ଦାମ ଉଠାଇଲେ ୪୭ ମନ୍ତ୍ରୀ ଓ ବିଧାୟକଙ୍କ ଚିଟଫଣ୍ଡ ଦୁର୍ନୀତି ଦୂର୍ନୀତିରେ ସମ୍ପୃକ୍ତି କଥା

ଭୁବନେଶ୍ୱର: ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଇତିମଧ୍ୟରେ ବିଜୁ ସମତାକ୍ରାନ୍ତି ନାମରେ ନୂଆ ଦଳ ଗଠନ କରିସାରିଛନ୍ତି । ତାଙ୍କ ଦଳର କଳେବର ଆଖିଦୃଷ୍ଟିଆ ଭାବେ ବୃଦ୍ଧି ଘଟିନାହିଁ । ସେଭଳି ଆଗଧାଡ଼ିର ଓ ଜଣାଶୁଣା ନେତା କେବଳ ବ୍ରଜକିଶୋର ତ୍ରିପାଠୀଙ୍କୁ ଛାଡ଼ି ଦେଲେ ଆଉ କେହି ତାଙ୍କ ହାତ ଧରିବାକୁ ଆସିନାହାଁନ୍ତି । ଅନ୍ୟ ଯେଉଁ ନେତାମାନଙ୍କ ନାଁ ଶୁଣାଯାଉଥିଲା ସେମାନେ କେହି ବର୍ତମାନ ସୁଦ୍ଧା ତାଙ୍କୁ ଧରାଛୁଆଁ ଦେଇନାହାଁନ୍ତି । ହେଲେ ସେ ଆଖିକାନ ବୁଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନଙ୍କୁ ଆକ୍ରମଣ କରିଚାଲିଛନ୍ତି । ଏବେ ସେ ପୁରୁଣା ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଛନ୍ତି । ସିବିଆଇ ହାତରେ ସବୁ ପ୍ରକାର ପ୍ରମାଣ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହା ପଛରେ ମୂଳ କାରଣ ହେଉଛି ସିବିଆଇ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଛି । ଏ ବିଷୟ ଦର୍ଶାଇ ଡାକ୍ତର ରାଉତ କହିଛନ୍ତି, ଚିଟ ଫଣ୍ଡ ସଂସ୍ଥା ସିସୋର କମ୍ପାନୀର ମାଲିକ ପ୍ରଶାନ୍ତ ଦାସ ୪୭ ଜଣ ବିଧାୟକ ଓ ମନ୍ତ୍ରୀଙ୍କୁ ୫୫୦ କୋଟି ଟଙ୍କାର ଲାଂଚ ଦେଇଛନ୍ତି । ଏ ସଂକ୍ରାନ୍ତରେ ପ୍ରମାଣ ସିବିଆକୁ ପ୍ରଦାନ କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ୨୦୧୫ ମସିହାରେ ଏହି ଲାଂଚ କାରବାର ସମ୍ପର୍କିତ ଏକ ଅଡିଓ ସିଡି ପିନାକ ମହାନ୍ତି ନାମକ ଜଣେ ଯୁବକ ସିବିଆଇକୁ ପ୍ରଦାନ କରିଛନ୍ତି । ଏଥିସହ ଚିଟଫଣ୍ଡ ସଂସ୍ଥା ଏଟି ମୁଖ୍ୟ ପ୍ରଦୀପ ସେଠୀ ମଧ୍ୟ ସିବିଆଇକୁ ଶାସକ ଦଳ ନେତାଙ୍କ ସମ୍ପର୍କରେ ଅନେକ ତଥ୍ୟ ଦେଇଥିଲେ । ହେଲେ ସିବିଆଇ କୌଣସି ପ୍ରକାର ପଦକ୍ଷେପ ନେଲାନାହିଁ ।
ତେବେ ସିବିଆଇ ଏହି ସିଡି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନେଇ ନାହାନ୍ତି । ସିବିଆଇ ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କ୍ଷେତ୍ରରେ ଅତ୍ୟନ୍ତ ଶୀଥିଳତା ଅବଲମ୍ବନ କରୁଛି । ଏହାର ଅନ୍ତ ଘଟେଇବା ପାଇଁ ସିବିଆଇକୁ ସକ୍ରୀୟ ହେବାକୁ ପଡ଼ିବ ବୋଲି ଦାମ କହିଛନ୍ତି । ସିବିଆଇ ନିକଟରେ ଦାଖଲ ହୋଇଥିବା ଲାଞ୍ଚ କାରବାରର ସିଡି ମଧ୍ୟ ସାମ୍ବାଦିକମାନଙ୍କୁ ପ୍ରଦାନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କିଛି ନେତାଙ୍କୁ କେବଳ ନୋଟିସ ଜାରି କରି ସିବିଆଇ ଚୁପ ହୋଇ ବସିଛି ।