ଦାମ ଧରିଲେ ଖଣ୍ଡା

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ବିଜେଡି ବିରୋଧରେ ରଣହୁଙ୍କାର ଦେଇଥିବା ଡାକ୍ତର ଦାମୋଦର ରାଉତ ଏବେ ନୂଆ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କଟକରେ ଖଣ୍ଡା ବୁଲାଇ ରୋଡ ସୋ’ କରିଛନ୍ତି । ଖଣ୍ଡା ବୁଲାଇ ରୋଡ ସେ’ କରିବା ସହ ସେ ଘୋଷଣା କରିଛନ୍ତି ରାଜ୍ୟସାରା ବୁଲି ଓ ଦୁର୍ନତୀ ବିରୋଧରେ କହିବେ । ସେ ପ୍ରଥମେ ତାଙ୍କର କାର୍ଯ୍ୟକ୍ରମ ମାହାଙ୍ଗାରୁ ଆରମ୍ଭ କରିବା ପରେ ଏବେ ଗୋଟିଏ ପରେ ଗୋଟିଏ ଅଂଚଳ ଗସ୍ତ କରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ବୁଝାଇବାରେ ଲାଗିଛନ୍ତି । ମାହାଙ୍ଗା ପରେ ନିମାପଡ଼ାରେ ହୋଇଥିବା ସମାବେଶରେ ଯୋଗ ଦେଇଥିଲେ । ଏବେ ମଙ୍ଗଳବାର କଟକରେ ରୋଡ ସୋ କରିବା ସହ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବିଜେଡି ନେତାଙ୍କ ଦୁର୍ନୀତି ଲୋକଙ୍କୁ ଅବଗତ କରିଥିଲେ । କଟକରେ ଚାଲିଥିବା ଜାଇକା ପ୍ରକଳ୍ପରେ ବ୍ୟାପକ ହରିଲୁଟ ହୋଇଥିବା କଥା ଉଠାଇ ଏହି ଅର୍ଥ ଖାଇଲା କିଏ ବୋଲି ସେସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇଥିଲେ । ଆଗକୁ ଆହୁରି ସରକାରଙ୍କ ଦୁର୍ନୀତିର ପେଡ଼ି ଖୋଲିବେ ବୋଲି ଚେତାବନୀ ଦେଇଥିଲେ । ଏକଥା କୁହାଯାଉଛି ଡାକ୍ତର ରାଉତ ଓଡ଼ିଶା ସାରା ବୁଲିବା ପାଇଁ କଂଗ୍ରେସ, ବିଜେପି ଓ ବିଜେଡିରେ ଯେଉଁଭଳି ରଥ ବୁଲୁଛି ସେହି ଷ୍ଟାଇଲରେ ମଧ୍ୟ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ । ଓଡ଼ିଶା ବୁଲିବା ଲାଗି ଡାକ୍ତର ରାଉତଙ୍କ ପାଇଁ ଏକ ଗାଡ଼ି ବା ରଥ ପ୍ରସ୍ତୁତି ଚାଲିଥିବା କଥା ଆଲୋଚନା ହେଉଛି । ବର୍ତ୍ତମାନ ସୁଦ୍ଧା ୩ଟି ସ୍ଥାନରେ ସରକାରଙ୍କ ବିରୋଧରେ ଆୟୋଜିତ ସମାବେଶରେ ବିଷୋଦଗାର କରିବା ପରେ ଆସନ୍ତା ୧୨ ତାରିଖରେ ନିଜ ନିର୍ବାଚନମଣ୍ଡଳୀରେ ଦମ ଦେଖାଇବାକୁ ଯାଉଛନ୍ତି । ବିଜେଡିର ମହିଳା ସମାବେଶ ପରେ ଡାକ୍ତର ରାଉତଙ୍କ ଏହି ଆୟୋଜନର ବହୁ ଗୁରୁତ୍ୱ ରହିଛି । ପ୍ରକୃତରେ ଏହି ସମାବେଶରେ କେତେ ଲୋକ ହେଉଛନ୍ତି ତାହା ଉପରେ ହିଁ ନିର୍ଭର କରିବ ଡାକ୍ତର ରାଉତଙ୍କ ଲୋକପ୍ରିୟତାର ପ୍ରମାଣ । ଏହି ସଭା ଫସର ଫାଟିଲେ ତାଙ୍କ ପାଇଁ ବହୁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।
କଟକରେ ଡାକ୍ତର ରାଉତ ନିଖିଳ ଓଡ଼ିଶା କ୍ଷତ୍ରୀୟ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଯୋଗ ଦେବା ପୂର୍ବରୁ କଟକ ସହରରେ ଏକ ରୋଡ ସୋ’ ହୋଇଥିଲା, ଯେଉଁଥିରେ ଅନ୍ୟମାନଙ୍କ ସହ ଡାକ୍ତର ରାଉତ ଖଣ୍ଡା ବୁଲାଇ ବୁଲାଇ ରାସ୍ତାରେ ଯାଉଥିବା ଦେଖାଯାଇଥିଲା । ଖୋଲାଖୋଲି ଭାବେ ଏଭଳି ଖଣ୍ଡା ବୁଲାଇ ବିଜେଡିକୁ ସତର୍କ ରହିବା ପାଇଁ ଏକ ବାର୍ତା ଦେଇଥିବା କଥା ଚର୍ଚ୍ଚା ହେଉଛି । ନଚେତ ରାସ୍ତାରେ ଯିବା ବେଳେ ଖଣ୍ଡାବୁଲାଇବା ତାଙ୍କ ଭଳି ଜଣେ ନେତାଙ୍କ ପକ୍ଷରେ ଆବଶ୍ୟକ ନ ଥିଲା । ଯେଉଁମାନେ ତାଙ୍କୁ ଶୋଭାଯାତ୍ରାରେ ପାଛୋଟି ନେଉଥିଲେ ସେମାନେ ଖଣ୍ଡା ବୁଲାଇବା ଭିନ୍ନ କଥା । ଆଉ ଡାକ୍ତର ରାଉତ ଖଣ୍ଡା ବୁଲାଇବା ଭିତରେ ରାଜନୀତିକ ବାର୍ତ୍ତା ରହୁଛି ବୋଲି ଅନେକ ମତ ଦେଉଛନ୍ତି । ବିଜେଡି ତାଙ୍କ ପ୍ରତି ସତର୍କ ରହିବା ହେଉଛି ତାଙ୍କର ବାର୍ତ୍ତା ବୋଲି କୁହାଯାଉଛି । କଟକରେ ଜାଇକା ଦୁର୍ନୀତି କଥା ଉଠାଇ ସିଧାସଳଖ କଟକ-ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଆଡ଼କୁ ବାଣ ମାରିଥିଲେ । ଜାଇକା ପ୍ରକଳ୍ପ ପାଇଁ ୮୦୦୦ କୋଟି ଟଙ୍କା ମଂଜୁର ହୋଇଥିଲା ବେଳେ ୨୯୦୦ କୋଟି ଟଙ୍କା ଖର୍ଚ୍ଚ ହେଲାଣି । କିନ୍ତୁ କଟକର ରାସ୍ତା ଘାଟର ଅବସ୍ଥା କଣ ତାହା ସମସ୍ତେ ଦେଖୁଛନ୍ତି । ତେବେ କିଏ ଏ ଟଙ୍କା ଖାଉଛି । ଏଠି ପୂର୍ବରୁ ଥିବା ଜଣେ ଆକାଉଣ୍ଟ ଅଫିସର ଜାଇକାରେ ବ୍ୟାପକ ଦୁର୍ନୀତି ଥିବା ସମ୍ପର୍କରେ କହିଥିଲେ । କଟକ-ବାରବାଟୀ ବିଧାୟକ ନିର୍ବାଚନମଣ୍ଡଳୀକୁ କେମିତି ରଖିଛନ୍ତି ସେ କଥା ମୋ ଅପେକ୍ଷା ଆପଣମାନେ ବେଶୀ ଜାଣନ୍ତି ବୋଲି କହି ଇସାରା ଦେଇଥିଲେ । କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗ, ଖଣି ନିଲାମ ଅର୍ଥ ହରିଲୁଟ ହେବା, ବ୍ୟାପକ ଋଣ କରିବା ବିଷୟ ଉଠାଇଥିଲେ । ୯୧ ହଜାର କୋଟି ଟଙ୍କା ଋଣ କରାଗଲାଣି । ଏ ଋଣ ସୁଝିବ କିଏ । ଏସବୁ ଟଙ୍କା କୁଆଡ଼େ ଖର୍ଚ୍ଚ ହେଉଛି ବୋଲି ପ୍ରଶ୍ନ ଉଠାଇଥିଲେ । ଚାଷୀଙ୍କ ଅର୍ଥ ହରିଲୁଟ ହେଉଥିବା କଥା କହିଥିଲେ ।

ସେ କହିଥିଲେ ଆଗାମୀ ଦିନରେ ରାଜ୍ୟ ସରକାର ଯେଉଁସବୁ ଦୁର୍ନୀତିରେ ଲିପ୍ତ ଅଛନ୍ତି, ତାହାର ମୁଖା ଖୋଲିଦେବି । ସାରା ରାଜ୍ୟରେ ବୁଲିବୁଲି ସଭା କରିବି ଏବଂ ରାଜ୍ୟକୁ ବଂଚାଇବା ପାଇଁ ସବୁମତେ ଉଦ୍ୟମ କରିବି । ଓଡ଼ିଶାକୁ ଦୀର୍ଘ ୧୯ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ବହୁ ଦୁର୍ନୀତିରେ ବୁଡ଼ି ରହିଛି । ଚିଟ୍ ଫଣ୍ଡ ମହାଦୁର୍ନୀତିଠାରୁ ଆରମ୍ଭ କରି ଡାଲି, ପାଣି ଆଦିରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡି ନେତାମାନଙ୍କୁ ଟାର୍ଗେଟ କରି କହିଥିଲେ ରାଜନୀତିକୁ ଆସିବା ପୂର୍ବରୁ ଯେଉଁମାନେ ଆର୍ôଥକ ଦୁସ୍ଥିତ ଦେଇ ଗତି କରୁଥିଲେ, ସେମାନେ ଆଜି କୋଟିପତିରେ ପରିଣତ ହୋଇଛନ୍ତି । ରାଜ୍ୟ ବିକାଶ ବଦଳରେ ରସାତଳଗାମି ହେଉଛି । ଆଗାମୀଦିନରେ ସାରାରାଜ୍ୟ ବୁଲି ଏହିସବୁ ବିଷୟରେ ଲୋକଙ୍କୁ କହିବେ ବୋଲି ଡାକ୍ତର ରାଉତ କହିଥିଲେ । କଟକ-ବାରବାଟୀ ବିଧାୟକଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଥିଲେ, ଯେଉଁମାନେ ପୂର୍ବରୁ ବିଜୁ ବାବୁଙ୍କୁ ବିରୋଧ କରୁଥିଲେ ଏବଂ ତାଙ୍କ ସଭାକୁ ଭଣ୍ଡୁର କରିବା ପାଇଁ ଖଣ୍ଡା ବୁଲାଉଥିଲେ ସେମାନେ ଆଜି ନବୀନ ପଟ୍ଟନାୟକଙ୍କର ପାଖ ଲୋକ ହୋଇଛନ୍ତି । ସେହିମାନଙ୍କ ପ୍ରରୋଚନାରେ ପଡ଼ି ଅସଲ ବିଜୁ ଅନୁଗତମାନଙ୍କୁ ଦଳରୁ ବହିଷ୍କାର କରାଯାଉଛି ବୋଲି ଡାକ୍ତର ରାଉତ କହିଥିଲେ ।
ଏହି ଅବସରରେ ଡାକ୍ତର ରାଉତ ଘୋଷଣା କରିଥିଲେ ଯେ, ଆସନ୍ତା ୧୨ ତାରିଖରେ ତାଙ୍କର ଲୋକପ୍ରିୟତା କେତେ ରହିଛି ପାରାଦୀପ ଏବଂ ଏରସମାରେ ସମାବେଶରୁ ଜଣାପଡ଼ିବ । ଖାଲି ନିଜ ଅଂଚଳର ନୁହେଁ ସମଗ୍ର ରାଜ୍ୟରେ ତାଙ୍କର ଲୋକପ୍ରିୟତା ଥିବା କଥା କହିଥିଲେ ।

ମତାମତ ଦିଅନ୍ତୁ

Please enter your comment!
Please enter your name here