୋଟରୀଙ୍କ ପ୍ରଭାବରେ ଆସି ବିଜୁ ପରିବାରର ନେତାମାନଙ୍କୁ ତଡ଼ି ଦିଆଯାଉଛି । ଦୁର୍ନୀତି ଓ ଯୌନ କେଳେଙ୍କାରୀରେ ଲିପ୍ତଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଘଣ୍ଟ ଘୋଡ଼ାଉଛନ୍ତି । ପୂର୍ବରୁ ନବୀନ ଏଭେଳି ନଥିଲେ । ବୈଜୟନ୍ତ କହିଛନ୍ତି ନବୀନ ଚତୁରତାର ସହ ସମ ଦୂରତା କଥା କହି ଏନଡିଏ ସରକାରକୁ ବାରମ୍ବାର ସମର୍ଥନ ଦେଇଚାଲିଛନ୍ତି । ବିଜେଡି ନେତାଙ୍କ ବିରୋଧରେ ଚାଲିଥିବା ସିବିଆଇ ଓ ଇଡିର ତଦନ୍ତ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଘଟଣାକୁ ସେ ଉଦାହରଣ ଭାବେ ଦର୍ଶାଇଛନ୍ତି । ଏପରି କି ସେ କହିଛନ୍ତି କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ଦ୍ୱିତୀୟ ସ୍ଥାନକୁ ଆସିଥିଲେ ମଧ୍ୟ ଯେପର୍ଯ୍ୟନ୍ତ ଦଳ ଅଲଆଉଟ ଉଦ୍ୟମ ନ କରିଛି ସେ ପର୍ଯ୍ୟନ୍ତ ସଫଳ ହେବନାହିଁ । ଏଥିସହ ବୈଜୟନ୍ତ ତାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ କହିଛନ୍ତି ଯେପର୍ଯ୍ୟନ୍ତ ପରିସ୍ଥିତି ବାଧ୍ୟ ନ କରିଛି ସେ ଯାଏଁ କୌଣସି ନିଷ୍ପତ୍ତି ନେବେନାହିଁ । ଏହା ସେ ନବୀନଙ୍କଠାରୁ ଶିଖିଥିବା ପରିହାସ କରି କହିଛନ୍ତି ।
ଏଥିରେ ଯୋଗ ଦେଇଥିବା ନବୀନଙ୍କ ସମ୍ପର୍କରେ ପୁସ୍ତକର ଲେଖକ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନଙ୍କୁ ଜଣେ ଅଗଣତାନ୍ତ୍ରିକ ନେତାଭାବେ ବର୍ଣ୍ଣନା କରିଥିଲେ । ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଯିବା ଘଟଣାକୁ ଉଦାହରଣ ଦେଇଥିଲେ । ନବୀନ ଜଣେ ସ୍ୱେଚ୍ଛାଚାରୀ ବୋଲି ସେ ଦର୍ଶାଇଥିଲେ ।
ବରିଷ୍ଠ ସାମ୍ବାଦିକ ରାକେଶ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବରେ କାର୍ଯ୍ୟ ଚଳାଉଛନ୍ତି ସେଥିରେ ଦୀର୍ଘ ମିଆଦି ଅଭିବୃଦ୍ଧି ଲାଗି ଅର୍ଥ ଖର୍ଚ୍ଚ ନ କରି କେବଳ ଲୋକପ୍ରୀୟ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରୁଥିବାରୁ ୨୦୨୦ ସୁଦ୍ଧା ଓଡ଼ିଶା ଆର୍ôଥକ ସଂକଟରେ ପଡ଼ିଯିବ । ସରକାରରେ ବ୍ଲକସ୍ତର ପର୍ଯ୍ୟନ୍ତ ଦୁର୍ନୀତି ଭୟଙ୍କର ଭାବେ ବ୍ୟାପିଥିବା କଥା ମଧ୍ୟ ଶ୍ରୀ ମହାପାତ୍ର ଉଲ୍ଲେଖ କରିଥିଲେ ।
ଏଥିରୁ ସ୍ପଷ୍ଟ ହେଉଛି ଯେ ବୈଜୟନ୍ତ ଏବେ ଜାତୀୟସ୍ତରରେ ନବୀନଙ୍କ ଚେହେରାକୁ ମଳିନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଜାତୀୟସ୍ତରର ନେତାମାନେ ଓ ବୁଦ୍ଧିଜୀବୀମାନେ ଯେପରି ନବୀନଙ୍କୁ ଭାବେ ଏବଂ ନବୀନଙ୍କ ପ୍ରତି ଥିବା ମନୋଭାବର ପରିବର୍ତ୍ତନ ଘଟିବ ସେହି କାର୍ଯ୍ୟ ଏବେ ସେ ଆରମ୍ଭ କରିଛନ୍ତି । ରାଜ୍ୟର କୌଣସି କାର୍ଯ୍ୟକ୍ରମରେ ସେ ଭାଗ ନେଉ ନାହାଁନ୍ତି କିମ୍ବା କୌଣସି ସଭା ସମିତିକୁ ଯାଇ ସରକାରୀ ବିରୋଧୀ ମତ ରଖୁନାହାଁନ୍ତି । ରାଜ୍ୟରେ କେବଳ ଚାୟେ ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ‘ହେଉଯାଉ’ର ନାଁ ଦେଇ ସେ ଘୁରିବୁଲୁଛନ୍ତି । ଲୋକସମ୍ପର୍କ ବୃଦ୍ଧି କରିବାରେ ଲାଗିଛନ୍ତି । ନବୀନଙ୍କ ଅପେକ୍ଷା ତାଙ୍କୁ କେତେ ଲୋକେ ଭଲପାଆନ୍ତି ଏହି ଧାରଣା ସୃଷ୍ଟି କରିବାରେ ଲାଗିଛନ୍ତି । କିନ୍ତୁ ଜାତୀୟସ୍ତରରେ ଯେପରି ନବୀନ ବଦନାମ ହେବେ, ନବୀନଙ୍କ ସମ୍ପର୍କରେ ଲୋକଙ୍କର ଯେଉଁ ଧାରଣା ରହିଛି ତାହା ଭୁଲ ଏକଥା ପ୍ରମାଣିତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଯାହା ଏହି କାର୍ଯ୍ୟକ୍ରମ ହେଉଛି ତାହାର ସଫଳ ଦୃଷ୍ଟାନ୍ତ ବୋଲି ଆଲୋଚନା ହେଉଛି ।
ରାଜ୍ୟରେ ନବୀନଙ୍କ ବିରୋଧରେ ବୁଲି ବୁଲି କହିବା ପାଇଁ ଡାକ୍ତର ଦାମୋଦର ରାଉତଙ୍କୁ ବୈଜୟନ୍ତ ଲଗାଇଛନ୍ତି । ଡାକ୍ତର ରାଉତ ବିଭିନ୍ନ ଅଂଚଳକୁ ବୁଲି ଏବେ ଯେଉଁ ସଭାସମିତିରେ ଯୋଗଦେଇ ନବୀନଙ୍କ ଦୁର୍ନୀତିକଥା ବଖାଣୁଛନ୍ତି ତାହା ପଛରେ ବୈଜୟନ୍ତଙ୍କ ହାତ ଥିବା କଥା ମଧ୍ୟ ଅନେକ ମତଦେଉଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here